Unknown

 

 

 

 

 

 

 

 

 

 

 

ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମଧାରା

ଡକ୍ଟର ବେଣୀମାଧବ ପାଢ଼ୀ

 

ଓଡ଼ିଆ ଭାଷା ଓ ସାହିତ୍ୟ

 

ଭାଷା ହେଉଛି ଭାବର ବାହାକ । ଯାହାର ଭାଷା ଯେତିକି ବଳିଷ୍ଠ ସେ ଜାତି ସେତିକି ଉନ୍ନତ । ଦୁହେଁ ଅଭିନ୍ନଭାବ ସମ୍ବନ୍ଧରେ ଆବଦ୍ଦ । ଭାଷା ନଥିଲେ ଜାତି କିମ୍ବା ଜାତି ନଥିଲେ ଭାଷାର ସ୍ଥିତି ସମ୍ଭବ ନୁହେଁ । ଏକା ମଣିଷ ନୁହେଁ ପଶୁ, ପକ୍ଷୀଜାତିର ବି ଭାଷା ରହିଛି । ହୁଏ ତ ତାହା ଶଦ୍ଦ ବା ନାଦ ବା ଧ୍ଵନି ଯାହାକିଛି ହୋଇପାରେ । ଯାହାହେଲେ ବି ଭାବବ୍ୟଞ୍ଜକ ଧ୍ଵନି ରୂପେ ହିଁ ତାହାର ବ୍ୟବହାର । ସବୁ ପ୍ରାଣୀ ମଧ୍ୟରେ ମନୁଷ୍ୟର ଭାଷା ସର୍ବାଧିକ ଉନ୍ନତ । ତାହା ମଣିଷ ଭାବନାର ଶଦ୍ଦବ୍ରହ୍ମ ରୂପ । ନୃତ୍ୟ, ଚିତ୍ର, ଭାସ୍କର୍ଯ୍ୟ, ଅଭିନୟାଦି ଭାବ ପ୍ରାକାଶନୋପଯୋଗୀ ହେଲେ ସୁଦ୍ଧା ଭାଷା ଯେପରି ସ୍ଵୟଂସଂପୂର୍ଣ୍ଣ ଉପାଦାନ, ଅନ୍ୟଗୁଡ଼ିକ ସେପରି ନୁହନ୍ତି । ଏଣୁ ମଣିଷଜାତି ସଙ୍ଗେ ଭାଷାର ଉତ୍ପତ୍ତି ଓ ଘଟିଥିବା ପଣ୍ଡିତମାନେ କହନ୍ତି । ସେହି ପରିପ୍ରେକ୍ଷୀରେ ବିଚାର କଲେ ଓଡ଼ିଶାର ଭାଷା ଅତି ପ୍ରାଚୀନ ବୋଲି ନିଃସନ୍ଦହରେ କୁହାଯାଇପାରେ ।

 

ଓଡ଼ିଶା ଭାଷାର ଉତ୍ପତ୍ତି ଓ ବିକାଶ ସମ୍ଵନ୍ଧରେ ଆଲୋଚନା କରିବାକୁ ଯାଇ ଅନେକେ ଏହା ଅର୍ଦ୍ଧ ମାଗଧୀ ପ୍ରାକୃତରୁ ଉତ୍ପନ୍ନ ବୋଲି କହନ୍ତି । ହର୍ନେଲ୍, ଗ୍ରୀୟର୍‍ସନ୍ ପ୍ରଭୃତି ବିଦେଶୀ ସମାଲୋଚକ ଏହାର ବାହ୍ୟ ରୂପ ଦେଖି ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାକୁ ହିଁ ଆମେ ବିନା ବିଚାରରେ ଏଯାଏଁ ଗ୍ରହଣ କରିଆସିଛୁ । ଏହାର ଅନ୍ତରଙ୍ଗ ବିଶ୍ଳେଷଣ କରି ଦେଖିବାକୁ ଟିକିଏ ସୁଦ୍ଧା ଯତ୍ନ କରିନାହୁଁ । ପାଣିନିଙ୍କର ଅଷ୍ଟାଧ୍ୟ୍ୟାୟୀ ସୂତ୍ରରୁ ଆରମ୍ଭ କରି ବରରୁଚିକୃତ ‘ପ୍ରାକୃତ-ପ୍ରକାଶ’ ପର୍ଯ୍ୟନ୍ତ କୌଣସି ଭାଷା ବ୍ୟାକରଣରେ ଏହା ସମ୍ଵନ୍ଧରେ ଆଲୋଚନା ହୋଇନାହିଁ । ଯଦିଚ ଭରତଙ୍କ ନାଟ୍ୟଶାସ୍ତ୍ରରେ ‘ଉଡ୍ରଜା’ ନାମକ ଏକ ବିଭାଷା ଥିବାର ସ୍ପଷ୍ଟ ଉଲ୍ଲେଖ ରହିଛି । ‘ଉଡ୍ରଜା’ ଯେ ଓଡ଼ିଶାର ଭାଷା ଏଥିରେ ସନ୍ଦେହ କରିବାର କିଛି ନାହିଁ । କାରଣ ‘ଉଡ୍ର’ କହିଲେ ଓଡ଼ିଶା ଛଡ଼ା ଅନ୍ୟ କିଛି ନୁହେଁ । ପ୍ରାଚୀନ କଳିଙ୍ଗର ଅନ୍ୟନାମ ଥିଲା ‘ଉଡ୍ର’ । ହରିବଂଶ, ଅଗ୍ନି ପୁରାଣ, ବାୟୁ ପୁରାଣରେ ‘କଳିଙ୍ଗ’, ସ୍କନ୍ଦ ପୁରାଣ ଓ କାଳିଆ ପୁରାଣରେ ‘ଉଡ୍ଡିଆନ୍’ ଏବଂ ପଦ୍ମପୁରାଣ ଓ ବିଷ୍ଣୁଧର୍ମୋତ୍ତର ପୁରାଣରେ ଏହା ‘ଉଡ୍ର’ ରୂପେ ବର୍ଣ୍ଣିତ । କେତେକଙ୍କ ମତରେ ‘ଉଡ୍ର’, ‘ଉଦ୍ର’ ଶବ୍ଦର ରୂପାନ୍ତର । ଉଦ୍ରର ଅର୍ଥ ସନ୍ତସନ୍ତିଆ ଭୂଭାଗ । ସମ୍ଭବତଃ ସମୁଦ୍ରକୂଳବର୍ତ୍ତୀ ନଦୀବହୁଳ ଭୂଖଣ୍ଡ ଥିବା ଯୋଗୁଁ ଏହା ସେ ନାମରେ ନାମିତ ଥିଲା । ଆଉ କାହାରି କାହାରି ମତରେ ପ୍ରାଚୀନ ଆଦିବାସୀ ଶବର ଭାଷାର ‘ଓଋ’ ଶବ୍ଦରୁ ‘ଓଡ’ ଶବ୍ଦର ଉତ୍ପତ୍ତି ଏବଂ ତାହାର ସଂସ୍କୃତାୟିତ ରୂପ ‘ଉଡ୍ର’ । ଓଡ ଅର୍ଥ ଚାଷ ଅର୍ଥାତ୍ ବାଷୋପଯୋଗୀ ଥିବା ହେତୁ ଏହାକୁ ସେପରି କୁହାଯାଉଥିଲା ।

 

ସେ ଯାହାହେଉ ‘ଉଡ୍ର’ ଶବ୍ଦ ପ୍ରାଗୌତିହାସିକ ଯୁଗର ଶବ୍ଦ । ଏହା ମଗଧର ପ୍ରତିବେଶୀ ରାଜ୍ୟ ଥିଲା । ନାଟ୍ୟଶାସ୍ତ୍ରରେ ନାଟକର ଚରିତ୍ରମାନଙ୍କ ମୁଖରେ ପ୍ରଜୁଯ୍ୟ ଭାଷା ସଂପର୍କରେ କେତେକ ନିର୍ଦ୍ଦେଶ ଦିଆଯାଇଛି । ସେ ମଧ୍ୟରୁ ‘ଉଡ୍ରଜା’ ବନବାସୀ ବା ନୀଚପାତ୍ରଙ୍କ ମୁଖରେ ଉଚ୍ଚାରିତ ହେବା ଉଚିତ ବୋଲି ଉକ୍ତି ଅଛି ।

 

‘‘ଶାକାରାଭୀର-ଚଣ୍ଡାଳଶବରଦ୍ରାବିଡ଼ୋଡ୍ରଜାଃ

ହୀନା ବନେଚରଣାଂ ଚ ବିଭାଷା ନାଟକେ ସ୍ମୃତାଃ ।’’

 

ଅର୍ଥହେଲା ଶାକାରୀ, ଆଭୀରୀ, ଚଣ୍ଡାଳୀ, ଶାବରୀ, ଦ୍ରାବିଡ଼ୀ ଓ ଉଡ୍ରଜା ହୀନ ପାତ୍ର ଏବଂ ବନେଚରଙ୍କ ମୁହଁର ଭାଷା । ଅନ୍ୟନାମ ‘ବିଭାଷା’ ।

 

ଏଠାରେ ଦର୍ଶାଇବା ଅସଙ୍ଗତ ହେବନାହିଁ ଯେ ନାଟ୍ୟଶାସ୍ତ୍ରର ବ୍ୟାଖ୍ୟା କଲାବେଳେ ଶ୍ରୀଯୁକ୍ତ ମନମୋହନ ଘୋଷ ମହାଶୟ ‘ଉଡ୍ରଜା’କୁ ‘ଆନ୍ଦ୍ରିଜା’ ରୂପେ ପରିବର୍ତ୍ତନ କରି ‘ଶାକାରାଭୀରଚଣ୍ଡାଳଶବରଦ୍ରାବିଡ଼ାନ୍ଧ୍ରଜାଃ’ ବୋଲି ପାଠ କରିଛନ୍ତି । କିନ୍ତୁ ତାହା ଆଦୌ ଯୁକ୍ତିଯୁକ୍ତ ମନହୁଏ ନାହିଁ । କାରଣ ଆନ୍ଧ୍ରଭାଷା ଦ୍ରାବିଡ଼ ପରିବାରର ଏକ ଉପଭାଷା । ନାଟ୍ୟଶାସ୍ତ୍ରରେ ତାହାର ସ୍ଵାତନ୍ତ୍ର୍ୟ କୁତ୍ରାପି ପରିଲକ୍ଷିତ ନୁହେଁ । ଯେହେତୁ ତାହା ‘ଦ୍ରାବିଡ଼ୀ’ ମଧ୍ୟରେ ଅନ୍ତର୍ଭୁକ୍ତ । ଅପରପକ୍ଷେ ‘ଉଡ୍ର’ ଶବ୍ଦର କେବଳ ଉଲ୍ଲେଖ ନୁହେଁ ସ୍ଵାତନ୍ତ୍ର୍ୟ ମଧ୍ୟ ସ୍ଵୀକୃତ । ‘ମାଗଧୀ’ ସହିତ ଏହାର ଯୁଗ୍ମ ପ୍ରୟୋଗ ବହୁସ୍ଥଳରେ ଲିପିବଦ୍ଧ । ପ୍ରବୃତ୍ତି ପ୍ରକରଣରେ ଉକ୍ତ ଅଛି–ଉଡ୍ର ମାଗଧୀ ପ୍ରବୃତ୍ତି ଭାରତବର୍ଷର ବହୁ ଅଂଚଳରେ ଆଦୃତ । ମାର୍କଣ୍ଡେୟକୃତ ‘ପ୍ରାକୃତ ସର୍ବସ୍ୱ’ ବ୍ୟାକରଣରେ ଏହା ଉଡ୍ର ଦେଶର ଭାଷା, ଏହାର ନାମ ‘ଉଡ୍ରୀ’ ବୋଲି ଉଲ୍ଲେଖିତ । ଚୀନ୍ ପରିବ୍ରାଜକ ହୁଏନ୍‍ସାଂଙ୍କ ଭାରତ ଭ୍ରମଣ ବିବରଣୀରେ ମଧ୍ୟ ଓଡ ବା ଉଡ୍ର ଶବ୍ଦର ଉଲ୍ଲେଖ ରହିଛି– ‘‘The people of OTA (=Oda or Odre) were of violent ways.Tall and dark complexioned, in speech and manners different from the people of Mid-India.’’ ଏପରି ଥିଲାଠାରେ ଶ୍ରୀ ଘୋଷ କିପରି ‘ଦ୍ରାବିଡ଼ୋଡ୍ରଜାଃ’ ସ୍ଥାନରେ ‘ଦ୍ରାବିଡ଼ାନ୍ଧ୍ରଜାଃ’ ପାଠ ଗ୍ରହଣ କଲେ ବୁଝି ହେଉନାହିଁ । ଯା’ହେଉ ଆଶ୍ଵାସନାର କଥା, ପାଦଟୀକାରେ ଅନ୍ତତଃ ‘ଦ୍ରାବିଡ଼ୋଡ୍ରଜାଃ’କୁ ପାଠାନ୍ତର ଭାବରେ ଗ୍ରହଣ କରିଛନ୍ତି । ଯାହା ମୂଳ ପାଠ ରୂପେ ସ୍ଥାନ ପାଇବା ଉଚିତ ।

 

ଏଥିରୁ ଅନୁମାନ ହୁଏ ‘ଉଡ୍ରଜା’ ଏକ ସ୍ୱତନ୍ତ୍ର ଦେଶଭାଷା ରୂପେ ପ୍ରସିଦ୍ଧି ଲାଭ କରିଥିଲା-। ଏହି ଭାଷା କଳିଙ୍ଗ ସମ୍ରାଟ ଖାରବେଳଙ୍କ ବେଳେ ଓଡ଼ିଶାରେ ପ୍ରଚଳିତ ଥିଲା । ପ୍ରଥମେ ବୋଧହୁଏ ଏହା ‘ମାଗଧୀ’ ସହିତ ସମାନ୍ତର ଭାବେ ସଂଯୁକ୍ତ ଥିଲା । ପରବର୍ତ୍ତୀ କାଳରେ ଉଭୟେ ସ୍ୱତନ୍ତ୍ର ସତ୍ତା ସହିତ ପରସ୍ପର ଠାରୁ ବିଚ୍ଚ୍ଥିନ୍ନ ହୋଇପଡ଼ିଲେ । ଖ୍ରୀ:ପୂ: ୬୦୦ରୁ ୨୦୦ ବର୍ଷ ମଧ୍ୟରେ ମାଗଧୀ ଭାଷାର ପ୍ରାଧାନ୍ୟ ଭାରତର ବିଭିନ୍ନ ପ୍ରାନ୍ତରେ ବଢ଼ିବାରେ ଲାଗିଥିଲା । ଏହାର କାରଣ ଥିଲା ବୌଦ୍ଧ ଧର୍ମର ଉତ୍‍ଥାନ ଓ ମଗଧ ରାଜାମାନଙ୍କ ସାମ୍ରାଜ୍ୟ ବିସ୍ତାର ପ୍ରବୃତ୍ତି । ଏହାଦ୍ଵାରା ମାଗଧୀ ଭାଷା ଯେପରି କ୍ରମବର୍ଦ୍ଧମାନ ଭାବେ ବିକଶିତ ହେବାକୁ ଲାଗିଲା ‘ଉଡ୍ରଜା’ ସେହିପରି ସଂକୁଚିତ ହୋଇପଡ଼ିଲା । ଏହାସତ୍ତ୍ଵେ ଏହାର ସ୍ଵାତନ୍ତ୍ର୍ୟ ଏକାବେଳେକେ ଲୋପ ପାଇନଥିଲା । ସେଥିଯୋଗୁଁ ନାଟ୍ୟଶାସ୍ତ୍ରରେ ସାତଟି ଦେଶଭାଷା ଯଥା–ମାଗଧୀ, ଅବନ୍ତୀଜା, ପ୍ରାଚ୍ୟା, ଶୌରସେନୀ, ଦାକ୍ଷିଣାତ୍ୟା, ବାହ୍ଲିକା ଓ ଅର୍ଦ୍ଧମାଗଧୀ ଯଦିଚ ସ୍ୱୀକୃତି ଲାଭ କରିଥିଲା ତଥାପି ସେଥିରୁ ଉଡ୍ରଜାକୁ ପରୋକ୍ଷ ଭାବେ ମାନ୍ୟତା ଦେବାରେ ଭରତମୁନି ଅବହେଳା କରି ନାହାନ୍ତି ।

 

ଏହି ପ୍ରସଙ୍ଗରେ ‘ଅର୍ଦ୍ଧମାଗଧୀ’ ଏକ ବିଚାରଣୀୟ ଶବ୍ଦ ବୋଲି ମନେହୁଏ । ଜୈନ ଶାସ୍ତ୍ର ଅନୁଯାୟୀ ଶ୍ରମଣ ଭଗବାନ ମହାବୀର ଅର୍ଦ୍ଧମାଗଧୀ ଭାଷାରେ ଧର୍ମୋପଦେଶ ଦେଉଥିଲେ ବୋଲି ଲେଖା ଅଛି । ତା ସଂଗେ ସଂଗେ ୟା ବି ଲେଖାଅଛି, ଅର୍ଦ୍ଧମାଗଧୀ ଭାଷା ବିଭିନ୍ନ ଆଂଚଳିକ ଉଚ୍ଚାରଣର ପରିବର୍ତ୍ତନ ମାଧ୍ୟମରେ ଆର୍ଯ୍ୟ ଓ ଅନାର୍ଯ୍ୟଙ୍କ କଥିତ ଭାଷା ରୂପେ ପରିଣତ ହୋଇଅଛି-। ସେତିକି ନୁହେଁ ଏହା ଆର୍ଯ୍ୟ-ଅନାର୍ଯ୍ୟାଦି ମନୁଷ୍ୟ ଗୋଷ୍ଠୀ ସମେତ ପଶୁ-ପକ୍ଷୀ-କୀଟ ପତଙ୍ଗାଦି ପ୍ରାଣୀଜଗତର ଭାଷା ବୋଲି ମଧ୍ୟ ଉକ୍ତ ଅଛି । ଏହାର ତାତ୍ପର୍ଯ୍ୟ ହେଲା–ମହାବୀର ଯେଉଁ ଭାଷାରେ ଧର୍ମପ୍ରଚାର କରୁଥିଲେ ତାହା ସର୍ବଜନ୍ତୁବୋଧ୍ୟ ଭାଷା ଏବଂ ତାହାରି ନାମ ‘ଅର୍ଦ୍ଧମାଗଧୀ’ ।

 

ଉପୋରକ୍ତ ଧାରଣାଟି ଧାର୍ମିକ ଦୃଷ୍ଟିକୋଣରୁ ଯେତେ ବିଶ୍ୱାସଯୋଗ୍ୟ ହେଲେ ସୁଦ୍ଧା ଭାଷାତାତ୍ତ୍ଵିକ ଦୃଷ୍ଟିରେ ସହଜଗ୍ରାହ୍ୟ ନୁହେଁ । କାରଣ ‘ଅର୍ଦ୍ଧମାଗଧୀ’ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ମାଗଧୀ । ଅର୍ଥାତ୍ ଏ ଭାଷାରେ ଶତକଡା ପଚାଶ ଭାଗ ଶବ୍ଦ ‘ମାଗଧୀ’ । ଆଉ ଅଧିକ ଯେ କଣ ତାର କୌଣସି ସୂଚନା ନାହିଁ । ଜୌନଧର୍ମୀମାନେ କହନ୍ତି-ମହାବୀର ପ୍ରଥମେ ମଗଧରୁ ଧର୍ମପ୍ରଚାର ଆରମ୍ଭ କରିଥିବାରୁ ଏହାକୁ ‘ମାଗଧୀ’ କହିବାର ଯଥାର୍ଥତା ରହିଛି । ପରେ ବିଭିନ୍ନ ସମସାମୟିକ ଆଂଚଳିକ ଭାଷାମାନଙ୍କର ସମନ୍ଵୟ ଯୋଗୁଁ ତାହା ପରିବର୍ତ୍ତିତ ହୋଇ ‘ଅର୍ଦ୍ଧମାଗଧୀ’ ଆଖ୍ୟା ଧାରଣ କରିଛି ।କିନ୍ତୁ ପୁଙ୍ଖାନୁପୁଙ୍ଖ ବିଚାର କଲେ ଏହା ନାମତଃ ଅର୍ଦ୍ଧମାଗଧୀ ହେଲେ ସୁଦ୍ଧା ମାଗଧୀ ଅପେକ୍ଷା ‘ମହାରାଷ୍ଟ୍ରୀ’ ପ୍ରାକୃତ ସହିତ ଏହାର ସଂପର୍କ ନିବିଡ଼ ବୋଲି ଜଣାପଡ଼େ । ଏହି କାରଣରୁ ପ୍ରଫେସର ଜାକୋବି ଏହାକୁ ‘ଅର୍ଦ୍ଧମାଗଧୀ’ ନ କହି ‘ଜୈନ ପ୍ରାକୃତ’ ବୋଲି ଅଭିହିତ କରିଛନ୍ତି । ଏଣେ ପ୍ରାକୃତ ବ୍ୟାକରଣକାର ଜୈନ ହେମଚନ୍ଦ୍ର ଜୈନ ଧର୍ମଗ୍ରନ୍ଥର ଭାଷାକୁ ‘ଆର୍ଷ’ ଆଖ୍ୟା ପ୍ରଦାନ କରିଛନ୍ତି । ତା ଛଡ଼ା ଏହାକୁ ମାଗଧୀୟ ବୋଲି କହିବା ମଧ୍ୟ ଦେଖା ନ ଯାଇଛି ନୁହେଁ ।

ଏସବୁ ବିଚାର କଲେ ମନେହୁଏ ଅର୍ଦ୍ଧମାଗଧୀ ମଗଧ ଛଡ଼ା ଅନ୍ୟ କୌଣସି ଏକ ଦେଶର ଭାଷା ହେବା ଅଧିକ ଯୁକ୍ତିଯୁକ୍ତ, କାରଣ ଭରତଙ୍କ ନାଟ୍ୟଶାସ୍ତ୍ରର ସାତଟି ଦେଶ ଭାଷା ମଧ୍ୟରେ ଅର୍ଦ୍ଧମାଗଧୀ ଏକତମ ।

ମାଗଧ୍ୟବନ୍ତିକା ପ୍ରାଚ୍ୟା ଶୌରସେନ୍ୟର୍ଦ୍ଧିମାଗଧୀ

ବାହ୍ଲୀକା ଦାକ୍ଷିଣାତ୍ୟାଚ ସପ୍ତଭାଷା ପ୍ରକୀର୍ତ୍ତିତାଃ ।

ଏଠାରେ ଅର୍ଦ୍ଧମାଗାଧୀ ଛଡ଼ା ଆଉ ଛ’ଟି ଦେଶ ଭାଷାର ଉଲ୍ଲେଖ ରହିଛି ଯାହା କୌଣସି ଦେଶର ନାମରେ ନାମିତ । ଯଥା-ମଗଧର ଭାଷା ମାଗଧୀ, ଅବନ୍ତୀର ଅବନ୍ତୀଜା, ପ୍ର୍ୟଚ୍ୟ ଦେଶର ଭାଷା ପ୍ରାଚ୍ୟା, ଶୂରସେନର ଶୌରସେନୀ, ବହ୍ଲିକର ବହ୍ଲିକା ଏବଂ ଦକ୍ଷିଣର ଦାକ୍ଷିଣାତ୍ୟା । ତା’ହେଲେ ଅର୍ଦ୍ଧମାଗଧୀ କେଉଁ ଦେଶର ଭାଷା ମାର୍କଣ୍ତେୟଙ୍କ ମତରେ ମାଗଧୀ କେବଳ ଶୌରସେନୀ ମ୍ରିଶ୍ରିତ ହୋଇ ଅର୍ଦ୍ଧମାଗଧୀ ଆଖ୍ୟା ଧାରଣ କରିଛି । ତାଙ୍କ ଭାଷାରେ ‘ଶୌରସେନ୍ୟା’ ଅଦୂରତ୍ୱାତ୍ ଇୟମେବାର୍ଦ୍ଧମାଗଧୀ । ତେଣୁ ମନେହୁଏ ଭାଷା ନିର୍ଦ୍ଦେଶ ପ୍ରକରଣରେ ସନ୍ନିବିଷ୍ଟ ‘ଅର୍ଦ୍ଧମାଗଧୀ’ ଶବ୍ଦଟି ଓଡ୍ର ମାଗଧୀ ଛଡ଼ା ଅନ୍ୟ କିଛି ନୁହେଁ । ପ୍ରମାଦବଶତଃ ତାହା ‘ଉଡ୍ର’ ସାନ୍ଥରେ ‘ଅର୍ଦ୍ଧ’ ହୋଇ ପଡ଼ିଥିବା ସମ୍ଭବ । ଏପରି କହିବାର କାରଣ ହେଉଛି ୧–ନାଟ୍ୟଶାସ୍ତ୍ରରେ ଉଡ୍ର-ମାଗଧୀ ଶବ୍ଦର ବହୁଳ ପ୍ରୟୋଗ ରହିଛି । ୨–ବିଭିନ୍ନ ଦେଶର ନାମୋଲ୍ଲେଖ କାଳରେ ‘ଉଡ୍ର ମାଗଧୀ’ର ମଧ୍ୟ ଉଲ୍ଲେଖ ଅଛି । ୩–ପ୍ରବୃତ୍ତି ପ୍ରକରଣରେ ‘ଉଡ୍ର ମାଗଧୀ’ ନାମକ ଏକ ବହୁଦେଶାଦୃତ ପ୍ରବୃତ୍ତିର ବର୍ଣ୍ଣନା ଅଛି । ୪–ଶବ୍ଦାର୍ଥ ଦୃଷ୍ଟିରୁ ମଧ୍ୟ ଏହା ଉଡ୍ର ଏବଂ ମଗଧର ପରସ୍ପର ସଂଲଗ୍ନ କୌଣସି ଏକକ ଭୂଖଣ୍ତ ବୋଲି ଜଣାପଡ଼େ । ୫–‘ଅର୍ଦ୍ଧମାଗଧୀ’ ପରିବର୍ତ୍ତେ ‘ଉଡ୍ର ମାଗଧୀ’ ପାଠଦ୍ଵାରା ଶ୍ଳୋକରଚନାର ବୃତ୍ତଭଙ୍ଗ ଆଶଙ୍କା ମଧ୍ୟ ନାହିଁ । ୬–ମଗଧ, ଅବନ୍ତୀ, ପ୍ରାଚ୍ୟ, ସୂରସେନ, ବାହ୍ମିକ, ଓ ଦାକ୍ଷିଣାତ୍ୟ ସହିତ ‘ଓଡ୍ର ମାଗଧ’ କହିଦେଲେ ସମସାମୟିକ ଭାରତବର୍ଷ ଆଉ କୌଣସି ଦେଶଭାଷା ଗଣନାକୁ ନ ଆସି ରହେନାହିଁ । ଏଣୁ ମୂଳ ପାଠଟି ‘ଅର୍ଦ୍ଧମାଗଧୀ’ ପରିବର୍ତ୍ତେ ‘ଉଡ୍ର ମାଗଧୀ’ ହୋଇଥିବା ଅଧିକ ସମ୍ଭବ । ପାଠୋଦ୍ଧାରକାଳୀନ ଭ୍ରାନ୍ତି ବା ମୁଦ୍ରାଦୋଷ ହେତୁ ତହା ଅର୍ଦ୍ଧ ମାଗଧୀ ହୋଇପଡ଼ିଛି । ତା ଯଦି ନ ହୁଏ ତେବେ ସେକାଳ ଭାରତବର୍ଷ ବହୁ ଦେଶଭାଷା ଗଣନା ପରିସର ମଧ୍ୟକୁ ଆସିପାରିବେ ନାହିଁ । ଅର୍ଥାତ୍ ଅଙ୍ଗ,ବଙ୍ଗ, କଳିଙ୍ଗ, କମ୍ ପୌଣ୍ତ୍ର, ନେପାଳକ, ଅନ୍ତଗିରି, ବହିଗିରି, ପ୍ଳବଙ୍ଗ, ମାହେନ୍ଦ୍ର, ମଳଦ, ଆମଳ, ବର୍ତ୍ତକ, ଭାର୍ଗବ, ମାର୍ଗବ, ପ୍ରାଗ୍ ଜ୍ୟୋତିଷ, ପୁଳିନ୍ଦ, ବୈଦେହ, ପ୍ରାଙ୍ଗ ପ୍ରଭୃତି ଦେଶଭାଷା ଗୁଡ଼ିକ ଅନୁଲ୍ଲେଖ୍ୟ ରହିଯିବ । ଫଳରେ ଦେଶଭାଷା ବିଭାଗଟି ପୂର୍ଣ୍ଣ ହୋଇପାରିବ ନାହିଁ । ଭରତଙ୍କ ଭଳି ଶାସ୍ତ୍ରକର୍ତ୍ତାଙ୍କ ଲେଖନୀରୁ ଏପରି ଅସଂପୂର୍ଣ୍ଣ ଦେଶଭାଷା –ବିଭାଗ କଦାପି ଆଶା କରାଯାଇନପାରେ । କିନ୍ତୁ ‘ଅର୍ଦ୍ଧମାଗଧୀ’ ବଳଦରେ ‘ଉଡ୍ରାମାଗଧୀ’ ପାଠ ଧରିନେଲେ ଉପରୋକ୍ତ ଦୋଷ ଆଦୌ ରହିବ ନାହିଁ-। କାରଣ ‘ଉଡ୍ର ମାଗଧୀ’ ଶବ୍ଦଦ୍ୱାରା ଉପରୋକ୍ତ ସମସ୍ତ ଦେଶର ନାମ ଆପେ ଆପେ ପରିସରଭୁକ୍ତ ହୋଇପଡ଼ିବ । ଯେହେତୁ ପ୍ରବୃତ୍ତି ବିଧାନ ପ୍ରକରଣରେ ସେ ସବୁ ଦେଶ ପାଇଁ ଏକମାତ୍ର ‘ଉଡ୍ର ମାଗଧୀ’ ପ୍ରବୃତ୍ତି ନିର୍ଦ୍ଧିଷ୍ଟ ।

ପୁନଶ୍ଚ ପ୍ରବୃତ୍ତି ମଧ୍ୟରେ ଭାଷା ବି ଅନ୍ତର୍ଭୁକ୍ତ ବୋଲି ଉକ୍ତ ଅଛି । ‘‘ଅତ୍ରାହ-ପ୍ରବୃତ୍ତିରିତି ବସ୍ମାଦିତ ? ଉଚ୍ୟତେ-ପୃଥିବ୍ୟାଂ ନାନାଦେଶବେଶଭାଷାଚାର ବାର୍ତ୍ତାଃ ପ୍ରଖ୍ୟାପୟନ୍ତୀତି ପ୍ରବୃତ୍ତିଃ’’–ଏହାର ଅର୍ଥ ହେଲା ବିଭିନ୍ନ ଦେଶର ବିଭିନ୍ନ ବିଶ, ବିଭିନ୍ନ ଭାଷା, ବିଭିନ୍ନ ଆଚାରକୁ ଯେ ପ୍ରକାଶିତ କରେ ତା’ର ନାମ ପ୍ରବୃତ୍ତି । ଏଥିରୁ ପ୍ରମାଣିତ ହୁଏ ‘ଉଡ୍ର ମାଗଧୀ’ ପ୍ରବୃତ୍ତି ଅଙ୍ଗବଙ୍ଗାଦି ଦେଶର ବେଶ, ଭୂଷା, ଭାଷା ଆଚାର ବ୍ୟବହାରାଦିର ଏକମାତ୍ର ପ୍ରତିନିଧି ଥିଲା ।

ଆଉ ଏକ ଦିଗରୁ ବିଚାର କଲେ ମଧ୍ୟ ଏ କଥାର ସତ୍ୟତା ହୃଦୟଙ୍ଗମ କରିହୁଏ । ‘ନାଟ୍ୟଶାସ୍ତ୍ରୋକ୍ତ’ ‘ଅର୍ଦ୍ଧମାଗଧୀ’ ଶବ୍ଦ ଜୈନଶାସ୍ତ୍ର-ପ୍ରଯୁକ୍ତ ‘ଅର୍ଦ୍ଧମାଗଧୀ’ ଠାରୁ ସଂପୂର୍ଣ୍ଣ ଭିନ୍ନ । ଜୈନ ଗ୍ରନ୍ଥରେ ଉକ୍ତ ଅଛି, ଜୈନଗୁରୁ ଭଗବାନ ମହାବୀର ‘ଅର୍ଦ୍ଧମାଗଧୀ’ ଭାଷାରେ ଧର୍ମ ଉପଦେଶ ପ୍ରଦାନ କରିଥିଲେ । ଏଥିରୁ ଜଣାପଡ଼େ ଏହା ଜୈନ ସଂପ୍ରଦାୟର ଶ୍ରମଣ, ଭିକ୍ଷୁ, ତପସ୍ଵୀ, ଚକ୍ରଚର, ପ୍ରଭୃତିଙ୍କ ଭାଷାଥିଲା । କିନ୍ତୁ ନାଟ୍ୟଶାସ୍ତ୍ରର ନାଟକୀୟ ଭାଷା ପ୍ରୟୋଜନରେ ଶ୍ରମଣାଦିଙ୍କ ମୁହଁରେ ଅର୍ଦ୍ଧମାଗଧୀ ଭାଷାର ପ୍ରୟୋଗ ସକାଶେ ନିର୍ଦ୍ଦେଶ ନାହିଁ । ବରଂ ତାଙ୍କ ମୁହଁରେ ‘ପ୍ରାକୃତ’ ଭାଷା ଦେବା ସକାଶେ କୁହାଯାଇଛି ।

ବ୍ୟାଜଲିଙ୍ଗ ପ୍ରତିଷ୍ଠାନାଂ ଶ୍ରମଣାନାଂ ତପସ୍ଵିନାଂ

ଭିକ୍ଷୁ ଚକ୍ରଚରାଣାଂଚ ପ୍ରାକୃତଂ ସଂପ୍ରଯୋଜୟେତ୍

 

ଅଥଚ ଯେଉଁମାନଙ୍କ ମୁହଁରେ ଅର୍ଦ୍ଧମାଗଧୀ ଭାଷା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ହେଲେ ଚେଟ, ଶ୍ରେଷ୍ଠୀ, ରାଜପୁତ୍ର ପ୍ରଭୃତି । ‘ଚେଟାନାଂ ରାଜପୁତ୍ରାଣାଂ ଶ୍ରେଷ୍ଠିନାଂ ଚାର୍ଦ୍ଧମାଗଧୀ’ । ଏ ଅର୍ଦ୍ଧମାଗଧୀ ଯଦି ଜୈନଶାସ୍ତ୍ରୀୟ ଅର୍ଦ୍ଧମାଗଧୀର ସମାର୍ଥବାଚୀ ହୋଇଥାଆନ୍ତା ତେବେ ଶ୍ରବଣ ଓ ଭିକ୍ଷୁଙ୍କ ମୁହଁରେ ତାହା ପ୍ରକାଶ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥାଆନ୍ତା । ନାଟ୍ୟଶାସ୍ତ୍ରୋକ୍ତ ଅର୍ଦ୍ଧମାଗଧୀ ତେଣୁ ଜୈନଗ୍ରନ୍ଥୋକ୍ତ ଅର୍ଦ୍ଧମାଗଧୀ ନୁହେଁ । ଅତଏବ ନିଶ୍ଚିତ ମନେହୁଏ ନାଟ୍ୟଶାସ୍ତ୍ରରେ ମୁଦ୍ରିତ ଅର୍ଦ୍ଧମାଗଧୀ ଉଡ୍ରମାଗଧୀର ଭ୍ରାନ୍ତ ପାଠ । ଏହା ଜାଣି ବୋଧହୁଏ ମାର୍କଣ୍ତେୟ କହିଛନ୍ତି ମାଗଧୀର ଅନ୍ୟନାମ ହିଁ ଅର୍ଦ୍ଧମାଗଧୀ । ‘‘ଶୌରସେନ୍ୟା ଅଦୂରବାତ୍ ଇୟମେବାର୍ଦ୍ଧମାଗଧୀ ।’’

 

ଭରତଙ୍କ ବେଳକୁ ଉଡ୍ର ଭାରତ ବର୍ଷରେ ଏକ ପ୍ରସିଦ୍ଧ ଦେଶ ରୂପେ ଖ୍ୟାତି ଲାଭ କରିଥିଲା । ଗୌରବ ଓ ମର୍ଯ୍ୟାଦା କ୍ଷେତ୍ରରେ ମଗଧ ସହିତ ଭାରସାମ୍ୟ ରଖି ଚଳୁଥିଲା । ନାଟ୍ୟଶାସ୍ତ୍ର ଭୂମିକାରେ ଲେଖକ ଶ୍ରୀଯୁକ୍ତ ମନମୋହନ ଘୋଷ ଲେଖିଛନ୍ତି–it is almost certain that the name ‘Odra’ was older and enjoeyd a great prestige for this reason shared the honour with Magadha in giving a name to the eastern style of procedure (prabrithl) which was called Odra–Magadhi ସେହି କାରଣରୁ ମନେହୁଏ ଯୁଦ୍ଧପିପାସୁ ମଗଧ ସମ୍ରାଟ ଅଶୋକ କଳିଙ୍ଗ ଜୟ କଲାପରେ ଧଉଳି ଓ ଜଉଗଡ଼ ଅନୁଶାସନ ଉଡ୍ର-ମାଗଧୀ ଭାଷାରେ ଖୋଦିତ କରାଇଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଲୋକ ସମାଜ ପାଇଁ ଉଦ୍ଦିଷ୍ଟ ଅନୁଶାସନ ଦେଶୀୟ ଭାଷାରେ ହିଁ ଲେଖା ହେବା ଉଚିତ । ଅନ୍ୟାଥା ଲକ୍ଷ୍ୟ ହାସଲ ହେବା ସମ୍ଭାବନା କମ୍ । ଏଣୁ ସେକାଳ ପ୍ରସିଦ୍ଧ ଉଡ୍ର ମାଗଧୀ ଭାଷା ଶୈଳୀରେ ଓଡ଼ିଶାର ଅନୁଶାସନମାନ ଖୋଦିତ ଥିବା ଜଣାପଡ଼େ ।

 

ଭାଷାତାତ୍ତ୍ୱିକ ଦୃକ୍ଷ୍ଟିରୁ ବିଚାର କଲେ ମଧ୍ୟ ସେଇୟା ମନେହୁଏ । ଅଶୋକଙ୍କ ଦ୍ୱାରା ଲିଖିତ ଭାରତର ବିଭିନ୍ନ ପ୍ରାନ୍ତରେ ଯଥା–ଜର୍‍ନାର୍, କାଲ୍‍ସି, ସାହାବଜ୍‍ଗଡ଼ି, ମାନ୍‍ସର୍ ପ୍ରଭୃତି ଶିଳାଲେଖର ଭାଷାଶୈଳୀ ସହିତ ଜଉଗଡ଼ ଓ ଧଉଳିର ଭାଷାକୁ ତୁଳନା କଲେ ଏହା ବହୁ ଭାବରେ ଭିନ୍ନ ଜଣାପଡ଼େ । ଏହାର ବିସ୍ତୃତ ଆଲୋଚନା ‘ଉଡ୍ରଜା ପ୍ରାକୃତ’ ଗ୍ରନ୍ଥରେ ଲିପିବଦ୍ଧ ଅଛି । ଏଠାରେ ତାହାର ସଂକ୍ଷିପ୍ତ ନିର୍ଯ୍ୟାସ ମାତ୍ର କୁହାଗଲା ।

 

ତା ଛଡ଼ା ପରସ୍ପରସଂଲଗ୍ନ ତୋଷଳି ବା ଧଉଳି ଓ ସମାପ ବା ଜଉଗଡ଼ ଦୁଇଟି ଅନୁଶାସନର ଭାଷାରେ ମଧ୍ୟ କେତେକ ଆଂଚଳିକ ବୈଶିଷ୍ଟ୍ୟ ପରିଲକ୍ଷିତ । ଏହା ପ୍ରାଦେଶିକ ଭାଷାର ଆଂଚଳିକ ବୈଷମ୍ୟର କେତେକ ସୂଚନା ଦେଉଥିଲେ ସୁଦ୍ଧା ଉଭୟ ଶିଳାଲେଖର ଭାଷା ଅଭିନ୍ନ ଏଥିରେ ସନ୍ଦେହ ନାହିଁ । ଦୁଇଟି ଯାକ ‘ଉଡ୍ର ମାଗଧୀ’ ।

 

ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାପଡ଼େ, ଅଶୋକଙ୍କର କଳିଙ୍ଗ ଆକ୍ରମଣ ପର୍ଯ୍ୟନ୍ତ ଉଡ୍ର ଓ ମଗଧ ଉଭୟ ରାଜ୍ୟର ବେଶ, ଭୂଷା, ଆଚାର, ବିଚାର, କଥା, ଭାଷା, ସବୁ ପ୍ରାୟ ସମାନ ପ୍ରକୃତିର ଥିଲା । ଦୁହିଁଙ୍କ ମର୍ଯ୍ୟାଦା, ପ୍ରତିପତ୍ତି, ପ୍ରତିଷ୍ଠା ମଧ୍ୟ ସମାନ ସ୍ତରର ଥିଲା । ଉଭୟ ରାଜ୍ୟ ଆପଣା ମଧ୍ୟରେ ବନ୍ଧୁତା ସ୍ଥାପନ କରି ସୁଖଶାନ୍ତିରେ ରହି ଅତୀବ ବନଶାଳୀ ହୋଇ ଉଠିଥିଲେ । ସେତେବେଳକୁ କଳିଙ୍ଗ ଯୋଦ୍ଧାଙ୍କ ସାହସ ଓ ବିକ୍ରମ ପୃଥିବୀ ବିଖ୍ୟାତ ଥିଲା । ଏହି କାରଣରୁ ବୋଧହୁଏ ଅଶୋକଙ୍କ ପିତାମହ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗ୍ତପ୍ତ ସମଗ୍ର ଭାରତବର୍ଷକୁ ଜୟ କରିଥିଲେ ସୁଦ୍ଧା କଳିଙ୍ଗର ସୀମା ସ୍ପର୍ଶ କରିନଥିଲେ । ସେଥିଦ୍ୱାରା ତାଙ୍କର ରାଜନୈତିକ ବିଚକ୍ଷଣତା ଯେତିକି ପ୍ରକଟିତ ହୋଇଥିଲା ସାମ୍ରାଜ୍ୟ ଶାସନ ସେତିକି ନିଷ୍କଣ୍ଟକ ଥିଲା । କିନ୍ତୁ କଳିଙ୍ଗ ଦେଶ ଅପେକ୍ଷା ମଗଧ ଅଧିକ ଶକ୍ତିଶାଳୀ ଓ ସାହସସଂପନ୍ନ ବୋଲି ଦର୍ଶାଇବା ଉଦ୍ଦେଶ୍ୟରେ ହେଉ କିମ୍ଵା ଉଡ଼୍ର-କଳିଙ୍ଗର ପ୍ରତିଷ୍ଠା ସହ୍ୟ କରି ନପାରିବା ହେଉ ଅଥବା ଏକାଙ୍ଗଚକ୍ରବର୍ତ୍ତୀ ରୂପେ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ହେଉ ଅଥବା ଅମିତ-ସୌଭାଗ୍ୟ-ସଂପନ୍ନ କଳିଙ୍ଗର ଧନସଂପତ୍ତି ଲୋଭରେ ହେଉ ତାଙ୍କ ନାତି ଅଶୋକ ରାଜ୍ୟାଭିଷେକର ଅଷ୍ଟମ ବର୍ଷରେ ହିଁ କଳିଙ୍ଗ ଉପରେ ଅକସ୍ମାତ୍ ଆକ୍ରମଣ ଆରମ୍ଭ କରିଦିଅନ୍ତି । ଉଦ୍ଦେଶ୍ୟ-କଳିଙ୍ଗକୁ ପରାଜିତ କରିପାରିଲେ ମଗଧର ପ୍ରତିପତ୍ତି ବିଶ୍ଵବିଶ୍ରୁତ ହୋଇ ଉଠିବ । କିନ୍ତୁ କଳିଙ୍ଗସେନା ସେଥିରେ ଆଦୌ ବିଚଳିତ ନ ହୋଇ ମାତୃଭୂମିର ସ୍ଵାଧୀନତା ରକ୍ଷା କରିବା ସକାଶେ ଅଭୂତପୂର୍ବ ସାହସର ସହିତ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୁଅନ୍ତି । ଦୀର୍ଘ ଦୁଇବର୍ଷ ଯାଏ ପ୍ରଚଣ୍ତ ସଂଗ୍ରାମ ଲାଗିରହେ । ଅଗଣିତ ଯୋଦ୍ଧାଙ୍କର ପ୍ରାଣକ୍ଷୟ ଘଟେ । କୁହାଯାଇଛି, ସେହି ଯୁଦ୍ଧରେ ଏକା କଳିଙ୍ଗର ଲକ୍ଷେ ଯୋଦ୍ଧାଙ୍କୁ ହତ୍ୟା କରାଗଲା । ଦେଢ଼ ଲକ୍ଷ ବନ୍ଦୀ ହେଲେ ଏବଂ ତାହାର ଦୁଇଗୁଣ ଲୋକ ମୃତ୍ୟୁବରଣ କଲେ । ଏ ଗଣନାରେ ପୁଣି ମଗଧ ସେନାଙ୍କ ହତାହତ ସଂଖ୍ୟା ଅନ୍ତର୍ଭୁକ୍ତ ନୁହେଁ । ସେହି ଭୟାବହ ରଣଯଜ୍ଞ ପରେ ଅଶୋକ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଆକ୍ରାନ୍ତ ଦେଶର ନରନାରୀଙ୍କୁ ଆଶ୍ଵାସନା ଦେବାପାଇଁ ଉପଦେଶବାଣୀ ଶୁଣାଇଛନ୍ତି । ଏହାହିଁ ହେଉଛି ଅଶୋକଙ୍କ ଅନୁଶାସନ ।

 

ଅଶୋକଙ୍କ ପରେ ମଗଧର ଅବସ୍ଥା କଣ ହେଲା ଜଣାନପଡ଼ିଲେ ସୁଦ୍ଧା ତାଙ୍କ ନାତି ‘ସଂପ୍ରତି’ ଜଣେ ଜୈନ ଧର୍ମାବଲମ୍ବୀ ଦୁର୍ବଳ ରାଜା ଥିଲେ ବୋଲି ଇତିହାସ କହେ । ଏହାଙ୍କ ସମୟରେ ବୋଧହୁଏ କଳିଙ୍ଗବାସୀ ଆପଣାକୁ ସ୍ଵାଧୀନ ବୋଲି ଘୋଷଣା କରିଥିଲେ । ଖାଲି ସେତିକି ନୁହିଁ, କଳିଙ୍ଗ ଉପରେ ମଗଧର ନିଷ୍କାରଣ ଆକ୍ରମଣ ଓ ତଜ୍ଜନିତ ମାନହାନିକର ପରାଜୟ. ହେତୁ ଦେଶବାସୀ ଏତେଦୂର ଉତ୍‍କ୍ଷିପ୍ତ ହୋଇପଡ଼ିଥିଲେ ଯା’ର ପ୍ରତିଶୋଧ ନେବା ସକାଶେ ସର୍ବଦା ସୁଯୋଗ ଅପେକ୍ଷାରେ ରହିଥିଲେ । ଏହାର କିଛିକାଳ ପରେ ଯୋଗକୁ ଐରରାଜା ମହାମେଘବାହନଙ୍କର ଆବିର୍ଭାବ ହୁଏ ।

 

ଏହାଙ୍କ ରାଜତ୍ଵ କାଳରେ କଳିଙ୍ଗବାସୀ ପୂର୍ବ ପରାଜୟର ପ୍ରତିଶୋଧ ନେବା ମନସ୍ଥ କରନ୍ତି । କହିବା ବାହୁଲ୍ୟ ଅଶୋକଙ୍କ ଆକ୍ରମଣ ପରେ କଳିଙ୍ଗବାସୀ ମଗଧ ସହିତ ଥିବା ସମସ୍ତ ସଂପର୍କ ଛିନ୍ନ କରିଦେଲେ । ସାଂସ୍କୃତିକ, ସାମାଜିକ, ଧାର୍ମିକ, ପ୍ରଭୃତି କୌଣସି ସମ୍ବନ୍ଧ ରଖିନଥିଲେ-। ତାଙ୍କ ଭାଷା ସଂସ୍କୃତି, ଆଚାର ବ୍ୟବହାର ସବୁକୁ ଘୃଣା ଦୃଷ୍ଟିରେ ଦେଖିବାକୁ ଲାଗିଲେ । ପରାଜିତ ହୋଇ ସୁଦ୍ଧା ପରାଜୟ ମାନିବାକୁ ପ୍ରସ୍ତୁତ ନଥିଲେ । ଯୁଦ୍ଧ ପୂର୍ବରୁ ଯେଉଁ ଭାଷା ଉଡ୍ରମାଗଧୀ ରୂପେ ଦେଶରେ ପ୍ରଚଳିତ ଥିଲା ତାହା ଯୁଦ୍ଧ ଶେଷରେ ସେଥିରୁ ବିଛିନ୍ନ ହୋଇ ରୂପାନ୍ତରିତ ହୋଇପଡ଼ିଲା-। ସର୍ବତୋଭାବେ ମାଗଧୀକୁ ପରିତ୍ୟାଗ କରିବା ହେତୁ ଯେଉଁ ଶାବ୍ଦିକ ଅଭାବ ଦେଖାଗଲା, ମନେହୁଏ ତାର ସ୍ଥାନ ପୂରଣ ସକାଶେ ସଂସ୍କୃତ ଏବଂ ଶୌରସେନୀ ପ୍ରାକୃତର ଆଶ୍ରୟ ନିଆଗଲା । ଦେଶଜ ଶବ୍ଦ ସହିତ ଉକ୍ତ ଭାଷାର ସଂଯୋଗ ଘଟାଇ ଆଂଚଳିକ ଶାବରୀ ଭାଷା ମଧ୍ୟରେ ତାହା ସମ୍ମିଳିତ କରାଗଲା । ଫଳରେ ଛେନା-ନବାତ-କ୍ଷୀର ମିଶ୍ରଣରେ ‘କ୍ଷୀରା’ ପ୍ରସ୍ତୁତ ହେଲାପରେ ‘ଉଡ୍ରୀ’ ଭାଷା ସୃଷ୍ଟି ହୋଇପଡ଼ିଲା । ଅର୍ଥାତ୍ ଶୌରସେନୀ ଓ ଦେଶୀ ଶବ୍ଦାବଳୀ ସ୍ଥାନୀୟ ଶବର ଗୋଷ୍ଠୀର ଭାଷା ମଧ୍ୟରେ ସଂଯୁକ୍ତ ହୋଇ ଔଡ୍ରୀ ଭାବରେ ଆତ୍ମପ୍ରକାଶ କଲା । ଏଣୁ ଏହାର ଲକ୍ଷଣ ନିର୍ଦ୍ଦେଶ କରିବାକୁ ଯାଇ ଷୋଡ଼ଶ ଶତାବ୍ଦୀର ପୁରୀ କପିଳେଶ୍ଵରପୁର ଶାସନ ନିବାସୀ ମାର୍କଣ୍ତେୟ ମିଶ୍ର କହିଛନ୍ତି–

 

‘‘ଶାବର୍ଯାମେବୌଡ୍ରୀ ଯୋପାତ୍ତଦ୍ଦେଶ୍ୟ ସୈରସେନ୍ୟାଦେଃ’’

 

ଅର୍ଥାତ୍ ଶାବରୀ ଭାଷାରେ ଦେଶ୍ୟ ଏବଂ ଶୌରସେନ୍ୟାଦି ପ୍ରାକୃତର ଶବ୍ଦ ଯୋଗରେ ‘ଉଡ୍ରୀ’ ଭାଷା ଉତ୍ପନ୍ନ । ଏହାହିଁ ବୋଧହୁଏ ନାଟ୍ୟଶାସ୍ତ୍ରରେ ‘ଉଡ୍ରଜା’ ନାମରେ ଅଭିହିତ ଯାହା ଖାରବେଳକାଳୀନ କଳିଙ୍ଗର ଲୋକଭାଷା ଥିଲା । ତେଣୁ କଳିଙ୍ଗପତି ଖାରବେଳ ସେହି ଭାଷରେ ତାଙ୍କ ଜୀବନବାର୍ତ୍ତା ହାତୀଗୁମ୍ପାର ବିରାଟ ଶିଳାଦେହରେ ଉତ୍କୀର୍ଣ୍ଣ କରି ଯାଇଛନ୍ତି ।

 

କିନ୍ତୁ ଖାରବେଳଙ୍କ ଶିଳାଲିପିର ଭାଷା ସମ୍ଵନ୍ଧରେ କହିବାକୁ ଯାଇ କେତେକ ପାଶ୍ଚାତ୍ୟ ସମାଲୋଚକ ତାହା ‘ପାଲି’ ବୋଲି ମତପୋଷଣ କରନ୍ତି । ସେ ମତକୁ ବହୁ ପଣ୍ତିତ ସମର୍ଥନ ମଧ୍ୟ କରନ୍ତି । ମାତ୍ର ଏକଥା ନିଶ୍ଚିତ ଯେ ପୂର୍ବରେ ପାଲି ନାମରେ କୌଣସି ଭାଷା ନଥିଲା । ଏହା ପଶ୍ଚିମର ଉଦ୍ଭାବନ । ଯା’ହେଉ ଏପର୍ଯ୍ୟନ୍ତ ଏହା ସର୍ବସମ୍ମତ ହୋଇପାରି ନାହିଁ । ପ୍ରଫେସର ଓଲ୍‍ଡେନବର୍ଗ ଓ ମ୍ୟାକ୍‍ସମୁଲ୍ଲାର ସାହେବ ଏହାକୁ ପୂରାପୂରି କଳିଙ୍ଗର ଭାଷା ବୋଲି ସ୍ଵୀକାର କରନ୍ତି । ଓଲ୍‍ଡେନବର୍ଗ ଏହି ଶିଳାଲେଖର ଭାଷା ସହିତ ପାଲି ଭାଷାର ତୁଳନାତ୍ମକ ବିଚାର କରି କହନ୍ତି ଯେ- ଉଭୟ ଭାଷା ଅର୍ଥାତ୍ କଳିଙ୍ଗର ଭାଷା ଓ ବୌଦ୍ଧ ତ୍ରିପିଟିକର ଭାଷା ମଧ୍ୟରେ ଆଦୌ ପ୍ରଭେଦ ନାହିଁ । ମୁହ୍ଲେର ସାହେବ ମଧ୍ୟ ଏହି ମତକୁ ସମର୍ଥନ କରନ୍ତି । ଓଲ୍‍ଡେନବର୍ଗଙ୍କ ମତରେ ବର୍ତ୍ତମାନ ଉପଲବ୍ଧ ‘ତ୍ରିପଟିକ’ ମୂଳ ତ୍ରିପିଟକ ନୁହେଁ । ଏହା ତାହାର ଏକ ସଂସ୍କରଣ ମାତ୍ର । ମୂଳ ତ୍ରିପିଟକଟି ବୋଧହୁଏ ତତ୍କାଳୀନ କଳିଙ୍ଗର ପ୍ରଚଳିତ ଭାଷାରେ ଲେଖା ହୋଇଥିଲା । ଯାହାକୁ ଆମେ ପାଲି ଭାଷା କହୁଛେ । ଆଉ କେତେଜଣଙ୍କ ଅନୁମାନ ଭୁବନେଶ୍ଵର ମନ୍ଦିର ଗାତ୍ରରେ ଖଣ୍ତିତ ତଥା ଅସ୍ପଷ୍ଟ ଅକ୍ଷରରେ ତତ୍କାଳୀନ କଳିଙ୍ଗର ଭାଷା ଖୋଦିତ ରହିଛି । ସେ ଅକ୍ଷରଗୁଡ଼ିକ ବ୍ରାହ୍ମୀଲିପି ବୋଲି ଚିହ୍ନିତ । ବ୍ରାହ୍ମୀଲିପି ଆଂଚଳିକ ଭାଷାରେ ଖୋଦିତ ହେବା କଳିଙ୍ଗରେ ଆକସ୍ମିକ ନୁହିଁ । ହୁଏନ୍‍ସାଂ ମଧ୍ୟ ଅନୁରୂପ ମତ ପ୍ରକାଶ କରିଥିବା ଜଣାଯାଏ । ସେ କହନ୍ତି–‘‘The people of (Kung-you-to=[Valorous]Kongada) were tall and valorous and black complexioned having some sense of propriety and not very deceitful. Their written language was the same that of india, but their ways of speaking were different’’ ଏ ସବୁରୁ ସ୍ଥିର କରାଯାଇପାରେ, ପ୍ରାଚୀନ ଓଡ଼ିଶାରେ ଯେଉଁ ଭାଷା ପ୍ରଚଳିତ ଥିଲା ତାହା ଭାରତର ଅନ୍ୟାନ୍ୟ ପ୍ରାନ୍ତର ଭାଷା ସହିତ ସାମଞ୍ଜସ୍ୟ ରକ୍ଷା କରିଥିଲେ ମଧ୍ୟ ଏହାର ସ୍ଵାତନ୍ତ୍ର୍ୟ ବରାବର ରହିଥିଲା ଯାହାକୁ ଓଡ୍ରୀ ବୋଲି ଅନାୟାସରେ କୁହାଯାଇପାରେ । ସେହି ଭାଷା ହିଁ କ୍ରମବିକାଶିତ ହୋଇ ଆଜି ଓଡ଼ିଶାର ଭାଷା ରୂପେ ପ୍ରତିଷ୍ଠା ଲାଭ କରିଛି ଯାହାର ନାମ- ଓଡ଼ିଆ ଭାଷା ।

 

ଓଡ଼ିଆ ଭାଷାର ସ୍ଵରୂପ ବିଶ୍ଳେଷଣ କଲେ ଏହାର ସତ୍ୟତା ଜଣାପଡ଼େ । ଓଡ଼ିଆରେ ତତ୍ସମ, ତଦ୍‍ଭବ, ଅନ୍ୟାଗତ ଓ ଦେଶ୍ୟ ଭାବେ ଚାରି ପ୍ରକାର ଶବ୍ଦ ଗୁଂଫିତ ଥିବା ଜଣାପଡ଼େ । ଯାହାର ଉଚ୍ଚାରଣ ସଂସ୍କୃତ ଭାଷା ସହିତ ସମାନ ତାହାକୁ ‘ତତ୍ସମ’ କୁହାଯାଏ, ଯଥା–ମସ୍ତକ, ହସ୍ତ, ମାତା, ନାଭି, ଗୃହ, ନାରୀ, ପ୍ରଭୃତି । ଯେଉଁଗୁଡ଼ିକ ସଂସ୍କୃତ ଶବ୍ଦରୁ ଅପଭ୍ରଷ୍ଟ ତାହା ‘ତଦ୍ଭବ’ ନାମରେ ଅଭିହିତ, ଯଥା–କାନ, ହାତ, ଭଉଣୀ, ପଛ ଇତ୍ୟାଦି । ଆଉ ଯେଉଁ ଗୁଡ଼ିକ ଅନ୍ୟଭାଷାରୁ ଆଗତ ତାହା ‘ଅନ୍ୟାଗତ’ ଭାବେ ଚିହ୍ନିତ, ଯଥା–କଲେଜ୍, ସର୍ଭିସ୍, ଦଲିଲ୍, ଦସ୍ତାବିଜ୍, ଦିଦି, କ୍ଲିନିକ୍, ପ୍ରଭୃତି-। ଆଉ ଯାହା ଅବଶିଷ୍ଟ ତାହା ‘ଦେଶ୍ୟ’ ନାମରେ ନାମିତ । ଏଇଠି ପ୍ରଶ୍ନ ଉଠେ ଦେଶ୍ୟ ଶବ୍ଦ ବୋଇଲେ କ’ଣ ? ଏହାର ଅର୍ଥ ଦେଶରେ ଜାତ ବା ଦେଶରେ ବ୍ୟବହୃତ ଶବ୍ଦ । ତା’ହେଲେ ଏହା ଓଡ଼ିଶାଦେଶବାସୀଙ୍କ ମୁହଁରେ ପ୍ରଚଳିତ ହୋଇ ଆସିଥିଲା । ଓଡ଼ିଶାର ପ୍ରାଚୀନ ନାମ ଥିଲା ‘ଉଡ୍ର’ । ତେଣୁ ଏହାକୁ ଉଡ୍ରଜା, ଉଡ୍ରୀ, ଓଡ଼ିଆ ଯେ କୌଣସି ନାମରେ ନାମିତ କରାଯାଇପାରେ । ତା ଛଡ଼ା ୟା ବି କୁହାଯାଇପାରେ ଯେ ଉଡ୍ର ସମାଜର ଆବିର୍ଭାବ ସଂଗେ ସଂଗେ ଏହି ଶବ୍ଦମାନ ଉତ୍ପତ୍ତି ଲାଭ କରିଥିଲା । ସେଥିରେ ହିଁ ସମାଜର ବ୍ୟକ୍ତିମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାହେଉଥିଲା-। କାରଣ ଶବ୍ଦ ହିଁ ଭାବ ପ୍ରକାଶନର ପ୍ରଧାନ ମାଧ୍ୟମ । ତାହାର ସୁଷମ ସମାହାରକୁ ଭାଷା କୁହାଯାଏ । ଭାଷା ନଥିଲେ ଜାତି ତିଷ୍ଠିବା ଅସମ୍ଭବ । ଅବଶ୍ୟ ତାହା ବଳିଷ୍ଠ ଭାବ ପ୍ରକାଶନ ଉପଯୋଗୀ କି ନୁହେଁ ତାହା ସ୍ଵତନ୍ତ୍ର କଥା । କିନ୍ତୁ ଏଠାରେ ମୋର କହିବାର କଥା, ଯେଉଁ ସ୍ମରଣାତୀତ କାଳରୁ ଉଡ୍ର ବା ଓଡ଼ିଆ ଜାତି ଏ ଦେଶରେ ଆତ୍ମପ୍ରକାଶ କରିଛି ସେହିଦିନୁ ‘ଦେଶ୍ୟ’ ଶବ୍ଦାବଳୀ ବ୍ୟବହୃତ ହୋଇଆସିଛି । ଏହାହିଁ ମୂଳ ଓଡ଼ିଆ ଭାଷା । ପରବର୍ତ୍ତୀ କାଳରେ ଅପେକ୍ଷାକୃତ ବଳିଷ୍ଠ ସଂସ୍କୃତି ଓ ତଦ୍ଭବ ଶବ୍ଦାବଳୀର ସାଯୁଜ୍ୟ ମିଶ୍ରଣ ଯୋଗୁଁ ତାହା ଆସ୍ତେ ଆସ୍ତେ ଗୌଣ ହୋଇ ପଡ଼ିଛି । ସଂସ୍କୃତ ଭାଷାର ଅଗଣିତ ଶବ୍ଦ ସମ୍ଭାର ମଧ୍ୟରେ ସୀମିତ ଦେଶ୍ୟ ଶବ୍ଦାବଳୀ ଅଲକ୍ଷିତ ହୋଇ ରହିଯାଇଛି ଯାହାର ମୌଳିକତା ସ୍ଵୀକୃତ ହେବା ପରିବର୍ତ୍ତେ ରୀତିଯୁଗୀୟ କାବ୍ୟ ନାୟିକା ପରି ସଂସ୍କୃତ-ଶବ୍ଦାଳଂକାର ମଣ୍ତିତ ହେବାଦ୍ଵାରା ନୈସର୍ଗିକତା ହରାଇ ବସିଛି ଏବଂ ଆମେ ତାର ବାହ୍ୟରୂପରେ କେବଳ ମୁଗ୍ଧ ହୋଇ ଏହା ‘ଅର୍ଦ୍ଧମାଗଧୀ’ ଭାଷାର ରୂପାନ୍ତର ବୋଲି କହି ଆସୁଛୁ ।

 

କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ପ୍ରାକ୍ତନ ଓଡ଼ିଶାବାସୀଙ୍କ ଭାଷା ଦୁର୍ବଳ ନଥିଲା । ଭାବ, ଭାବନା, ଚିନ୍ତା, ବିଚାର, ବସ୍ତୁ, କ୍ରିୟା ଯେ କୌଣସି ବିଷୟ ପ୍ରକାଶ କରିବାରେ ତାହା ଅସମର୍ଥ ନଥିଲା । ଉଦାହରଣ ସ୍ଵରୂପ କେତୋଟି ନମୁନା ଏଠାରେ ଦିଆଯାଉଛି ।

 

୧.

ଦେଶ ବା ସ୍ଥାନ ସୂଚକ ଦେଶଜ ଓଡ଼ିଆ ଶବ୍ଦ–ଧାମରା, ଡେଲାଙ୍ଗ, କଣାସ, ଖୁରୁଧା, ଆସିକା, ସେରଙ୍ଗ, ସୁରୁଡ଼ା, ଖୁଣ୍ଟୁଣି, କୋରାପୁଟୁ, ଟାଙ୍ଗି, ତାପଙ୍ଗ, ରେତଙ୍ଗ, କରଡ଼ା ଇତ୍ୟାଦି ।

୨.

ଜାତି ବାଚକ ଶବ୍ଦ–ବିଲୁଆ, ଅଣ୍ତିରା, ଗୁଣ୍ତୁଚି, କେରାଣ୍ତି, ଗଡ଼ିଶା, ଜନ୍ଦା, ଓଡ଼, ଝିପିପିଟି, କୁଟୁରା, ଜିଆଦ ପ୍ରଭୃତି ।

୩.

ଗୁଣ ବାଚକ–ଛଟକା, ଛନକା, ସୁଆଗ, ମୁହାଁସ, ହୁଡ଼, ପାଶୋରି, ହାଲିଆ, ବିତିବିତା ଇତ୍ୟାଦି ।

୪.

ବସ୍ତୁ ବାଚକ–କାନ୍ଥ, ବଇ, ବଣ, ପୁଆ, ଡାଳ, ବାହୁଙ୍ଗା, ଛପା, ଦଉଡ଼ି, ଆଣ୍ଠୁ, ଥୋଡ଼ି, ମସିଣା, ତାଟିଆ, ଆଟିକା, ଛତୁଆ, ଗିନା ଇତ୍ୟାଦି ।

୫.

କ୍ରିୟା ମଧ୍ୟରେ–ଅନେଇବା, ଢୋକିବା, ଢାଳିବା, ଝାଙ୍କିବା, ଆଉଜିବା, ଚାହିଁବା, ବାହୁଡ଼ିବା, ଚୁଣ୍ଟିବା, ପିଟିବା, ମେଲିବା, ଘାଣ୍ଟିବା, ଶୁଙ୍ଘିବା, ହଜିବା ଇତ୍ୟାଦି ।

୬.

କୃଷିସମ୍ଵନ୍ଧୀ ଶବ୍ଦ–କୋଡ଼ି, ବାରିସି, ପାଞ୍ଚଣ, ସିଆର, ବଳଦ, ଆଗାଡ଼ି, ଅଳିଆ, ବାଳୁଙ୍ଗା, ହଳ, କୁଣ୍ତା, ହୁଡ଼ା, ଖାଲ ପ୍ରଭୃତି ।

୭.

ଘର କରଣା–ଢାଳ, କୁଂପା, କୁଢ଼ୁଆ, ହାଣ୍ତି, ଡଙ୍କି, ମାଠିଆ, ଚଟୁ, ଅଡ଼ା, ବୋଡ଼, ବଟା, ଭାଙ୍ଗ, ଇତ୍ୟାଦି ।

୮.

ଖାଦ୍ୟ ପଦାର୍ଥ–ତିଅଣ, ବେସର, ଆରସା, ମଣ୍ତା, ଏଣ୍ତୁରି, ପୁଳି, ଚିତ୍ତଉ, ମାଲପୁଆ, ପୁଡ଼ୁଗା, ପାଚିଲି, ଖରଡ଼ା, ସଂକୁଡ଼ି, ମହୁର, ପ୍ରଭୃତି ।

 

ଏହାବାଦେ ପାଇଟି–କୁଆଡ଼, ଲୋଡ଼ା-ଆକ୍ରା, ଖାର-ଖାଣ୍ଟି, ଡାକ-ହାକ, ବିଲ-ବାଡ଼ି ପ୍ରଭୃତି ଯୁଗ୍ମଶବ୍ଦ ପରି ଦ୍ଵିଅର୍ଥବୋଧକ ଶବ୍ଦମାନ, ଯଥା-ପହଁରିବା, କୁଣ୍ତେଇବା, ଛିଣ୍ତିବା, କାଣ୍ତିବା, ଗଡ଼ିବା, ଘାଣ୍ଟିବା,ପ୍ରଭୃତି ଦେଖିଲେ କିଏ ନ କହିବ ପ୍ରାଚୀନ ଦେଶ୍ୟଭାଷା ଏକ ସମୃଦ୍ଧିଶାଳୀ ଭାଷା ଥିଲା ବୋଲି ? ସେହି ଭାଷା ଯେପରି ସମାଜରେ ପରସ୍ପର ଭାବ ବିନିମୟକ୍ଷମ ଥିଲା ସେହିପରି ଭାବୋଦ୍ଦୀପକ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ଥିଲା । ସେହି ପରିମିତ ଶବ୍ଦାବଳୀ ମାଧ୍ୟମରେ ସୁଦ୍ଧା ଓଡ଼ିଶାବସୀ ରସୋତ୍ସଳ କବିତାମାନ କିପରି ରଚନା କରିପାରୁଥିଲେ ତାହା ଦେଖିବାର କଥା-। କବିଙ୍କର ଭାବନା ଶବ୍ଦବ୍ରହ୍ମ ମାଧ୍ୟମରେ ଝଙ୍କୃତ ହେଲେ ତାହା କବିତା ହୁଏ । ମଣିଷର ଅନ୍ତର୍ଗତ ଭାବନାର ବହିଃପ୍ରକାଶ ଯେତେବେଳେ ଘଟେ ସେତେବଳେ ତାହା କୌଣସି କାରଣ ବଶତଃ ଉଦ୍‍ବେଳିତ ହୋଇଉଠେ । ହୋଇପାରେ ତାହା ଇନ୍ଦ୍ରିୟ ମାଧ୍ୟମରେ ବା ମାନସିକ ସ୍ତରରେ-। ସଭ୍ୟତାର ଅଭ୍ୟୁଦୟ କାଳରେ ଆତ୍ମିକ ଭାବନା ବା ମାନସିକ ଅବସ୍ଥା ପୂର୍ଣ୍ଣତା ପ୍ରାପ୍ତ ହୋଇ ଉଚ୍ଚକୋଟୀର କାବ୍ୟ କବିତା ସୃଷ୍ଟିରେ ସହାୟକ ହୋଇଥିବ, ଏହା ଆଶା କରିବା ବିଡ଼ମ୍ବନା-। ତେଣୁ ସେ କାଳ କବିତାର ଉନ୍ମେଷ ନିଚ୍ଛକ ଇନ୍ଦ୍ରିୟକରଣକ ଥିବା ନିତାନ୍ତ ସ୍ଵାଭାବିକ । ସେକାଳ ମଣିଷ ଆଖିରେ ଯାହା ଦେଖିଥିଲା ଯାହା ଶୁଣୁଥିଲା ତାହାକୁ ହିଁ ସମୟ ସମୟରେ ସୀମିତ ଶବ୍ଦାବଳୀ ସାହାଯ୍ୟରେ ପ୍ରକାଶ କରୁଥିଲା । ସେହି କାରଣରୁ ଆରମ୍ଭକାଳୀନ ସାହିତ୍ୟ ପ୍ରକୃତିକୁ ଉପଜୀବ୍ୟ କରି ସୃଷ୍ଚି ହୋଇଥିଲା । ଏହା କେବଳ ଓଡ଼ିଶାର ସାହିତ୍ୟ ପାଇଁ ନୁହେଁ, ସମଗ୍ର ମାନବ ଜାତିର ସାହିତ୍ୟ ସୃଷ୍ଟିରେ ଚିରନ୍ତନ ସତ୍ୟ ରୂପେ ପ୍ରତିଭାତ । ସେହି ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ଆଦିମ ସୃଷ୍ଟିଗୁଡ଼ିକୁ ବିଚାର କରିବାର କଥା । ଆବହମାନ କାଳରୁ ଓଡ଼ିଶାର ଆଦିବାସୀ ତଥା ଅନୁନ୍ନତ ସଂପ୍ରଦାୟ ଯଥା ରେଲି, ଡମ୍ଵ, ଜାଗିଲି, ବାଉରି, ଖଦାଳ, ମେହନ୍ତରାଦି ଗୋଷ୍ଠୀର ନାରୀମାନଙ୍କ ମୁଖରେ ପୁରୁଷ ପୁରୁଷ ଧରି ବୋଲା ହୋଇ ଆସୁଥିବା ଚଇତିପର୍ବ, ଝାମୁଯାତ୍ରା, ମକରପର୍ବ, ନୂଆଖିଆ ପ୍ରଭୃତି ଉତ୍ସବ ଦିନର ଗୀତାବଳୀ ଏବଂ ବଣ ପାହାଡ଼ରେ ବସବାସ କରି ଜୀବନ ଅତିବାହିତ କରୁଥିବା ଅର୍ଦ୍ଧନଗ୍ନ ବନବାସୀ ସମାଜର ପର୍ବପର୍ବାଣିର ଗୀତଗୁଡ଼ିକୁ ସୂତ୍ରକରି ଓଡ଼ିଶାର ସଭ୍ୟତାରମ୍ଭକାଳୀନ ସାହିତ୍ୟର ସ୍ଵରୂପ ଅଧ୍ୟାହାର କରାଯାଇପାରେ-। ଦୃଷ୍ଟାନ୍ତ ସ୍ଵରୂପ ପୌଷ ପର୍ବବେଳେ ବୋଲାହୋଇ ଆସୁଥିବା ଗୀତଟିଏ ଦେଖନ୍ତୁ–

 

ବାଆଗ ବଳଦ ମୁଇଁ ବାନ୍ଧିଲି ହଳେ

ଚାଷ କଲି ମଇନ୍ଦର ମାଳେ, ରାଇଲ ଯେ,

ଚାଷ କଲି ମଇନ୍ଦର ମାଳେ ।

ମଇନ୍ଦର ମାଳେ ମୋର କି କି କି ପାଚ

ହୀରା ମୋତି ମାଣିକର ପାଚଟି–ରାଇଲ ଯେ

କାଳିଗାଈ କାଳିଗାଈ କାହାର ଗାଈ

ଇନ୍ଦରଣେ ଜୁତିକାର ଗାଈଟି ରାଇଲ ଯେ–ଇତ୍ୟାଦି ।

 

ଅନୁରୂପ ଆଉ ଗୋଟିଏ ଗୀତ ଦେଖନ୍ତିୁ । ଏହା ଖରଖରି ଦେବୀଙ୍କୁ ଉପାସନା କଲାବେଳର ଗୀତ । ଚୈତ୍ର ମାସର ରବିବାରମାନଙ୍କରେ ଆଦିମ ସମ୍ପ୍ରଦାୟ କୁମାରୀ ବାଳିକାଙ୍କ ମଧ୍ୟରେ ‘ଖରଖରି’ ଦେବୀଙ୍କୁ ପୂଜା କରାଯାଏ । ସେହି ପୂଜା କାଳରେ ବୋଧହୁଏ କେବେ ଏପରି କିଛି ଝଞ୍ଜା ବତାସ ସହିତ ବୃଷ୍ଟିପାତ ଘଟିଛି, ଯାହାକୁ ଲକ୍ଷ୍ୟ କରି କେହି ଜଣେ କବି ଅନ୍ତରର ଭାବ ପ୍ରକାଶ କରିବାକୁ ଯାଇ ଲେଖିଥିଲେ–

 

‘‘ଖରଖରି ଲୋ ବରବରି ଦିଉ ବରଷା ପାଣି

ନଈନାଳ ବଡି ଆଇଲା ବୁଡ଼ି ନାଇଁ କାଣି ।

କାଣି ମା କାଣି ମା ଭଲେଇ ଥା

ରାତିକ ପାହିଲେ ମା ଯୁଡ଼ା ବୁଦା ଖା ।

ଯୁଡ଼ା ବୁଦା ଖାଉ କାଉ ମୋ କାଣିମା କାଇଁ

ଏଡ଼େ ବଡ଼ ରାଇଜରେ ସାଙ୍ଗ ଲୁକ ନାଇଁ ।

ବା ଅଇଲା ବତାସି ଅଇଲା ଉଡ଼େଇ ନେଲା ଛଣ

ଭଣ୍ତାରି ଘରେ ଚୁର ପଶିଲା ନେଇଗଲା ଦରପଣ ।’’

 

ଇତ୍ୟାଦି ଗୀତ ଗୁଡ଼ିକର ଶବ୍ଦ ସଂଯୋଜନା, ପଦ ଗୁଂଫନ, ସରଜ କ୍ରିୟା ପ୍ରୟୋଗାଦିରୁ ଜଣାପଡ଼େ, ଆଦିମ ଓଡ଼ିଶାର ସାହିତ୍ୟ ସୃଷ୍ଟିରେ କିପରି କମନୀୟତା ରହିଥିଲା ଯଦିଚ ତାହା ଅଳ୍ପ କେତେକ ଶବ୍ଦାବଳୀ ମଧ୍ୟରେ ସୀମିତ ଥିଲା । କିନ୍ତୁ କାଳକ୍ରମେ ଯେତେବେଳେ କୌଣସି କାରଣରୁ ହେଉ ଉତ୍ତରପଟୁ ଆର୍ଯ୍ୟଭାଷାସମ୍ବନ୍ଧୀ ବଳିଷ୍ଠ ଭାବୋଦ୍ୟତକ ଶବ୍ଦାବଳୀ ଓ ଦକ୍ଷିଣଆଡ଼ୁ ତଦ୍ଦେଶୀୟ ଶବ୍ଦସମୂହ ଅନୁପ୍ରବେଶ କରି ଦେଶ୍ୟ ଭାଷା ଉପରେ ଆଧିପତ୍ୟ ବିସ୍ତାର କରନ୍ତି, ସେତେବେଳେ ମୂଳଭାଷାର ପ୍ରଭାବ ଆନୁପାତିକ ଭାବେ କ୍ଷୁଣ୍ଣ ହୋଇ ତଦଙ୍ଗୀଭୂତ ହୋଇପଡ଼େ । ଗୋଟିଏ ଦିଗରୁ ଏହା ଯେତିକି ଶୁଭଙ୍କର ଅନ୍ୟ ଦିଗରୁ ଦେଖିଲେ ସେତିକି କ୍ଷତିକାରକ ଥିଲା । କାରଣ, ନବାଗତ ଉଭୟବିଧ ଶବ୍ଦସମ୍ଭାର ଦ୍ଵାରା ଏହା ଯେପରି କ୍ରମ ବିକଶିତ ହୋଇ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବାରେ ସମର୍ଥ ହେଲା, ସେହିପରି ଗତାନୁଗତିକ ଦେଶ୍ୟ ଶବ୍ଦାବଳୀ ସେଥିରେ ଅନ୍ତର୍ଲୀନ ହୋଇ ସତ୍ତା ହରାଇ ବସିଲା । ଏହାର ଆଭାସ ଆମେ ଦୀର୍ଘ ସମୟ ବ୍ୟବଧାନରେ ସୃଷ୍ଟ ମହାକବି ଶାରଳାଦାସଙ୍କ ମହାଭାରତରେ ଦେଖିବାକୁ ପାଉ । ଏହା କହିବାର ଲକ୍ଷ୍ୟ ହେଲା ଉପରେ ଉଦ୍ଧୃତ ଓଡ଼ିଆ କବିତାମାନ କେବେ ଲେଖାଯାଇଛି ସ୍ପଷ୍ଟ ନହେଲେ ସୁଦ୍ଧା ଭାଷାର ସରଳତା, ଶବ୍ଦାବଳୀର ପରିମିତତା, ବର୍ଣ୍ଣନାର ସ୍ଵାଭାବିକତା ଶେଷରେ ସ୍ଵାନୁଭୂତିର ସହଜ ପ୍ରରିପ୍ରକାଶରୁ ଅନୁମିତ ହୁଏ, ଏହା ଯୁଦ୍ଧୋତ୍ତର କଳିଙ୍ଗବାସୀଙ୍କ ଦ୍ଵାରା ଲିଖିତ ହୋଇଥିଲା । ଏହାର ଅନୁରୂପ ଦୋଳିଗୀତ, ଓଷାଗୀତ, ବ୍ରତକଥାମାନ ମଧ୍ୟ ଏଯାବତ୍ ଲୋକମୁଖରେ ଚଳି ଆସୁଛି । କିନ୍ତୁ ଏତାଦୃଶ ଚିନ୍ତାଧାରାର ପ୍ରଧାନ ଅନ୍ତରାୟ ହେଉଛି ଅଦ୍ୟତନ ଓଡ଼ିଆ ଭାଷାର ସ୍ଵରୂପ ଦର୍ଶାଇବାବେଳେ ଓଡ଼ିଶାର ମୌଳିକ ଦେଶ୍ୟଶବ୍ଦସମ୍ଭାର ପ୍ରତି ଚତୁରତାର ସହିତ ଦୃଷ୍ଟି ଆଡ଼େଇ ଦେଇଥିବା ଭାଷା ସମାଲୋଚକଙ୍କ ଅର୍ଦ୍ଧମାଗଧୀ ପ୍ରୀତି । ଏ ସମ୍ବନ୍ଧରେ ମୁଁ ମୋର ‘ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ’ ଗ୍ରନ୍ଥରେ କିଂଚିତ୍ ସୂଚନା ଦେଇଛି । ଏଣୁ ତା’ର ପୁନରାବୃତ୍ତି ବାଞ୍ଛନୀୟ ନୁହେଁ । ସେହି କାରଣରୁ ହିଁ କେବଳ ତତ୍ସମ ଓ ତଦ୍ଭବ ଶବ୍ଦମାନଙ୍କର ପ୍ରୟୋଗଶୈଳୀର ତୁଳନାତ୍ମକ ବିଚାର କଲାବେଳେ ସମାଲୋଚକବର୍ଗ ଆସାମୀ, ବଙ୍ଗାଳୀ, ଓ ମୈଥିଳୀ ସହିତ ଏହାକୁ ସମାନ ଆସନରେ ଅଧିଷ୍ଠିତ କରାଇଛନ୍ତି । ଅଥଚ ମୂଳ ଓଡ଼ିଆ ଶବ୍ଦ ବେଳକୁ ‘ଦେଶ୍ୟ’ କହିଦେଇ ସମସ୍ତେ ଦାୟିତ୍ଵମୁକ୍ତ ହୋଇଛନ୍ତି, ଯାହା ସମାଲୋଚନାରେ ଆଦୌ ସ୍ପୃହଣୀୟ ନୁହେଁ ।

 

ବିଜ୍ଞ ସୁଧୀବୃନ୍ଦ ! ମୁଁ ଏକଥା କାହାରିକୁ ଆକ୍ଷେପ କରି କହୁଛି, ଏକଥା ଯେପରି ମନେ ନ କରନ୍ତି । ବାହାର ଦେଶରୁ ଆସି ଅଳ୍ପକାଳ ରହଣି ମଧ୍ୟରେ ଓଡ଼ିଶୀ ଭାଷାର ବାହାର ରୂପ ବିଶ୍ଳେଷଣ କରି ଯେତିକି ଉପାଦାନ ମିଳିଲା, ତାକୁ ହିଁ ସମ୍ବଳ କରି ସେମାନେ ସେପରି ମନ୍ତବ୍ୟ ଦେବା ଅତି ସ୍ଵାଭାବିକ । କିନ୍ତୁ ଦୁଃଖର ବିଷୟ ହେଉଛି, କୌଣସି ଦିଗରୁ ପରୀକ୍ଷା ନିରୀକ୍ଷା ନ କରି ଏହାକୁ ଏକାବେଳେକେ ଗ୍ରହଣ କରିନେବା ଓ ତା’ରି ପରିପ୍ରେକ୍ଷୀରେ ଆହୁରି ଆଗକୁ ଅଗ୍ରସର ହେବା ଏହା ଦେଶ ଓ ଜାତିର ଧୂଳିମାଟି ସହିତ ସଂପୃକ୍ତ ଆମ୍ଭମାନଙ୍କର କେତେଦୂର କର୍ତ୍ତବ୍ୟ, ଆପଣମାନେ ବିଚାର କରିବେ । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ନେପାଳରୁ ପ୍ରାପ୍ତ ବୌଦ୍ଧଗାନ ଓ ଦୋହାର ଭାଷାରେ ଓଡ଼ିଆ ଶବ୍ଦମାନଙ୍କର ପ୍ରୟୋଗ ଦେଖି ସଙ୍ଗେ ସଙ୍ଗେ କହିଦେଲୁ, ଓଡ଼ିଶାର ଭାଷା ସେତେବେଳୁ ହିଁ ଉତ୍ପତ୍ତି ଲାଭ କରିଛି । କିନ୍ତୁ ଆମ୍ଭର କହିବାକୁ ସାହସ ହେଲାନାହିଁ ଯେ ସେତେବେଳୁ ଓଡ଼ିଆଭାଷା ସୃଷ୍ଟି ହୋଇସାରିଥିଲା ଓ ସେଥିରେ ଅତି ଉଚ୍ଚକେଟୀର ନହେଲେ ସୁଦ୍ଧା ସାହିତ୍ୟ ସୃଷ୍ଟି ହେବାପାଇଁ ଶବ୍ଦାବଳୀର ଅଭାବ ନ ଥିଲା । ଜାତି ଯଦି ଥିଲା, ଭାଷା ନଥିଲା କିପରି-? ଭାଷା ଯଦି ଥିଲା ଭାବ ପ୍ରକାଶନ ଶବ୍ଦ ନଥିଲା କିପରି ? ଯୁଦ୍ଧୋତ୍ତର କଳିଙ୍ଗ ହେଉ ବା ଖାରବେଳଙ୍କ ପରବର୍ତ୍ତୀ କଳିଙ୍ଗ ହେଉ, ଯେଉଁ ସମୃଦ୍ଧ ସମାଜ ସେତେବେଳେ ରହିଥିଲା, ସେଥିରେ ସଭ୍ୟତା, ସଂସ୍କୃତି, ସାମାଜିକତା, ଗୀତ, ନୃତ୍ୟ, ବାଦ୍ୟାଦି କ୍ରିୟାମାନ ନ ଥିଲା ବୋଲି କହିବା ଅଜ୍ଞତା ଛଡ଼ା କଣ ହୋଇପାରେ ? କିନ୍ତୁ ଓଡ଼ିଶାର ଦୁଭାର୍ଗ୍ୟ ଯେ ଯାହାକିଛି କଳାକୀର୍ତ୍ତି ବା ସାଂସ୍କୃତିକ ପରଂପରା ଏଠାରେ ରହି ଆସିଛି, ତାହା ହୁଏ ଓ ଜୈନ ନୁହେଁ ତ ବୌଦ୍ଧ ଅବଦାନ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ବିଶିଷ୍ଟ ଐତିହାସିକମାନେ ସୁଦ୍ଧା ମତବ୍ୟକ୍ତ କରୁଛନ୍ତି । ସମସ୍ତେ ଏକସ୍ଵରରେ ସେ କଥା ସମର୍ଥନ କରନ୍ତି ଯେପରିକି ତା’ପୂର୍ବରୁ କଳିଙ୍ଗରେ କିଛି ନଥିଲା–ପ୍ରଜାକୁଳ ଖାଲି ଶୂନ୍ୟେ ଶୂନ୍ୟେ ଜୀବନଯାପନ କରୁଥିଲେ । ଅବଶ୍ୟ ଏକଥା ସତ ଯେ, କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଆବାଳ ବୃଦ୍ଧବନିତା ଇହଳୀଳା ସାଙ୍ଗ କରିବା ଯୋଗୁଁ ସମାଜ ଧ୍ଵସ୍ତ ବିଧ୍ଵସ୍ତ ହୋଇପଡ଼ିଲା–ଜାତିର ପ୍ରାଣ ସ୍ପନ୍ଦନ ଏକାବେଳେକେ ଲୁପ୍ତ ନହେଲେ ସୁଦ୍ଧା ଅବକ୍ଷୟିତ ହୋଇଥିଲା । ପ୍ରଚଣ୍ତ ବୀର୍ଯ୍ୟବନ୍ତ କଳିଙ୍ଗ ସେନାନୀ ଛାରଖାର ହେବା ସଙ୍ଗେ ସଙ୍ଗେ ଦେଶ ଭିତର ଗଡ଼, ନଗର, ବସ୍ତି, ପାଟଣା ନିଶ୍ଚିହ୍ନ ହୋଇପଡ଼ିଥିଲା । ଫଳରେ କଳିଙ୍ଗର ଭାଷା, ସାହିତ୍ୟ, ସଭ୍ୟତା, ସଂସ୍କୃତି, ଉତ୍ତର କାଳରେ ଗବେଷଣାର ବସ୍ତୁ ହୋଇପଡ଼ିଲା । ଏହାଠୁ ବଳି ଦୁର୍ଭାଗ୍ୟର ବିଷୟ କ’ଣ ଥାଇପାରେ । ବିଜ୍ଞ ଶ୍ରୋତାମଣ୍ତଳୀ ! ଭାବପ୍ରବଣତା ହେତୁ କିଛି ଅପ୍ରାସଙ୍ଗିକ ବିଷୟ କହିଦେଲେ ବୋଧହୁଏ ! କ୍ଷମା କରିବେ । କିନ୍ତୁ ସେତକ କହିବାର ଉଦ୍ଦେଶ୍ୟ ହେଲା, କଳିଙ୍ଗର ଭାଗ୍ୟାକାଶରେ ତାଦୃଶ ବିପର୍ଯ୍ୟୟ ଯୋଗୁ ଦେଶ୍ୟ ଭାଷାରେ ରଚିତ ଗୀତ, ସଂଗୀତ, କାବ୍ୟ, କବିତା ପ୍ରଭୃତି ନଷ୍ଟ ବିନଷ୍ଟ ହୋଇ ପଡ଼ିବା ଅସ୍ଵାଭାବିକ ନୁହେଁ । ଯେଉଁମାନେ ସେଗୁଡ଼ିକର ଧାରକ ଥିଲେ, ତାଙ୍କରି ଅଭାବରେ, ତାର ତ ପୁନରୁଦ୍ଧାର ହେଲା ନାହିଁ, ବରଂ ଅନ୍ୟାଗତ ସଭ୍ୟତା, ସଂସ୍କୃତି ସବୁ ଆପଣା ପ୍ରଭାବ ବିସ୍ତାର କରି ନୂତନ ମାର୍ଗରେ ସେଗୁଡ଼ିକୁ ସଂଚାଳିତ କଲେ । ଫଳରେ ଦୀର୍ଘକାଳ ଯାଏ ଅର୍ଥାତ୍ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖାଣ୍ଟି ଓଡ଼ିଆ ଭାଷାରେ ଉଚ୍ଚମାନର ସାହିତ୍ୟ ସୃଷ୍ଟି ହେବା ଦୃଷ୍ଟିଗୋଚର ହୁଏନାହିଁ । ଯଦିବା କାଁ ଭାଁ କିଛି ସୃଷ୍ଚି ହୋଇଥାଏ, ତା’ହେଲେ ବୋଧହୁଏ ଲୋକମନକୁ ତାହା ଅନୁରୂପ ସ୍ପର୍ଶ କରି ନଥିବ କିମ୍ଵା ଯତ୍ନ ଅଭାବରେ କୀଟଦ୍ରଂଷ୍ଟ ହୋଇଥିବ । ଯାହାହେଉ ଖଣ୍ତ ବିଖଣ୍ତତ ଭାବେ ପଲ୍ଲୀ ଲୋକ ସମାଜରେ ସେଗୁଡ଼ିକର କ୍ଷୀଣଧାରା ଅଦ୍ୟାବଧି ପ୍ରବାହିତ ହୋଇ ଆସୁଥିବା ଆଶ୍ଵାସନାର ବିଷୟ ।

 

ସୌଭାଗ୍ୟକୁ, ବହୁ ବିଳମ୍ଵରେ ହେଉ ପଛେ ଓଡ଼ିଶାବାସୀଙ୍କ ଶିରା ପ୍ରଶିରାରେ ବହମାନ ରକ୍ତକଣିକା ଗୁଡ଼ିକୁ ଏକତ୍ର କରି ପୂର୍ଣ୍ଣାବୟବ ମଣିଷଟିଏ ଗଢ଼ିବାକୁ ଶାରଳା ଦାସ ଯେଉଁ ବିରାଟ ମହାଭାରତ ରଚନା କଲେ, ତାହାଦ୍ଵାରା ଓଡ଼ିଶାର ଗର୍ବ ଗୌରବ ପୁନର୍ଜୀବନ ଲାଭ କଲା ଏବଂ ପ୍ରଜାଙ୍କ ମନରେ ସ୍ଵଭିମାନ ପୁନର୍ଜାଗ୍ରତ ହେଲା । କହିବା ଅନାବଶ୍ୟକ ତାହାହିଁ ହେଲା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଆଲୋକସ୍ତମ୍ଭ । ସେ ଯାବତ୍ ଓଡ଼ିଶାର ଜନସମାଜରେ ପ୍ରଚଳିତ ଭାଷା, ଭାବ, କିମ୍ବଦନ୍ତୀ, ଲୋକକଥା, ଶବ୍ଦସମ୍ଭାର, କ୍ରିୟା ପ୍ରୟୋଗ, ଚାରିତ୍ରିକ ବୈଚିତ୍ର୍ୟ, କାବ୍ୟିକ କଳ୍ପନା, ଧର୍ମଚେତନା, ଭକ୍ତି ଭାବନା, ସାମାଜିକ ଚଳଣିର ସୁଷମ ସମାବେଶ ଦ୍ଵାରା ତାହା ଏତେ ରୁଦ୍ଧିମନ୍ତ ହୋଇଛି ଭାବିଲେ ଅସମ୍ଭବ ପରି ଲାଗେ । ଜଣେ ବ୍ୟକ୍ତି ଜୀବନକାଳ ମଧ୍ୟରେ ଏପରି ଏକ ଆଲୋକ-ସାମାନ୍ୟ ସାହିତ୍ୟ ସୃଷ୍ଟି କରିବା ସହଜ ବ୍ୟାପାର ନୁହେଁ । ଏହିଠାରୁ ହିଁ ଆରମ୍ଭ ହୁଏ ଓଡ଼ିଆ ସାହିତ୍ୟର ବାସ୍ତବ ଇତିହାସ ।

 

ଏହି ପ୍ରସଙ୍ଗରେ କିନ୍ତୁ ସ୍ମରଣ ରଖିବା ଉଚିତ ଯେ, କଳିଙ୍ଗ ଯୁଦ୍ଧର ଗଣସମାଧି ପରେ କିଛିକାଳ ବ୍ୟବଧାନରେ ଆସିଥିବା ମହାମେଘବାହାନ ଖାରବେଳଙ୍କ ଅମଳରେ କଳିଙ୍ଗର ପୂର୍ବ ଗୌରବ ପୁନଃ ପ୍ରତିଷ୍ଠିତ ହୋଇଥିଲା ସତ କିନ୍ତୁ ଏହାର ସାମାଜିକ ଓ ସାଂସ୍କୃତିକ ବୈଭବ ମୌଳିକତା ହରାଇ ଇତର ଗୋଷ୍ଠୀ ଦ୍ଵାରା ପ୍ରଭାବିତ ହୋଇ ପଡ଼ିଥିଲା । ଅର୍ଥାତ୍ ସଭ୍ୟତା, ସଂସ୍କୃତି, ଭାଷା ସାହିତ୍ୟ ସବୁ ଐକାନ୍ତିକତା ହରାଇ ସମନ୍ଵିତ ରୂପ ଧାରଣ କରିଥିଲା ।

 

ବିଶେଷତଃ ଭାଷା ଓ ସାହିତ୍ୟରେ ତାହା ପ୍ରବଳ ଭାବେ ଅନୁଭୂତ ହୋଇଥିଲା । ନଷ୍ଟାବଶିଷ୍ଟ ଦେଶୀୟ ଭାଷା ଓ ସାହିତ୍ୟ ଲୋକମୁଖର ସୀମିତ ଶବ୍ଦାବଳୀ ମାଧ୍ୟମରେ ପ୍ରକାଶ କରିବା ଦୁଷ୍କର ମନେହୋଇଥିଲା । ଫଳରେ ଆଗନ୍ତୁକ ସଂସ୍କୃତି ଓ ପ୍ରାକୃତ ଭାଷା ଦ୍ଵାରା ତାହା ସମ୍ପୂର୍ଣ୍ଣ କବଳିତ ହୋଇପଡ଼ିବାର ଦୀର୍ଘ ଦେଢ଼ହଜାର ବର୍ଷ ପର୍ଯ୍ୟନ୍ତ ମୂଳ ଓଡ଼ିଆ ଭାଷାର କୈଣସି ବିଧିବଦ୍ଧ ରଚନା ଦୃଷ୍ଟିଗୋଚର ହୁଏନାହିଁ । ଅବଶ୍ୟ ଏମଧ୍ୟରେ ବହୁ ରାଜା ଓ ରାଜବଂଶ ଓଡ଼ିଶାକୁ ଶାସନ କରିଯାଇଛନ୍ତି । କିନ୍ତୁ ସ୍ଥାନୀୟ ଭାଷା ପ୍ରତି କାହାର ଦୃଷ୍ଟି ଆକୃଷ୍ଟ ଥିଲା ପରି ମନେହୁଏ ନାହିଁ-। ଯଦିଚ ଠାଏଁ ଠାଏଁ ପ୍ରଜାରଂଜନ ପାଇଁ ହେଉ ବା ଆତ୍ମପ୍ରଶସ୍ତି ପ୍ରସାର ଉଦ୍ଦେଶ୍ୟରେ ହେଉ, ଅଭିଲେଖ ବା ତାମ୍ରଫଳକାଦିରେ ବିକୃତ ଓଡ଼ିଆ ଭାଷାର ପ୍ରୟୋଗ ଦେଖିବାକୁ ମିଳେ । ଏଣେ ରାଜ-ପୃଷ୍ଠ-ପୋଷକତାର ଅଭାବ ତେଣେ ଅନ୍ୟାଗତ ବଳିଷ୍ଠ ଭାଷାର ପ୍ରଭାବ ଉଭୟ ମଧ୍ୟରେ ପିଷ୍ଟ ହୋଇ ଓଡ଼ିଆ ଭାଷା ଶାରଳାଙ୍କ ପର୍ଯ୍ୟନ୍ତ ଅପାଂକ୍ତେୟ ହୋଇପଡ଼ିଥିଲା, କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ସେ ଯୁଗକାଳ ମଧ୍ୟରେ ଓଡ଼ିଆ ଲେଖକଙ୍କ ଦ୍ଵାରା ଯେତେପ୍ରକାର ସାହିତ୍ୟ ସୃଷ୍ଟି ହୋଇଛି, ସବୁ ସଂସ୍କୃତ ଭାଷାରେ ହିଁ ଲିଖିତ । ଦ୍ଵାଦଶ ଶତାବ୍ଦୀର ‘ଗୀତଗୋବିନ୍ଦ’କାର ଓଡ଼ିଆକବି ଜୟଦେବ, ଚତୁର୍ଦ୍ଦଶ ଶତାବ୍ଦୀର ‘ସାହିତ୍ୟ-ଦର୍ପଣ’ ଲେଖକ ବିଶ୍ଵନାଥ ମହାପାତ୍ରାଦିଙ୍କୁ ବାଦଦେଲେ ମଧ୍ୟ ଶାରଳାଙ୍କ ପରବର୍ତ୍ତୀ ‘ପ୍ରାକୃତ-ସର୍ବସ୍ୱ’ ପ୍ରଣେତା ମାର୍କଣ୍ଡେୟ ମିଶ୍ର, କବିଡିଣ୍ଡିମ ଜୀବଦେବାଚାର୍ଯ୍ୟ, ଗଙ୍ଗାଧର ମିଶ୍ର, ବସୁ ପ୍ରହରାଜ, କୃଷ୍ଣାନନ୍ଦ, ବ୍ରଜସୁନ୍ଦର ପଟ୍ଟନାୟକ, ପରମାନନ୍ଦ ମହାପାତ୍ର, ହଳଧର ମିଶ୍ର, କମଳଲୋଚନ ଖଡ଼ଗ୍‍ରାୟ ପ୍ରଭୃତି କବି ପଣ୍ଡିତଙ୍କ ରଚନାମାନ ସଂସ୍କୃତ ଭାଷାରେ ହିଁ ଲିଖିତ ଅଛି ।

 

ଏହାଙ୍କୁ ଛାଡ଼ିଦେଲେ ଆହୁରି କେତେ ଓଡ଼ିଆ କବି କାବ୍ୟ, କବିତା, ତନ୍ତ୍ର, ଜ୍ୟୋତିଷ, କର୍ମକାଣ୍ଡ, ଅଷ୍ଟକ, ଶତକାଦି ଦ୍ୱାରା ସଂସ୍କୃତ ସାହିତ୍ୟକୁ ପରିପୁଷ୍ଟ କରିଯାଇଛନ୍ତି ଗଣନା କରିହୁଏ ନାହିଁ । ସଂସ୍କୃତ ସାହିତ୍ୟର ଇତିହାସ ଅନୁଧ୍ୟାନ କଲେ ତାହା ସ୍ପଷ୍ଟ ଜଣାପଡ଼େ ।

 

ଏତାଦୃଶ ସାହିତ୍ୟିକ ବାତାବରଣ ମଧ୍ୟରେ ଜଣେ ଚଷାପୁଅ ନିନ୍ଦା ପ୍ରଶଂସାକୁ ଭ୍ରୂକ୍ଷେପ ନକରି ଅମିତ ସାହସ ସହକାରେ ଅବହେଳିତ ଓଡ଼ିଆ ଭାଷାରେ ଯେଉଁ ବିରାଟ ମହାଭାରତ ଗ୍ରନ୍ଥ ରଚନା କରିଗଲେ, ତାହାର ପଟାନ୍ତର ନାହିଁ । ଖାଣ୍ଟି ଓଡ଼ିଆ ଭାଷା ଭିତରେ ସଂସ୍କୃତ ଓ ପ୍ରାକୃତ ଶବ୍ଦାବଳୀକୁ ଅନ୍ତର୍ଲୀନ କରାଇ ଯେଉଁ ଅଭୂତପୂର୍ବ ଗ୍ରନ୍ଥଟିଏ ସୃଷ୍ଟି କରିଗଲେ, ତାହା ଓଡ଼ିଶାର ଭାଷା ସଂସ୍କୃତି ଓ ସଭ୍ୟତାର ଏନ୍‍ସାଇକ୍ଳୋପିଡ଼ିଆ କହିବା ଅସଂଗତ ନୁହେଁ । ସେଥିରେ ଓଡ଼ିଶାର ଲୁପ୍ତପ୍ରାୟ ଭାଷା ସମ୍ଭାର ଏବଂ ଆଖ୍ୟାନ ଆଖ୍ୟାୟିକାଦି ଏପରି ନିଖୁଣ ଏବଂ ନିପୁଣ ଭାବେ ସନ୍ନିବେଶିତ, ଯାହା ଦେଖିଲେ ପ୍ରାକ୍ତନ କଳିଙ୍ଗର ଅବଲୁପ୍ତ ସାମାଜିକ ବୈଭବର ଚିତ୍ର ସ୍ଵତଃ ମନରେ ଅଙ୍କିତ ହୋଇଯାଏ । ଗୋଟିଏ ଉଦାହରଣ ଦେଖନ୍ତୁ–

 

ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ ଯେ ସଞ୍ଚିଲେ ଉପାଏ

ଦ୍ୱାରକା ଭୁବନ କଇ ଲାଗିଲା ମହାଭୟେ

ଅଦଭୁତେ ଶୁଭିଲା କୋକୁଆ

ଦ୍ୱାରକା ଲୋକଯାକ ହୋଇଲେ ଅଚାବୁହା

ଭୟେଣ କଅଁଳା ପୋଏ ରହନ୍ତି ଭିତରେ

ଯାଇଣ ପଶନ୍ତି କେହୁ ମାତାଙ୍କ କୋଡ଼ରେ–ଇତ୍ୟାଦି ।

 

ଏଭଳି ରଚନା ସେକାଳ ସାଧାରଣ ଜନସମାଜରେ ଏତେଦୂର ଆଦର ଲାଭ କଲା, ଯାହା ଦେଖି ଈର୍ଷାଳୁ ଓ ନିନ୍ଦୁକ ସଂସ୍କୃତାଭିମାନୀ ପଣ୍ଡିତଗଣ ଅସହିଷ୍ଣୁ ହୋଇପଡ଼ିଲେ । ମୁଷ୍ଟିମେୟ କେତେକ ଦେଶପ୍ରେମୀ କବି ଯଥା: ଅଚ୍ୟୁତାନନ୍ଦ, ଜଗନ୍ନାଥ ଦାସ, ଅର୍ଜ୍ଜୁନ ଦାସ, କାର୍ତ୍ତିକ ଦାସ, ଦେବଦୁର୍ଲ୍ଲଭ ଦାସ ପ୍ରମୁଖ କବି ଓ ଲେଖକ କାବ୍ୟ କବିତା, ଭଜନ, ଜଣାଣ, ଚଉପଦୀ, ଚଉତିଶା, କୋଇଲି, କାନ୍ଦଣା ପ୍ରଭୃତି ଲେଖି ଓଡ଼ିଆ ସାହିତ୍ୟର ପୁଷ୍ଟି ସାଧନ କରିବାରେ ଅବହେଳା କରିନାହାନ୍ତି ସତ, କିନ୍ତୁ ସେଗୁଡ଼ିକ ବୁଦ୍ଧିଜୀବୀ ସଂସ୍କୃତ ପଣ୍ଡିତ ମହଲରେ ବିଶେଷ ଆଦୃତ ହେଲାନାହିଁ । ବରଂ ତାହା ଗ୍ରାମ୍ୟ ପ୍ରାକୃତ ଭାଷାରେ ଲିଖିତ ଅତଏବ ପରିତ୍ୟାଜ୍ୟ ବୋଲି ପ୍ରଚାର ହେବାକୁ ଲାଗିଲା । ଏତିକିବେଳେ ସ୍ଵାଭିମାନୀ କବି ଉପେନ୍ଦ୍ର ଭଂଜ ଅହମ୍ମନ୍ୟ ପଣ୍ଡିତବର୍ଗଙ୍କ ମୁଖ ବନ୍ଦ କରିବା ଉଦ୍ଦେଶ୍ୟରେ ନାନାର୍ଥ-ସଂସ୍କୃତ-ଶବ୍ଦାବଳୀ ଆଶ୍ରୟରେ ଯେଉଁ ଦୁରଧିଗମ୍ୟ ଓଡ଼ିଆ କାବ୍ୟ କବିତା ରଚନା କରିଗଲେ, ତାହା ଏପରି ଭାବେ ଜନଆଦର ଲାଭ କଲା, ଯାହାର ପ୍ରଭାବ ଦୀର୍ଘ ଦେଢ଼ଶହ ବର୍ଷ ଯାଏଁ ଦେଶରେ ଅକ୍ଷୁଣ୍ଣ ରହିପାରିଥିଲା । କିନ୍ତୁ ତାହା ଥିଲା ଅଳଂକାରସର୍ବସ୍ୱ ଏକ ଅଦ୍ଭୁତ ଶୈଳୀ, ଯାହାକୁ ସେ କହନ୍ତି, ‘ଦୁର୍ଗମ ମାର୍ଗ’ । ସେସବୁର ଦୃଷ୍ଟାନ୍ତ ଦେଇ ଆପଣମାନଙ୍କୁ ଭାରାକ୍ରାନ୍ତ କରିବି ନାହିଁ ।

 

ଆପଣମାନେ ଜାଣନ୍ତି ସାହିତ୍ୟର ଭାଷାଶୈଳୀ କଦାପି ଚିରନ୍ତନ ନୁହେଁ । ନୂଆ ନୂଆ ଶୈଳୀ ପ୍ରତି ପାଠକ ସର୍ବଦା ଆକୃଷ୍ଟ ରହନ୍ତି । ବିଶେଷତଃ ଶବ୍ଦପ୍ରଧାନ ଆଳଂକାରିକ ରୀତି ଛାଡ଼ି ସରଳ ସାବଲୀଳ ରଚନା ପ୍ରତି ଓଡ଼ିଆ ପାଠକବର୍ଗ ଆକୃଷ୍ଟ ହେବା ସ୍ୱଭାବିକ । କିନ୍ତୁ ପାରମ୍ପରିକ ଭଂଜୀୟ ରୀତି ଛାଡ଼ି ଅନ୍ୟ ଶୈଳୀରେ ଲେଖିବାକୁ କିଏ ବା ସାହସ କରିବ, ଯେହେତୁ ତାହାହିଁ ଉତ୍ତମ କବିତ୍ଵ ବୋଲି ସ୍ଵୀକୃତି ଲାଭ କରିଥିଲା । ତେଣୁ ତଦତିରିକ୍ତ ଶୈଳୀରେ ରଚନା କରିବାକୁ କେହି ସାହସ କରୁ ନଥିଲେ । ଯୋଗକୁ ଏତିକିବେଳେ କବିସୂର୍ଯ୍ୟ ବଳଦେବ ରଥଙ୍କ ଆର୍ବିଭାବ ଘଟେ । ସେ ହିଁ ପ୍ରଥମେ ସାହସ ବାନ୍ଧି ଭଂଜୀୟ ରୀତି ବ୍ୟତିରିକ୍ତ ଇତର ଏକ ସାହଲୀଳ ଶୈଳୀର ଆଶ୍ରୟ ନେଇ କବିତା ଆରମ୍ଭ କଲେ । ଯୋଗକୁ ସେ ଥିଲେ ହିନ୍ଦି, ଓଡ଼ିଆ, ସଂସ୍କୃତ, ବଙ୍ଗଳା ଓ ତେଲେଙ୍ଗା ଭାଷାରେ ସମାନ ଭାବେ ପାରଙ୍ଗମ । ତେଣୁ ସଂସ୍କୃତ ଭାଷାରେ ଯେପରି ସରସ ଶ୍ଳୋକମାନ ରଚନା କରିପାରୁଥିଲେ, ସେହିପରି ଭଂଜୀୟ ରୀତିରେ ସାଳଂକାର–

 

‘‘କଳା ବଳାହକ ତୁଳା ଦଳିତ ନୀଳକୁନ୍ତଳା

ଚଳାଚଳା ଚାରୁ ନେତ୍ରାଞ୍ଚଳା

ବାଳା ବଳୟ ଇଟଳା ଗଭା ସଦୃଶୀ ମଂଜୁଳା

 

ଦଳା ଗୋରଚନାଙ୍ଗୀ କୋମଳାରେ–କଳାବତୀ’’ ପ୍ରଭୃତି ଛାନ୍ଦ–ଚୌପଦୀ ଳେଖିବା ସଂଗେ ସଂଗେ

 

‘‘ଡର ନାହିଁ କି ହେ ପର ତରୁଣୀ ହରଣୁ

ଡୋର ଲାଗି ଘେର ପଡ଼ିବା ହେବଟି ଚୋର ପରି ଆଚରଣୁ ।’’

 

ପ୍ରଭୃତି ଲେଖି ଏକ ଅଭିନବ ଶୈଳୀର ସୂତ୍ରପାତ କରିଥିଲେ ଯାହା ତତ୍କାଳ ଜନସମାଜକୁ ଅତ୍ୟନ୍ତ ମୁଗ୍ଧ କରିପାରିଥିଲା ।ସେତିକି ନୁହେଁ, ଇତର ଭାଷାମାନଙ୍କ ମଧ୍ୟରୁ ନବନବ ଶବ୍ଦାବଳୀ ଯଥା ଫତୁରି ଖୋର, ଆଖର, ଢବା, ତେଣ୍ଟା, ଖାରା ପ୍ରଭୃତି ଆହରଣ କରି ଦେଖିଇଦେଲେ ଯେ, ଭାଷାକୁ ପରିପୁଷ୍ଟ କରିବାକୁ ହେଲେ ଏ ପ୍ରକାର ଆହରଣର ନିଶ୍ଚିତ ଆବଶ୍ୟକତା ରହିଛି । କିନ୍ତୁ ଏତିକି–ଆହରଣ କରିବା ଯେତିକି ସହଜ, ତାକୁ ଆଣି ସ୍ଵଭାଷୀ କରିବା ସେତିକି କଷ୍ଟସାଧ୍ୟ୍ୟ । ଆହର୍ତ୍ତା ତେଣୁ ସର୍ବଦା ସର୍ତକ ରହିବା ଉଚିତ । ଏହି ଦୃଷ୍ଟିଭଙ୍ଗୀ ଯୋଗୁ କବିସୂର୍ଯ୍ୟ କେବଳ ସ୍ରଷ୍ଟା ବା କବି ଭାବେ ନୁହେଁ, ଉତ୍ତରକାଳୀନ ଓଡ଼ିଆ ରଚନାଶୈଳୀର ଦିଗ୍‍ଦ୍ରଷ୍ଟା ରୂପେ ସମ୍ମାନିତ । ତାଙ୍କ ଦ୍ଵାରା ଅନୁପ୍ରାଣିତ ତାଙ୍କ ସମସାମୟିକ ଗୋପାଳକୃଷ୍ଣ, ବନମାଳୀ, ରଘୁନାଥ ପରିଚ୍ଚ୍ଥା, ପଦ୍ମନାଭ ପରିଚ୍ଚ୍ଥାଦିଙ୍କ ପରି ତତ୍‍ପରବର୍ତ୍ତୀ ରାଧାନାଥ ରାୟ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତିଙ୍କ ସମେତ ଉତ୍କଳମଣି ଗୋପବନ୍ଧୁ, ପଣ୍ତିତ ନୀଳକଣ୍ଠ ଦାସ, ମାୟାଧର ମାନସିଂ ପ୍ରମୁଖ କବିବୃନ୍ଦ ସରଳ, ସାବଲୀଳ ଶୈଳୀ ମାଧ୍ୟ୍ୟମରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି । ଏହାଙ୍କ ଅମଳରୁ ହିଁ ଓଡ଼ିଆ ସାହିତ୍ୟରେ ନବୀନ ଯୁଗର ଆରମ୍ଭ ହେଲା ବୋଲି କହିଲେ ଚଳେ, ଯାହାକୁ ଆମେ ଏବେ ଆଧୁନିକ ଆଖ୍ୟା ଦେଇ ଆସୁଛୁ ।

 

ଆଧୁନିକ ଓଡ଼ିଆ ସାହିତ୍ୟ କହଲେ ସାଧାରଣତଃ ଅତି ବେଶୀରେ ଗତ ଦେଢ଼ଶହ ବର୍ଷର କବିକୃତି ମାତ୍ର । ଏ ମଧ୍ୟରେ ମୁଖ୍ୟତଃ ଉପନ୍ୟାସ, ଗଳ୍ପ, ନାଟକ, କବିତା, ଏକାଙ୍କିକା ଏବଂ କିଛିଟା କାବ୍ୟ ମଧ୍ୟ ଅନ୍ତର୍ଭୁକ୍ତ । ସାହିତ୍ୟରେ ଯେତେବେଳେ ନବୀନ ଶୈଳୀଟିଏ ଅନୁସୃତ ହୁଏ, ତାହା ଯେକୌଣସି ଆଙ୍ଗିକତା ବହନ କରିଥାଉ ପଛେ, ଲୋକ ସମାଜରେ ଆଦୃତ ହେବା ସ୍ଵାଭାବିକ । ତାହା ଗଦ୍ୟ ହେଉ ବା ପଦ୍ୟ ହେଉ, ଓଡ଼ିଶାରେ ଇଂରେଜୀ ଶାସନର ଅବ୍ୟବହିତପୂର୍ବ ପର୍ଯ୍ୟନ୍ତ ଯେଉଁ ଆଦର୍ଶମୁଖୀ ସାହିତ୍ୟ ସୃଷ୍ଟି ହୋଇ ଆସୁଥିଲା, ତାହା ଏ ଯୁଗରେ ବାସ୍ତବମୁଖୀ ହୋଇଉଠିଲା । ଅର୍ଥାତ୍ ସାହିତ୍ୟ ସମାଜର ଦିଗ୍‍ଦର୍ଶକ ହେବା ପରିବର୍ତ୍ତେ ସମାଜ ସାହାତ୍ୟର ଖାଦ୍ୟପ୍ରାଣରେ ପରିଣତ ହେଲା । ସମସାମୟିକ ଯନ୍ତ୍ରଣାପୀଡ଼ିତ ସମାଜର ବିଭିନ୍ନ ସମସ୍ୟା ଅଭିନବ ଆଙ୍ଗିକତା ମାଧ୍ୟମରେ ପରିସ୍ପୁଟ ହେବାରେ ଲାଗିଲା । କିନ୍ତୁ ‘ଅଭିନବ’ ନାମରେ ଯେଉଁ ଶୈଳୀର ପ୍ରବର୍ତ୍ତନ ଘଟିଛି, ତାହା ଏକ ସହଜସାଧ୍ୟ ଶୈଳୀ ନୁହେଁ । ଅପାରଗ ଲେଖନୀରୁ ନିର୍ଗତ ହେଲେ ତାହା ସାହିତ୍ୟକୁ ଏପରି ଭାବେ କଳୁଷିତ କରିପକାଏ, ଯାହାର ପ୍ରତିକାର ଦୁଃସାଧ୍ୟ୍ୟ ହୋଇଉଠେ । ଏଣୁ ସେଥିପ୍ରତି ସାବଧାନ ରହିବା ବାଞ୍ଚ୍ଥନୀୟ । ଯାହାହେଉ, ଖ୍ରୀଷ୍ଟପୂର୍ବ ଯୁଗରୁ ଓଡ଼ିଶାର ସାହିତ୍ୟ ଯଦିଚ ବହୁ ଉତ୍‍ଥାନ ପତନ ଦେଇ ଗତିକରି ଆସିଛି, ତଥାପି ତାହାର ବର୍ଣ୍ଣାଢ୍ୟତା ଲୁପ୍ତ ହୋଇନାହିଁ, କିମ୍ଵା ଅନ୍ୟାନ୍ୟ ପ୍ରାଦେଶିକ ସାହିତ୍ୟ ତୁଳନାରେ ସେ ଆଦୌ ପଛରେ ପଡ଼ିନାହିଁ, ଏହା ଆଶ୍ଵାସନାର କଥା ।

 

ସୁଧୀବୃନ୍ଦ ! ଓଡ଼ିଆ ଭାଷା ଓ ସାହିତ୍ୟର ପୁଙ୍ଖାନୁପୁଙ୍ଖ ଆଲୋଚନା ଏକ କ୍ଷୁଦ୍ର ପ୍ରବନ୍ଧର ପରିସର ମଧ୍ୟରେ ସମ୍ଭବ ନୁହେଁ । ତେଣୁ ସାଙ୍କେତିକ ରୀତିରେ କେବଳ କିଛିଟା ଆପଣମାନଙ୍କ ସମ୍ମୁଖରେ ଉପାସ୍ଥାପନ କରିଛି । ଦୋଷତ୍ରୁଟି ମାର୍ଜନା କରିବେ ବୋଲି ଏକାନ୍ତ ଅନୁରୋଧ । ଉକ୍ତ ଅଛି–

 

‘‘ଚଳତଃ ସ୍କଳନଂ କ୍ଵାପି ଭବତ୍ୟେବ ପ୍ରମାଦତଃ

ହସନ୍ତି ଦୁର୍ଜନାସ୍ତତ୍ର ସମାଦଧତି ସଜ୍ଜନାଃ ।’’

ଇତି ଶମ୍ ।

Image

 

ଓଡ଼ିଶାର ସାଂସ୍କୃତିକ ପରମ୍ପରା

 

ସଂସ୍କୃତି ହେଉଛି ଜାତିର ମେରୁଦଣ୍ତ । ଯେଉଁ ଜାତିର ସଂସ୍କୃତି ଯେତିକି ସମୃଦ୍ଧ, ସେ ଜାତି ସେତିକି ଉନ୍ନତ ଓ ପ୍ରାଣବନ୍ତ । ଉନ୍ନତ ସଂସ୍କୃତି ଦ୍ଵାରା ଜାତି ବିଶ୍ଵ ଦରବାରରେ ସମ୍ମାନଲାଭ କରିଥାଏ । ଯଦିଚ କାଳର ପ୍ରବହମାନତା ମଧ୍ୟରେ ଥରେ ଥରେ ତାର ବାହ୍ୟାକୃତିରେ ପରିବର୍ତ୍ତନ ଦେଖାଦିଏ, ତଥାପି ସଂସ୍କୃତିର ଅନ୍ତର୍ନିହିତ ପ୍ରାଣଧାରା ଉଜ୍ଜୀବିତ ଥାଏ । ବୃକ୍ଷର ଚେରପରି ତାହାର ଆତ୍ମିକ ପରିବର୍ତ୍ତନ କେବେହେଲେ ସଂଘଟିତ ହୁଏ ନାହିଁ । ପାଣି ପବନର ସୁଷମତା ଯୋଗୁଁ ହୁଏ ତ ବୃକ୍ଷ କେତେବେଳେ ସବୁଜ ଡାଳପତ୍ର ମେଲି ପୁଷ୍କଳ ଆକାର ଧାରଣ କଲାବେଳେ ପୁଣି କେତେବେଳେ ଅସମତା ହେତୁ କୃଶାବସ୍ଥା ପ୍ରାପ୍ତ ହୋଇଥାଏ, କିନ୍ତୁ ଚେର ଯାହା ତାହା ହିଁ ଥାଏ । ଜାତି ପକ୍ଷରେ ବି ସେଇକଥା । କେତେକ ପାରିପାର୍ଶ୍ୱିକ କାରଣରୁ ତାର ବାହ୍ୟାବରଣରେ କିଛିଟା ପରିବର୍ତ୍ତନ ଦୃଷ୍ଟ ହେଲେ ସୁଦ୍ଧା ମୂଳ ସଂସ୍କୃତି ଅପରିବର୍ତ୍ତିତ ଥାଏ, ଯାହା ଜାତିର ନିଜସ୍ଵ । ଏଣୁ କୌଣସି ଜାତିକୁ ଭଲ କରି ଜାଣିବାକୁ ହେଲେ ତା’ର ସଂସ୍କୃତି ଉପରେ ପ୍ରଥମେ ଦୃଷ୍ଟିପଡ଼େ ।

 

କିନ୍ତୁ ସଂସ୍କୃତି କହିଲେ କ’ଣ ବୁଝାଏ ? ଏହାକୁ ଇଂରାଜୀରେ ‘କଲ୍‍ଚର୍‍’ କହନ୍ତି । କିନ୍ତୁ ଜାତିର କେଉଁ ବାଭାବଟି କଲ୍‍ଚର୍‍ ନାମରେ ନାମିତ ଦେଖିବାର କଥା । ଏହି ଶବ୍ଦଦ୍ଵାରା କ’ଣ ବା ସଙ୍କେତିତ ? ଧର୍ମ ? ଲୋକାଚାର ? ଜୀବନ ଯାତ୍ରା ? ପରମ୍ପରା ? ନା ସାମାଜିକ ଚଳଣି ? କାହିଁକି ନା ସାହିତ୍ୟିକ, ଐତିହାସିକ, ସମାଜ ବିଜ୍ଞାନୀ, ନୃତତ୍ତ୍ଵ ବିଶାରଦ ପ୍ରଭୃତି ପଣ୍ତିତଗଣ ଏହାର ଭିନ୍ନ ଭିନ୍ନ ବ୍ୟାଖ୍ୟା କରନ୍ତି । ସ୍ଥୂଳ ଦୃଷ୍ଟିରେ ଦେଖିଲେ ମନେହୁଏ, କେଉଁ ବ୍ୟାଖ୍ୟା ସହିତ କାହାର ମେଳ ନାହିଁ । ଅଥଚ ସୂକ୍ଷ୍ମ ଦୃଷ୍ଟି ଦେଇ ବିଚାର କଲେ ଜଣାପଡ଼େ, ସେହି ଅମେଳ ମଧ୍ୟରେ ସୁଦ୍ଧା ଏପରି ଏକ ମିଳନ ସୂତ୍ର ରହିଛି, ଯାହା ରଙ୍ଗବେରଙ୍ଗର ପୁଷ୍ପାବଳୀକୁ ମାଳା ମଧ୍ୟରେ ଗୁନ୍ଥି ଧରି ରଖିଥିଲା ପରି ସବୁଗୁଡ଼ିକୁ ଐକ୍ୟବଦ୍ଧ କରିରଖିଛି । ଏହାରି ନାମ ହିଁ ‘ସଂସ୍କୃତି’ ଯାହା ‘କଲ୍‍ଚର୍‍’ ଶବ୍ଦ ଅପେକ୍ଷା ଆଉ ଟିକିଏ ବ୍ୟାପକ ଅର୍ଥରେ ପ୍ରଯୁକ୍ତ ।

 

ବାସ୍ତବିକ ଦେଖିବାକୁ ଗଲେ ସଂସ୍କୃତି ଜୀବନର ଗୋଟିଏ ଉତ୍ସ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ଉତ୍ସ ସର୍ବଦା ପ୍ରବାହିତ । ତାକୁ କେହି ବାହାରେ ପ୍ରକାଶ କରିପାରନ୍ତି ତ କେହି ବା ପ୍ରଚ୍ଚ୍ଥନ୍ନ ରଖିଥାଆନ୍ତି । କିନ୍ତୁ ସଂସ୍କୃତି ପ୍ରଥମେ ବ୍ୟକ୍ତିଗତ ଜୀବନରେ ପ୍ରକଟିତ ହୋଇ ଗୋଷ୍ଠୀ ଭିତରକୁ, ଗୋଷ୍ଠୀରୁ ସମାଜକୁ, ସମାଜରୁ ଦେଶ ଭିତରକୁ ଏବଂ ଦେଶରୁ ସାରା ପୃଥିବୀକୁ ସଂକ୍ରମିତ ହୋଇଥାଏ । ଅନ୍ୟପକ୍ଷରେ, ବିଲୋମ ମାର୍ଗରେ ଗତି କରି ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିଥାଏ । ଆଜି ଆମେ ଯେଉଁ ଯୁଗ ସନ୍ଧିରେ ରହିଛୁ ସେ ଯୁଗର ସଂସ୍କୃତି କହିଲେ ପ୍ରଥମେ ଆମ ଆଖିରେ ପଡ଼େ ବିଜ୍ଞାନ ଓ ଯାନ୍ତ୍ରିକ; ସଂସ୍କୃତି ଯା’ର ପରିପ୍ରକାଶ ଓ କ୍ରମବୃଦ୍ଧି ଆମ ଉପରେ ଅଖଣ୍ତ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଫଳରେ ଆତ୍ମିକ ସଂସ୍କୃତି ତା’ଠାରୁ ଅନେକ ସମୟରେ ଦୂରେଇ ରହିଯାଉଛି । ଅର୍ଥାତ୍ ଆତ୍ମିକ ସଂସ୍କୃତିର ପରିପ୍ରକାଶକ ଉପାଦାନମାନ ଯାନ୍ତ୍ରିକ ସଭ୍ୟତା ବଳରେ କ୍ରମଶଃ ତଦ୍‍ଭାବ –ଭାବିତ ହୋଇପଡ଼ୁଛି ।

 

ସେଥିଲାଗି ଅନେକ ସମୟରେ ଅନୁଭୂତ ହୁଏ ସାଂପ୍ରତିକ ଯୁଗରେ ଦୁଇଟି ସଭ୍ୟତା ବା ସଂସ୍କୃତି ସମାନ୍ତରାଳ ଭାବରେ ଗତି କରିବାରେ ଲାଗିଛି । ଗୋଟିଏ ହେଉଛି ସ୍ଵ ସ୍ଵ ଜାତିର ଅନ୍ତର୍ନିହିତ ସଂସ୍କୃତି, ଯାହାକୁ ମାନବିକ ସଂସ୍କୃତି ବୋଲି କୁହାଯାଏ ଏବଂ ଅନ୍ୟଟି ବୈଜ୍ଞାନିକ ସଂସ୍କୃତି ଯାହା ପୃଥିବୀର ସମସ୍ତ ପ୍ରାନ୍ତରେ ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଛି । କେବଳ ସେତିକି ନୁହେଁ ଏହା ମାନବୀୟ ସଂସ୍କୃତି ଉପରେ ପ୍ରଚଣ୍ତ ଆକ୍ରମଣ ଚଳାଇ ତାକୁ ସମୂଳେ ଲୋପ କରିଦେବାକୁ ବସିଥିବା ପରି ଜଣାଯାଏ । ଫଳରେ ସାଧାରଣ ଜୀବନରେ ପାରମ୍ପରିକ ସଂସ୍କୃତି ଯେଉଁ ସ୍ଥାନ ରଖିବାର କଥା ତାହା ସେ ରଖିପାରୁ ନାହିଁ; ପୁନଶ୍ଚ ଆଧୁନିକ ପୃଥିବୀରେ ନାନାବିଧ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଚିନ୍ତାଧାରାର ଅଭ୍ୟୁଦୟ ହେତୁ ତାହା ଜୀବନଠାରୁ ପୃଥକ୍ ବୋଲି ଧାରଣା ସୃଷ୍ଟି ହୋଇପଡ଼ୁଛି । ଫଳରେ ସାଧାରଣ ଜୀବନର ବୈବିଧ୍ୟ ବା ସ୍ଵାତନ୍ତ୍ର୍ୟ ଏକମୁଖୀ ହୋଇପଡ଼ୁଛି । ଅର୍ଥାତ୍ ସମଗ୍ର ମାନବ ଜାତି ଏକ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇପଡ଼ିଥିବା ମନେ ହୁଏ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ତଥାକଥିତ ସମଗ୍ର ଶିକ୍ଷିତ ସମାଜ ଯଦି ସେଥିଦ୍ଵାରା ଅନୁପ୍ରାଣିତ ହୁଅନ୍ତି ଓଡ଼ିଶାବାସୀ ସେଥିରୁ ବା ନିବୃତ୍ତ ହେବେ କିପରି ! ବିଶେଷତଃ ଯେଉଁଗୁଡ଼ିକ ସଂସ୍କୃତି ପରିପ୍ରକାଶର ମାଧ୍ୟମ ବୋଲି କୁହାଯାଏ, ଯଥା- ସାହିତ୍ୟ, ସଙ୍ଗୀତ, ନୃତ୍ୟ ସମେତ ନବନବ ବୈଜ୍ଞାନିକ ପ୍ରଣାଳୀରେ ଉଦ୍‍ଭୂତ ସିନେମା, ଟେଲିଭିଜନ୍, ଭ.ଡି.ଓ ପ୍ରଭୃତି ଅତି ସହଜରେ ଅନାୟାସରେ ଯେତେବେଳେ ମାନସିକ ସ୍ତରରେ ପ୍ରଭାବ ବିସ୍ତାର କରିବାରେ ତତ୍ପର ତାକୁ ଅତିକ୍ରମ କରି ନୈତିକ ମୂଲ୍ୟବୋଧର ନୀରବ ପ୍ରକାଶକ ପାରମ୍ପରିକ ସଂସ୍କୃତି ସାଧାରଣ ଜନଜୀବନରେ ଆଦୃତ ହେବା କେତେ ଯେ କଷ୍ଟସାଧ୍ୟ ଆପଣମାନେ ଅନୁଭବ କରୁଥିବେ । କିନ୍ତୁ ଏଥିଦ୍ଵାରା ବ୍ୟକ୍ତିର ଆତ୍ମିକ ବିକାଶ କେତେଦୂର ସମ୍ଭବ ହୋଇପାରିଛି ମୁଁ କହିପାରୁନି କିନ୍ତୁ ସମାଜର ନୈତକ ମୂଲ୍ୟବୋଧ ଯେ ବ୍ୟାହତ ହୋଇପଡ଼ୁଛି ଏଥିରେ ସନ୍ଦେହ ନାହିଁ । ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ସଂସ୍କୃତି ଆଦି କି ପ୍ରକାର ଅବସ୍ଥା ମଧ୍ୟରେ ଗତିକରୁଛି ଦେଖିବାର କଥା ।

 

ସୁଧୀବୃନ୍ଦ ! ଓଡ଼ିଶାର ସାଂସ୍କୃତିକ ପରମ୍ପରା ବିଷୟକ ଆଲୋଚନାରେ ଉପରୋକ୍ତ ମନ୍ତବ୍ୟ-ପ୍ରକାଶର ପ୍ରାସଙ୍ଗିକତା କେତେ ତାହା ମୁଁ କହିପାରୁନି, କିନ୍ତୁ ତାହା ଓଡ଼ିଶାର ସଂସ୍କୃତିକୁ ଯେ ଗ୍ରାସ କରିବାକୁ ବସିଛି ଏହା ସମସ୍ତେ ଅନୁଭବ କରୁଥିବେ । ଅନେକେ କହନ୍ତି, ଆନ୍ୟାନ୍ୟ ପ୍ରାନ୍ତ ଅପେକ୍ଷା ଓଡ଼ିଶାରେ ସେ ସଭ୍ୟତା ବା ସଂସ୍କୃତିର ପ୍ରଭାବ ଅପେକ୍ଷାକୃତ କମ୍ ହୋଇପାରେ । ଏହାର ନାନା କାରଣ ଥାଇପାରେ । କିନ୍ତୁ ଆମେ ଯଦି ଆମ ସମାଜର ଭିତ୍ତିଭୂମି ଓ ଗଠନ ପ୍ରଣାଳୀ ଅନୁଧ୍ୟାନ କରୁ, ତାହେଲେ ଦେଖିପାରିବା ଏହି ଯେଉଁ ସୁଦୂର ପାଶ୍ଚାତ୍ୟ ଦେଶରେ ଜନ୍ମଲାଭ କରିଥିବା ବୈଜ୍ଞାନିକ ସଂସ୍କୃତିର କାୟା ବିସ୍ତାର ଘଟିବାରେ ଲାଗିଛି ସେଥିଦ୍ଵାରା ମଣିଷର ମଣିଷ ସହିତ, ସମାଜ ସହିତ, ପ୍ରକୃତି ସହିତ ବିଶେଷତଃ ସୃଷ୍ଟିକର୍ତ୍ତାଙ୍କ ସହିତ ସମ୍ପର୍କ ଯାହାକି ଆମ ଦେଶୀୟ ସଂସ୍କୃତିର ପ୍ରାଣବୀଜ ରୂପେ ପରିଚିତ ଏବଂ ଯାହା ଆମ ସାହିତ୍ୟରେ, ସଙ୍ଗୀତରେ, ଚିତ୍ର କଳାରେ, ଭାସ୍କର୍ଯ୍ୟରେ, ନୃତ୍ୟରେ, ଖାଦ୍ୟପେୟ, ବେଶ-ଭୂଷା ସବୁରେ ପ୍ରତିଫଳିତ ରହିଥିଲା ତାହା କ୍ରମଶଃ ଲୁପ୍ତ ହେବାରେ ଲାଗିଛି । ଏଥିପ୍ରତି ଏବହୁଁ ସାବଧାନ ନ ରହିଲେ ତାହା ଅଚିରେ କାଳଗର୍ଭରେ ବିଲୀନ ହୋଇପଡ଼ିବ ।

 

ବଜ୍ଞ ଶ୍ରୋତାମଣ୍ତଳୀ ! ଏଯାଏଁ କେବଳ ସାଧାରଣ ସଂସ୍କୃତି ସମ୍ଵନ୍ଧରେ କେତେକ ଆଭାସ ଦେଇଛି । ବର୍ତ୍ତମାନ ଓଡ଼ିଶାର ସଂସ୍କୃତି ସମ୍ଵନ୍ଧରେ ଯତ୍‍କିଂଚିତ୍ କହିବାକୁ ଯିବି ।

 

ସୁଧୀବୃନ୍ଦ ! ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ସଂସ୍କୃତି ଠାରୁ ଓଡ଼ିଶାର ସଂସ୍କୃତିର ଏକ ଏକକ ବୈଶିଷ୍ଟ୍ୟ ରହିଛି, ଏ କଥା ସ୍ଵୀକାର କରିବାକୁ ପଡ଼ିବ । ଭାରତର ଉତ୍ତର ଭୂଖଣ୍ତରେ ଆର୍ଯ୍ୟାବର୍ତ୍ତର ସଂସ୍କୃତି ଯେପରି ପ୍ରାଧାନ୍ୟ ବିସ୍ତାର କରି ଜୟପତାକା ଉଡ଼ାଇ ଅଛି, ସେହିପରି ଦକ୍ଷିଣ ଭୂଭାଗରେ ଦ୍ରାବିଡ଼ ସଂସ୍କୃତି ଅଖଣ୍ତ ସାମ୍ରାଜ୍ୟ ବିସ୍ତାର କରି ରହିଛି । ୟା’ବୋଲି ଉତ୍ତର ଭାରତୀୟ ସଂସ୍କୃତୀରେ ଦାକ୍ଷିଣାତ୍ୟ ସଂସ୍କୃତି ବା ଦକ୍ଷିଣ ଭାରତୀୟ ସଂସ୍କୃତିରେ ଉତ୍ତରାଖଣ୍ତର ସଂସ୍କୃତି ଆଦୌ ପ୍ରଭାବ ପକାଇ ନାହିଁ କହିଲେ ଭୁଲ ହେବ । ପରସ୍ପର ଏକତ୍ରାବସ୍ଥାନ ଫଳରେ ଯେ କୌଣସି ସଂସ୍କୃତି ହେଉ ପରସ୍ପର ଉପରେ କିଛି ନା କିଛି ପ୍ରଭାବ ବିସ୍ତାର ନକରି ଛାଡ଼ନ୍ତିନି । ଏହା ପ୍ରକୃତିର ନିୟମ-ବାସ୍ତବ ଅଭିଜ୍ଞତା । କିନ୍ତୁ ଏତିକି, କିଏ କାହା ଉପରେ କେତେ ପରିମାଣରେ ଆପଣା କର୍ତ୍ତୃତ୍ଵ ଜାରି କରିପାରିଛି ତାହାହିଁ ଦେଖିବାର କଥା । କିନ୍ତୁ ତଦ୍‍ବିଦ୍‍ମାନେ କହନ୍ତି-ଉତ୍ତର ଓ ଦକ୍ଷିଣ ଉଭୟ ସଂସ୍କୃତି ଉଭୟ ଉପରେ ପ୍ରଭାବ ବିସ୍ତାର କରିଛନ୍ତି । ଯଦିଚ ଦ୍ରାବିଡ଼ ସଂସ୍କୃତି ଉପରେ ଆର୍ଯ୍ୟ ସଂସ୍କୃତିର ପ୍ରଭାବ ଅପେକ୍ଷା ଆର୍ଯ୍ୟ ସଂସ୍କୃତିରେ ଅପରପକ୍ଷର ପ୍ରଭାବ କମ । ଏ କଥାର ସତ୍ୟତା ବାସ, ଗ୍ରାସ, ଆଚାର, ବିଚାର, ବେଶ, ଭୂଷା, ପ୍ରଭୃତିରୁ ସୁନ୍ଦର ଅନୁମାନ କରିହୁଏ-। କିନ୍ତୁ ଓଡ଼ିଶା ବା ଓଡ଼ିଆ ସଂସ୍କୃତି କଥା ବିଚାର କଲେ ଏହା ଏକ ଇତର ବିଶେଷ ବୋଲି ମନେହୁଏ ।

 

ପ୍ରଥମେ ଦେଖନ୍ତୁ ଓଡ଼ିଶାର ଭୌଗୋଳିକ ଅବସ୍ଥିତ । ଏହା ଗୋଦାବରୀ ଠାରୁ ଗଙ୍ଗାକୂଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ସମସ୍ତେ ଏକମତ । ତହାକୁ କଳିଙ୍ଗ କୁହାଯାଉଥିଲା ଅବଶ୍ୟ ବିଭିନ୍ନ ସମୟରେ ତାହା ଉତ୍କଳ, କଙ୍ଗୋଦ, ସମାପ, ଓଷଳୀ, ମୋଷଳୀ, ତୋଷଳୀ, କୋଶଳୀ ପ୍ରଭୃତି ବିଭିନ୍ନ ନାମରେ ଅଭିହିତ ହୋଇଆସିଛି । ଏହାର ଆଦିମ ଅଧିବାସୀ ହେଉଛନ୍ତି ଆଦିବାସୀ ଶବର ଗୋଷ୍ଠୀ । ଏମାନେ ବଣଜଙ୍ଗଲର ପ୍ରାଣୀ । ସରଳ ଓ ନିରାଡ଼ମ୍ଵର ଏମାନଙ୍କ ଜୀବନଯାତ୍ରା । ଆଚାର, ବିଚାର, ପୂଜା, ଉପାସନା, ଭାଷା, ସଂସ୍କୃତି ସବୁଥିରେ ଅପେକ୍ଷାକୃତ ଦୁର୍ବଳ-। ଏ ଜାତିର ଯଦିଚ ଦୃଢ଼ ନିଷ୍ଠା ଓ ସରଳ ବିଶ୍ଵାସ ସ୍ଵଭାବଜ ଗୁଣ ଏମାନଙ୍କ ଭିତରେ ଉତ୍ତର ଭାରତୀୟ ଏବଂ ଦକ୍ଷିଣ ଭାରତର ଦ୍ରବିଡ଼ୀୟ ଉଭୟ ସଂସ୍କୃତି ପରବର୍ତ୍ତୀକାଳରେ ଉଭୟଘଟୁ ଆସି ଏତେଦୂର ଆସନ ଜମାଇ ବସିଲେ ଯେ ନା କେହି କାହାରିଠାରୁ ଦୂରେଇ ରହିପାରିଲା ନା କେହି କାହାରି ମଧ୍ୟରେ ଅନ୍ତର୍ଲୀନ ହେଲା । ଫଳରେ ଏଠାରେ ସ୍ଥାନୀୟ ସଂସ୍କୃତି ସହିତ ଅନ୍ୟାଗତ ଦ୍ଵିବିଧ ସଂସ୍କୃତିର ମିଶ୍ରଣ ଘଟି ଏପରି ଏକ ବିଚିତ୍ର ସଂସ୍କୃତିର ଆବିର୍ଭାବ ଘଟିଲା, ଯାହା ଉତ୍ତର କିମ୍ଵା ଦକ୍ଷିଣର ଏକକ ସଂସ୍କୃତି ପରି କୌଣସି ଗୋଟିଏ ଆତ୍ମିକ ଗୁଣର ଅଧିକାରୀ ହୋଇପାରିଲା ନାହିଁ । ଫଳରେ ସେଠାରେ ଏକ ସମନ୍ଵିତ ସଂସ୍କୃତିର ଅଭ୍ୟୁଦୟ ଘଟି ପରବର୍ତ୍ତୀ କାଳରେ ତାହାର ସଂଜ୍ଞା ହେଲା ‘ଓଡ଼ିଆ ସଂସ୍କୃତି’ ଏବଂ ଯାହାକୁ ଆମେ ଜଗନ୍ନାଥ ସଂସ୍କୃତି ବୋଲି କହିଆସୁଛୁ ।

 

ବର୍ତ୍ତମାନ ଦେଖିବା ଏ ସଂସ୍କୃତିର ସ୍ଵରୂପ କ’ଣ ? ଆଗରୁ କହିଛି ସଂସ୍କୃତି ଜାତିର ପ୍ରାଣସତ୍ତା । ପ୍ରାଣର ବିଶ୍ଳେଷଣ ଯେପରି ସମ୍ଭବ ନୁହେଁ, ସେହିପରି ସଂସ୍କୃତିର ମଧ୍ୟ । ଶରୀରର ଚଳପ୍ରଚଳ ଓ କର୍ମ ପ୍ରବଣତାକୁ ଧରି ଯେପରି ପ୍ରାଣର ସତ୍ତା ଅନୁଭୂତ ହୁଏ ସେହିପରି କର୍ମ ନିଷ୍ଠା ଓ ବିକାଶୋନ୍ମୁଖିତା ଦେଖି ସଂସ୍କୃତିର ବଳିଷ୍ଠତା ଓ ଦୃଢ଼ମୂଳତା ଅନୁମିତ ହୁଏ । ଏଣୁ ଜାତିକୁ ଶରୀର ବୋଲି ଧରିନେଲେ ସଂସ୍କୃତି ତାହାର ପ୍ରାଣ ଏବଂ ସଭ୍ୟତା ତାହାର ପ୍ରତିବିମ୍ଵ । ସଂସ୍କୃତି ସଭ୍ୟତା ମାଧ୍ୟମରେ ଆତ୍ମପ୍ରକାଶ କରେ ଏବଂ ସଭ୍ୟତା ସଂସ୍କୃତିର ସୂକ୍ଷ୍ମାତିସୂକ୍ଷ୍ମ ରହସ୍ୟ ଲୋକଲୋଚନରେ ଉପସ୍ଥାପିତ କରେ । ତେଣୁ ଉଭୟ ଏକାକାର ଜଣାପଡ଼ନ୍ତି । ସଂସ୍କୃତିର ସ୍ଵରୂପ ବିବେଚନା କଲାବେଳେ ସେହି କଥାଟି ମନେ ରଖିବାକୁ ପଡ଼ିବ ।

 

ଆଗରୁ ସୂଚନା ଦିଆଯାଇଛି, ଭାରତୀୟ ସଂସ୍କୃତି ଯେପରି ମାନବୀୟ ସଂସ୍କୃତିର ଅନୁପୂରକ ଓଡ଼ିଆ ସଂସ୍କୃତି ସେହିପରି ଭାରତୀୟ ସଂସ୍କୃତିର ପରିପୂରକ । ମଣିଷ ହିସାବରେ ଓଡ଼ିଆ ମାନବ ସଂସ୍କୃତି ସମ୍ପନ୍ନ ସତ, ତଥାପି ‘ଓଡ଼ିଆ’ ଭାବେ ତାହାର କେତେକ ସ୍ଵାତନ୍ତ୍ର୍ୟ ରହିଛି ଯାହା ଇତର ଭାରତୀୟଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ସେ ମଧ୍ୟରୁ କେତୋଟିର ସୂଚନା ଦିଆଯାଉଛି ।

 

ସଂସ୍କୃତି ଯଦିଚ କୌଣସି ଏକ ବସ୍ତୁ ନୁହେଁ ଯାହାକୁ ହାତରେ ଧରି ଦେଖାଇ ହେବ । ତଥାପି ମଣିଷର ଜୀବନୀ ଶକ୍ତି ପରି ଏହା ଅନୁଭବ-ବୋଧ୍ୟ । ସମାଜର ବିକାଶୋନ୍ମୁଖୀ କର୍ମଧାରା ମଧ୍ୟରେ ତାହା ଅଲକ୍ଷିତ ଭାବେ ପ୍ରତିଫଳିତ ହୋଇଥାଏ । ତାହାର ପ୍ରକାଶକ ମାଧ୍ୟମ ହେଉଛି ଆଚାର, ଆହାର, ନୃତ୍ୟ, ସଙ୍ଗୀତ, ସାହିତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା ପ୍ରଭୃତି । ଆଚାରରେ ତାହା ଅଭିବ୍ୟଞ୍ଜିତ ହୁଏ, ଆହାରରେ ପ୍ରତିଫଳତ ହୁଏ, ସଙ୍ଗୀତରେ ପ୍ରତିଧ୍ଵନିତ ହୁଏ, ନୃତ୍ୟରେ ଛନ୍ଦାୟିତ ହୁଏ, ଚିତ୍ରରେ ଲୀଳାୟିତ ହୁଏ ଏବଂ ଭାସ୍କର୍ଯ୍ୟରେ ମୂର୍ତ୍ତିମନ୍ତ ହୁଏ । ୟା’ ବାଦ୍ ଧର୍ମବିଶ୍ଵାସ ସେ ସବୁକୁ ପ୍ରାଣବନ୍ତ କରିଥାଏ । ତେଣୁ ପ୍ରକାଶକ ମାଧ୍ୟମଗୁଡ଼ିକ ସଂସ୍କୃତି ମଧ୍ୟରେ ଅନ୍ତର୍ଭୁକ୍ତ ହୁଅନ୍ତି । ସେ ସବୁର ମାନ ଅନୁଯାୟୀ ସଂସ୍କୃତିର ମାନ ନିରୂପିତ ହୁଏ ।

 

ପ୍ରଥମେ ଦେଖିବା ଆଚାର ମଧ୍ୟରେ ଓଡ଼ିଆ ସଂସ୍କୃତିର ସ୍ଵରୂପ କିପରି ପ୍ରକଟିତ । ଆଚାର ତ୍ରିବିଧ- ଦେଶାଚାର, କୁଳାଚାର ଓ ଲୋକାଚାର । ବର୍ତ୍ତମାନର ଓଡ଼ିଶା କହିଲେ ଆଗକାଳର ଉତ୍କଳ, କଳିଙ୍ଗ ଓ କୋଶଳର ସମ୍ମିଶ୍ରଣ । ଏପରି କେତେକ ଆଚାର ରହିଛି ଯାହା କଳିଙ୍ଗରେ ଦେଖାଗଲେ ମଧ୍ୟ କୋଶଳରେ ନାହିଁ କିମ୍ଵା ଉତ୍କଳରେ ପ୍ରଚଳିତ ଥିଲେ ମଧ୍ୟ କଳିଙ୍ଗରେ ନାହିଁ । ଏହାକୁ ଦେଶାଚାର କୁହାଯାଏ । ଉଦାହରଣ ରଜର୍ପବ । ଏ ଓଡ଼ିଶାର ପର୍ବ- ଓଡ଼ିଆ ସଂସ୍କୃତି-। କିନ୍ତୁ ଏହା ଦକ୍ଷିଣ ଓଡ଼ିଶାରେ ଯେପରି ଭାବେ ପାଳିତ ହୁଏ, ଉତ୍ତର ଓଡ଼ିଶାରେ ସେପରି ହୁଏ ନାହିଁ । ଦକ୍ଷିଣ ଓଡ଼ିଶାରେ ଏହା ‘ଭୂ-ରଜସ୍ଵଳା’ ଉତ୍ସବ ରୂପେ ତିନିଦିନ ପାଳିତ ହୁଏ । ପୃଥବୀ ରଜୋବତୀ ହେବା ଯୋଗୁଁ ସେ ଦିନମାନଙ୍କରେ କୌଣସି ନାରୀ କୌଣସି କାର୍ଯ୍ୟ କରନ୍ତି ନାହିଁ । ପନିପରିବା ପନିକିରେ କଟାଯିବ ନାହିଁ । ଶିଳ, ପେଷଣାରେ ମସଲା, ବେସର ପ୍ରଭୃତି ବଟାଯିବ ନାହିଁ ଏବଂ ମାଟି ଉପରେ କୌଣସି ଲୁହା ଜିନିଷ ଲଗାଯିବ ନାହିଁ । କିନ୍ତୁ ଉତ୍ତର ଓଡ଼ିଶାରେ ପହିଲି ରଜ ମହାସମାରୋହରେ ପାଳିତ ହୁଏ । କୁଆଁରୀ କନ୍ୟାମାନେ ହଳଦୀ, ଅଁଳା ପ୍ରଭୃତି ଲଗାଇ ବଡ଼ିସକାଳୁ ସ୍ନାନ ସାରି ଘରକୁ ଆସନ୍ତି । ରଜଗୀତ ଓ ଦୋଳିଗୀତ ଗାଆନ୍ତି, ପୁଚି ଖେଳନ୍ତି । ଏହାର ନାଁ ଦେଶାଚାର । ରଜପର୍ବ ଓଡ଼ିଆ ସଂସ୍କୃତି କିନ୍ତୁ ଏହାର ପାଳନ ପ୍ରକ୍ରିୟା ଦେଶାଚାରରେ ଗଣ୍ୟ । ସେହିପରି ନୂଆଖିଆ ବା ନବାନ୍ନ ଭକ୍ଷଣ ଓଡ଼ିଆ ସଂସ୍କୃତି । କିନ୍ତୁ ପଶ୍ଚିମ ଓଡ଼ିଶାରେ ଏହା ଯେପରି ବିଧିବଦ୍ଧ ଭାବେ ସାଡ଼ମ୍ଵର ପାଳିତ ହୁଏ, ଉତ୍ତର ବା ଦକ୍ଷିଣ ଓଡ଼ିଶାରେ ସେପରି ହୁଏନାହିଁ-। ପଶ୍ଚିମ ଓଡ଼ିଶାରେ ନିର୍ଦ୍ଦିଷ୍ଟ ଦିନଟିଏ ସ୍ଥିରକରି ସେଦିନ ସମସ୍ତେ ଶୁଦ୍ଧପୂତ ହୋଇ ନବାନ୍ନ ଭକ୍ଷଣ କଲାବେଳେ ଓଡ଼ିଶାର ଆନ୍ୟ ଭାଗରେ ଗୃହକର୍ତ୍ତାଙ୍କ ରାଶି- ନକ୍ଷତ୍ର ଅନୁଯାୟୀ ଦିନ ସ୍ଥିର କରିବାକୁ ପଡ଼େ । ପରିପାଳନ ପ୍ରଣଳୀ ଭିନ୍ନ ହେଲେ ସୁଦ୍ଧା ଏହା ଓଡ଼ିଆ ସଂସ୍କୃତି- ଅନ୍ୟ ନାମ ଦେଶାଚାର । ସେହିପରି ଓଡ଼ିଆ କୁଳବଧୂମାନେ ଗୁରୁଜନଙ୍କ ପାଦସ୍ପର୍ଶ ନ କରି ଭୂଇଁକୁ ମୁଣ୍ଡ ଲଗାଇ ଓଲଗି ହେବା, ଭାଇବୋହୂ ଦେହରେ ଦେଢ଼ଶୂରଙ୍କ ଛାଇ ନ ପଡ଼ିବା, ବିବାହ ପରେ କୁଳନାରୀ ସାବିତ୍ରୀ ବ୍ରତ କରିବ, ସିନ୍ଦୂର ଟୋପା ଲଗାଇବା ପ୍ରଭୃତି ଓଡ଼ିଆ ସଂସ୍କୃତିର ଇତର ବିଶେଷ ମାତ୍ର । ସେହିପରି ଜ୍ୟେଷ୍ଠମାସ ପୂର୍ଣ୍ଣମୀରେ ଜ୍ୟେଷ୍ଠ ସନ୍ତାନର ନୂଆବସ୍ତ୍ର ଏବଂ ପ୍ରଥମାଷ୍ଟମୀରେ ପଢ଼ୁଆଁ ପିଲାଙ୍କୁ ଚନ୍ଦନପାଟୀ ଲଗାଇବା ଓଡ଼ିଆ ସଂସ୍କୃତିର ଅନ୍ୟତମ ପ୍ରତୀକ ରୂପେ ଗୃହୀତ ।

 

କୁଳାଚାର ମଧ୍ୟରେ ସୁଦ୍ଧା ଓଡ଼ିଆ ସଂସ୍କୃତି ବହୁତ୍ର ପରିଲକ୍ଷିତ । କନ୍ୟାଘରେ ବିବାହ ସଂପାଦିତ ହେବା ଓଡ଼ିଆ ସଂସ୍କୃତି, କିନ୍ତୁ ବିବାହ ସମୟରେ ବର କେଉଁଠି ଘୋଡ଼ା ପିଠିରେ ବସି କନ୍ୟା ଘରକୁ ଯାଏ, କିଏ ପାଲଙ୍କି ଉପରେ, ଅନ୍ୟ କେହି ସବାରି ଭିତରେ ବସି ଯାଆନ୍ତି । କେଉଁ କେଉଁ କୁଳରେ ପ୍ରଥମ ରଜସ୍ଵଳା କନ୍ୟାକୁ ସ୍ଵତନ୍ତ୍ର କୋଠରୀ ମଧ୍ୟରେ ସାତଦିନ ଯାଏ ରଖିବା, ସନ୍ତାନ ଜନ୍ମ ହେବାର ପାଞ୍ଛଦିନରେ ପଞ୍ଚୁଆତି ଭଜାକରି ବାଣ୍ଟିବା, ପ୍ରସୂତିର ଏକୋଇଶ ଦିନଯାଏ ସନ୍ତାନର ଜନନୀକୁ ପାକଗୃହରେ ପ୍ରବେଶ ନ କରାଇବା, ବିବାହ ଦିନ ନୂଆକୁଲାରେ ଶରଟିଏ ରଖି ନାପିତୁଣୀ ଦ୍ଵାରା ସାତଘର ବୁଲାଇବା, ସାତଜଣ କୁଆଁରୀ କନ୍ୟାଙ୍କ ହାତରେ ସାତଟି କୁମ୍ଭରେ ପାଣି ଅଣାଇ ବିବାହ ଆଗରୁ କନ୍ୟାକୁ ସ୍ନାନ କରାଇବା, ଭୋଜିଭାତ କାଳରେ ବନ୍ଧୁ ସ୍ଵଜନଙ୍କୁ ପୂର୍ବଦିନ ନିମନ୍ତ୍ରଣ ଦେଇ ଭୋଜିଦିନ ଦ୍ଵିତୀୟବାର ନିମନ୍ତ୍ରଣ କରିବା ପଭୃତି ପ୍ରଥାକୁ କୁଳାଚାର ବୋଲି କହନ୍ତି-। କାରଣ ଏସବୁର ଜାତିବର୍ଣ୍ଣ ନିର୍ବିଶେଷରେ ସର୍ବତ୍ର ପ୍ରଚଳିତ ନାହିଁ ।

 

ଏହାବାଦେ ଲୋକାଚାର ବି ରହିଛି ଯାହା ଓଡ଼ିଆ ସଂସ୍କୃତିର ନିର୍ମଳ ପରିପ୍ରକାଶ । ସେ ମଧ୍ୟରୁ ଗୋଟିଏ ହେଇଛି ସଧବାର ସିନ୍ଦୂର ବିନ୍ଦୁ । ଏ ବିନ୍ଦୁ ସୀମାନ୍ତରେ ନୁହେଁ ଠିକ୍ ମଝି କପାଳରେ-। ଏହା ସଦ୍ୟବିବାହିତା କନ୍ୟା ଠାରୁ ଅଶୀତିପର ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ଆଚାର । ଏ ଓଡ଼ିଆ ନାରୀର ଏକାନ୍ତ ନିଜସ୍ଵ । ସେହିପରି ଓଢ଼ଣା । ମଥାରେ ଓଢ଼ଣା ଦେବା ଓଡ଼ିଆ ସଂସ୍କୃତି । ଅନ୍ୟତ୍ର ଯଦିଚ ଓଢ଼ଣା ପ୍ରଥା ରହିଛି, ତଥାପି ତାହାର ପରିପାଟୀ ଅଲଗା–ଢଙ୍ଗ ଅଲଗା । ତାହା ଓଡ଼ିଆଣୀର ଓଢ଼ଣା ପରି ଲଲାଟଚୁମ୍ଵୀ ଏବଂ ଆକର୍ଣ୍ଣବିଶ୍ରାନ୍ତ ନୁହେଁ । ଏପରି ଲୋକାଚାର ସମ୍ଵନ୍ଧରେ ବହୁ ଦୃଷ୍ଟାନ୍ତ ରହିଛି, ଯାହା କ୍ରମଶଃ ଲୋପ ହେବାରେ ଲାଗିଛି ।

 

ଉକ୍ତ ତ୍ରିବିଧ ଆଚାର ଛଡ଼ା ଏକ ସାମୂହିକ ଆଚାର ରହିଛି, ଯାହାକୁ ଲୋକ ଚରିତ୍ର କୁହାଯାଏ । ଓଡ଼ିଶାବାସୀଙ୍କ ଲୋକ ଚରିତ୍ର ଅତି ଉଚ୍ଚକୋଟୀର ଥିଲା । ସ୍ପଷ୍ଟବାଦିତା ଓ ଅତିଥିପରାୟଣତା ସେମାନଙ୍କ ଜାତୀୟ ଗୁଣ । ଅତିମାତ୍ରରେ ସରଳ ବିଶ୍ଵାସୀ ସେମାନେ । ଥରେ ବିଶ୍ଵାସ କରିଗଲେ ଆଉ ସେ ତୁଟିବାର ନୁହେଁ । ବିଶ୍ଵାସଘାତକତାର ପ୍ରତିଶୋଧ ନେବା ପାଇଁ ପ୍ରାଣପାତ କରିବାକୁ ସେମାନେ କୁଣ୍ଠିତ ନୁହନ୍ତି; ଅଥଚ ମଣିଷ ମାତ୍ରେ ସେମାନଙ୍କ ବନ୍ଧୁ । ତେଣୁ ରାତି ହେଉ, ଦିନ ହେଉ କେହି ଅତିଥି ଆସି ଅସମୟରେ ପହଞ୍ଚିଲେ ଓଡ଼ିଆଘରୁ ଫେରିବାର ଶୁଣାନାହିଁ । ଆପଣାକୁ ବିପନ୍ନ କରି କ୍ଷୁଧାତୁର ଶତ୍ରୁକୁ ମଧ୍ୟ ଆହାର ବିତରଣ କରିବା ଏ ଦେଶରେ ନ ଘଟିଛି ନୁହେଁ । ଓଡ଼ିଶାର ଗୃହସ୍ଥ ଅତିଥିକୁ ସନ୍ତୁଷ୍ଟ କରିବାରେ ଆପଣାର ଗୌରବ ଅନୁଭବ କରେ ।

 

ଗୃହାଗତ ଅତିଥିଙ୍କ କାର୍ଯ୍ୟରେ ନାରୀ ସମାଜର ଭୂମିକା ଗୁରୁତ୍ଵପୂର୍ଣ୍ଣ । ନିରଳସ ଭାବେ ଉତ୍ତମ ଖାଦ୍ୟପେୟାଦି ପ୍ରସ୍ତୁତ କରି ଅଭ୍ୟାଗତକୁ ସଂତୃପ୍ତ କରିବାରେ କୁଳନାରୀ ଆତ୍ମଗୌରବ ଅନୁଭବ କରେ । ତେଣୁ ଏଯାବତ୍ ଓଡ଼ିଆ ନାରୀ ହିଁ ସଂସ୍କୃତି ଓ ପରମ୍ପରାର ରକ୍ଷାକର୍ତ୍ତ୍ରୀ ଭାବେ ସମ୍ମାନିତ ହୋଇଆସିଛି । ଏହାରି ନାଁ ଜାତୀୟ ଚରିତ୍ର ।

 

ଜାତୀୟ ଚରିତ୍ର ଭଳି ଜାତୀୟ ଆହାର ମଧ୍ୟ ସଂସ୍କୃତିର ଅନ୍ୟତମ ପରିଚାୟକ । ସୁସ୍ଥ ସମାଜ ଗଠନ ଦିଗରେ ସୁସ୍ଥ ବ୍ୟକ୍ତିତ୍ଵର ଯେପରି ପ୍ରୟୋଜନୀୟତା ରହିଛି, ଉତ୍ତମ ସ୍ଵାସ୍ଥ୍ୟରକ୍ଷା ନିମନ୍ତେ ସେହିପରି ଉତ୍ତମ ଆହାର ଆବଶ୍ୟକ । ଏହାଦ୍ଵାରା ସାମାଜିକ ରୁଚିବୋଧ ନିରୂପିତ ହୋଇଥାଏ । ସେ ଦିଗରେ ଓଡ଼ିଶାବାସୀ ଅତ୍ୟନ୍ତ ସଚେତନ । ସରଳ ପ୍ରଣାଳୀରେ ସହଜଲଭ୍ୟ ପଦାର୍ଥକୁ ସ୍ଵାଦିଷ୍ଟ ଖାଦ୍ୟରେ ପରିଣତ କରିବାରେ ସେମାନେ ଥିଲେ ଧୁରନ୍ଧର ।

 

ତା’ନହେଲେ ଘନ ଜଙ୍ଗଲଘେରା ଜନପଦର ଗ୍ରାମବାସୀ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର ନକରି ଚଳନ୍ତେ ବା କିପରି ? ତେଣୁ ପ୍ରକୃତିଦତ୍ତ ଶାକ, ଫଳମୂଳ, କନ୍ଦ ସହିତ ମତ୍ସ୍ୟମାଂସାଦି ଦୈନନ୍ଦିନ ଖାଦ୍ୟ ସାମ୍ରଗୀ ରୂପେ ଉପଯୋଗ କରୁଥିଲେ । ବଣଜାତ ଫଳମୂଳ ସାଙ୍ଗକୁ ନାନାବିଧ ପନିପରିବା ଉତ୍ପାଦନ କରି ସେ ସବୁକୁ ବିଭିନ୍ନ ପ୍ରଣାଳୀରେ ଆହାର ପ୍ରସ୍ତୁତ କରିବାରେ ସେମାନେ ଥିଲେ ଅଦ୍ଵିତୀୟ ସୂପକାର । ଅନୁସନ୍ଧାନରୁ ଜଣାପଡ଼େ, ପ୍ରାଚୀନ ଓଡ଼ିଶାରେ ଛପନ ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଉଥିଲା । ଭୋଜିଭାତ ଅବସରରେ ସେ ମଧ୍ୟରୁ ବଛା ବଛା ସାମଗ୍ରୀ ନିମନ୍ତ୍ରିତ ଅତିଥିଙ୍କୁ ପରିବେଷଣ କରାଯାଉଥିଲା । ସେ ମଧ୍ୟରୁ ସାତ୍ତ୍ଵିକ ପଦାର୍ଥ, ବିଶେଷକରି ନିରାମିଷ ଖାଦ୍ୟସାମଗ୍ରୀ ଦେବତାଙ୍କୁ ଅର୍ପିତ ହେଉଥିଲା । ମନେହୁଏ, ଛପନ ପ୍ରକାର ରାନ୍ଧଣା ମଧ୍ୟରୁ ଅଠେଇଶି ସାମଗ୍ରୀ ଶଂଖୁଡ଼ି ରୂପେ ଗଣ୍ୟ ହେଲାବେଳେ ଆଉ ଅଠେଇଶିଟି ନିଃଶଂଖୁଡ଼ି ଥିଲା । ଶଂଖୁଡ଼ି ମଧ୍ୟରେ ପଲାଉ, ମିଠା ଖେଚେଡ଼ି, ସାଦା ଖେଚେଡ଼ି, କ୍ଷୀରାନ୍ନ, ଦଧ୍ୟନ୍ନ, ମହୁର, ସାକର, ଆମ୍ଵିଳ, ଭଜା, ବଡ଼ି, ଆମ୍ଵୁଲ, ବେସର, ସନ୍ତୁଳା, କାଞ୍ଜି, ଆମ୍ଵଡ଼ା, ଅଡ଼ଙ୍ଗା, ପାଣି ଆମ୍ଵ, ମେଥି ବାଇଗଣ, ରାଇ ,ପୁଡ଼ୁଗା, ଡାଲମା, ପଇତି, ଶାଗମୁଗ, ଚଡ଼ଚଡ଼ି, ଖରଡ଼ା, ତୁଳିଆ ପାଚିଲି ଥିଲାବେଳେ ପୁରି, କାକରା, ଖିରି, ତାଡ଼ିଆ, ଲଡ଼ୁ, ଖଜା, ଖୁରୁସା, ବୁନ୍ଦିଆ, ତ୍ରିପୁରି, ମନୋହରା, ଆରିସା, ପଣାକାନ୍ତି, ଖଇ, କୋରା, ଚୂଡ଼ାଘଷା, ମଣ୍ତା, ଚନ୍ଦ୍ରକାନ୍ତି, ଗଜା, ମାଲପୁଆ, ମୋଦକ, ଏଣ୍ତୁରି, ଚିତ୍ତଉ, ଚକୁଳି, ଆରଦା, ଗଇଁଠା, ପାଳୁଅ, ପୋଡ଼ ପ୍ରଭୃତି ନିଃଶଂଖୁଡ଼ି ଥିଲା । ଏବେ ସୁଦ୍ଧା ଓଡ଼ିଶାରେ ବିଶେଷତଃ ପୁରପଲ୍ଲୀରେ ଏଗୁଡ଼ିକର ଅସ୍ତିତ୍ଵ ବିଦ୍ୟମାନ । କାଳଚକ୍ରର ଆବର୍ତ୍ତନ ମଧ୍ୟରେ କିଛିଟା ପରିପର୍ତ୍ତନ ଘଟିଥିଲେ ସୁଦ୍ଧା ଓଡ଼ିଶାର ମୂଳ ଉପାସ୍ୟ ଦେବତା ଜଗନ୍ନାଥଙ୍କ ପୂଜାସେବାରେ ଏହାର ଅସ୍ତିତ୍ଵ ଅକ୍ଷୁଣ୍ଣ ରହିଛି । ଏବେ ସୁଦ୍ଧା ପୁରୀ ବଡ଼ଦେଉଳରେ ଛପନଭୋଗର ନୀତି ପାଳିତ ହୋଇଆସୁଛି । ଏହା ଓଡ଼ିଆ ସଂସ୍କୃତିର ନିଚ୍ଚ୍ଥକ ଅଭିବ୍ୟକ୍ତି, ଏଥିରେ ସନ୍ଦେହ ନାହିଁ ।

 

ଅବଶ୍ୟ ନବାଗତ ପାଶ୍ଚାତ୍ୟ ସଂସ୍କୃତିର ଦୁର୍ବାର ପ୍ରଭାବ ଯୋଗୁ ହେଉ, ପୀଢ଼ି ପରିବର୍ତ୍ତନ ସଙ୍ଗେ ସଙ୍ଗେ ରୁଚି ପରିବର୍ତ୍ତନ ଯୋଗୁ ହେଉ, ଆଳସ୍ୟପରାୟଣତା ଯୋଗୁଁ ହେଉ କିମ୍ଵା ସାମାଜିକ ଜୀବନଯାତ୍ରାର ଆବଶ୍ୟକତା ପାଇଁ ହେଉ, ଉକ୍ତ ସାମଗ୍ରୀଗୁଡ଼ିକ ପ୍ରତି ଆଗ୍ରହ କ୍ରମଶଃ ବଢ଼ିବାରେ ଲାଗିଛି ଏ କଥା ସତ୍ୟ । ତା’ବୋଲି ଯଦି ଆମେ ସେସବୁ ବିଲକୁଲ୍ ଭୁଲିଯାଉ ତେବେ ଆବହମାନକାଳରୁ ଚଳି ଆସୁଥିବା ଆମ ସଂସ୍କୃତିର ଏକ ମୁଖ୍ୟ ଭାଗ ଚିରଦିନ ଲାଗି ବିସ୍ମୃତି ଗର୍ଭରେ ଲୀନ ହୋଇଯିବ ।

 

ଏତଦ୍‍ବ୍ୟତୀତ ଓଡ଼ିଶାର ନୃତ୍ୟ, ଗୀତ, ସଙ୍ଗୀତାଦିର ସ୍ଵରୂପ ଅନୁଶୀଳନ କଲେ ମଧ୍ୟ ସେଗୁଡ଼ିକ କ୍ରମବିକଶିତ ଏକ ସାଂସ୍କୃତିକ ପରମ୍ପରାର ବିପରିଣାମ ବୋଲି ହୃଦୟଙ୍ଗମ ହୁଏ । ସ୍ମରଣାତୀତକାଳରୁ ପୁରୁଷାନୁକ୍ରମେ ଚଳି ଆସିନଥିଲେ ତାହା ଏଯାବତ୍ ଜାତିର ମଜ୍ଜାଗତ ହୋଇ ରହିନଥାନ୍ତା ।

 

ପ୍ରଥମେ ଦେଖାଯାଉ ନୃତ୍ୟ କଥା । ଆରମ୍ଭ କାଳରୁ ଓଡ଼ିଶାବାସୀ ଅତୀବ ନୃତ୍ୟପ୍ରିୟ । ନୃତ୍ୟ ଏକ ଶାବରୀ ପରମ୍ପରା । ଏହାକୁ ଆମେ ଏବେ ଓଡ଼ିଶୀ ନୃତ୍ୟ କହୁ । ଶାବରୀ ନୃତ୍ୟ ତ୍ରୌର୍ଯ୍ୟତ୍ରିକପ୍ରଧାନ । ଗୀତ ସହିତ ବାଦ୍ୟ ଓ ବାଦ୍ୟର ତାଳେ ତାଳେ ନୃତ୍ୟ–ତିନୋଟିର ସମପ୍ରାଧାନ୍ୟ ହେତୁ ଏହାକୁ ‘ତ୍ରୌର୍ଯ୍ୟତ୍ରିକ’ କୁହାଯାଏ । ଏହା ଆଦିବାସୀ ଜନସମାଜର ଏକାନ୍ତ ନିଜସ୍ଵ - ଜୀବନଚର୍ଯ୍ୟା ।

 

ଏହାଦ୍ଵାରା ସେମାନେ ଅପାର ଆନନ୍ଦ ଅନୁଭବ କରନ୍ତି । ଶବର ଆହାର ବିନା କିଛିଦିନ ଅତିବାହିତ କରିପାରେ; କିନ୍ତୁ ନୃତ୍ୟ ନହେଲେ ସେ ବଞ୍ଚିପାରେ ନାହିଁ । ଟିକିଏ ତେଜୋବର୍ଦ୍ଧକ ପାନୀୟ ପିଇ ଗୀତଗାଇ ନାଚିବାରେ ସେମାନଙ୍କ ଉଲ୍ଲାସ କହିଲେ ନ ସରେ । ଚାଙ୍ଗୁ, ତାମ୍ବରା, କୁରଂପନ୍ ପ୍ରଭୃତି ବାଦ୍ୟର ଧ୍ଵନିମାନ ସୃଷ୍ଟିକରି ସ୍ତ୍ରୀ–ପରୁଷ ନିର୍ବିଶେଷରେ ନୃତ୍ୟପାଗଳ ହୋଇଉଠନ୍ତି ।

 

ସେହି ଶାବରୀ ନୃତ୍ୟ ପରମ୍ପରା କ୍ରମଶଃ ବିକଶିତ ହୋଇ ବର୍ତ୍ତମାନ ‘ଓଡ଼ିଶୀ ନୃତ୍ୟ’ ରେ ପରିଣତ ହୋଇଛି ବୋଲି ଅବଧାରଣା କରିହୁଏ ।

 

ଅଧୁନାତନ ଭାରତବର୍ଷରେ ଯେଉଁ ଜାତୀୟ ନୃତ୍ୟମାନ ସ୍ଵୀକୃତି ଲାଭ କରିଛି, ସେ ମଧ୍ୟରୁ ‘ଓଡ଼ିଶୀ’ ଅନ୍ୟତମ । ଭାରତନାଟ୍ୟ, କଥକ, ମଣିପୁରୀ, କଥାକଳି ଓ କୁଚିପୁଡ଼ି ଭଳି ଶାସ୍ତ୍ରୀୟ ରୂପେ ସମାନ ମାନ୍ୟତା ପ୍ରାପ୍ତ ହେଲେ ସୁଦ୍ଧା ଉତ୍ପତ୍ତି ଦୃଷ୍ଟିରୁ ଏହା ସର୍ବାପେକ୍ଷା ପ୍ରାଚୀନ ମନେହୁଏ ।

 

ଏହା ତ୍ରୌର୍ଯ୍ୟତ୍ରିକପ୍ରଧାନ ଅର୍ଥାତ୍ ନୃତ୍ୟ-ଗୀତ-ବାଦ୍ୟର ବିଚିତ୍ର ସମାହାରର ସୃଷ୍ଟି–ଏହା ଆଗରୁ କହିଛି । ଏହାର ଅଭିନୟ ଓ ଅଙ୍ଗଭଙ୍ଗୀ ଅନନ୍ୟ-ସାଧାରଣ । କଟିମୁଦ୍ରା, ବକ୍ଷକଂପନ, ଗ୍ରୀବାଭଙ୍ଗୀ, ତ୍ରିଭଙ୍ଗୀ ଛନ୍ଦରେ ପଦଚାଳନା, ହସ୍ତମୁଦ୍ରା ପ୍ରଭୃତି ସ୍ଵତନ୍ତ୍ର ଧରଣର । ତାହା ଯେପରି କମନୀୟ, ସେହିପରି ମାଧୁର୍ଯ୍ୟ ଗୁଣଯୁକ୍ତ । ସୁତରାଂ ଏହା ଏକାଧାରରେ ପ୍ରାଚ୍ୟ-ପାଶ୍ଚାତ୍ୟ ଉଭୟ ନୃତ୍ୟପ୍ରେମୀଙ୍କ ଚିତ୍ତାକର୍ଷଣ କରେ । କିନ୍ତୁ ଏହାର ମୂଳ ଉତ୍ପତ୍ତି ଓ କ୍ରମ ପରିଣତି ସମ୍ଵନ୍ଧରେ ଏପର୍ଯ୍ୟନ୍ତ କେହି ସର୍ବସମ୍ମତ ସିଦ୍ଧାନ୍ତରେ ଉପନୀତ ହୋଇପାରିନାହାନ୍ତି । ତେଣୁ ଏହା ଯେତିକି ରହସ୍ୟମୟ, ସେତିକି କୌତୂହଳୋଦ୍ଦୀପକ ହୋଇ ରହିଛି ।

 

କିନ୍ତୁ ପୁଙ୍ଖାନୁପୁଙ୍ଖ ବିଚାର କଲେ ଏହା ‘ମାହାରୀ’ ନୃତ୍ୟର ବିକଶିତ ରୂପ ଛଡ଼ା ଅନ୍ୟ କିଛି ବୋଲି ପ୍ରତୀତ ହୁଏନାହିଁ । ‘ମାହାରୀ’ ଶବ୍ଦର ମୂଳ ଖୋଜିବାକୁ ଯାଇ କିଏ ତାହା ‘ମହତ୍‍ନାରୀ’ ବା ‘ମନୋହାରୀ’ ଆଉ କିଏ ‘ମାଧୁରୀ’ ପ୍ରଭୃତି ଶବ୍ଦର ଅପଭ୍ରଷ୍ଟ ରୂପ ବୋଲି କଳ୍ପନା କରନ୍ତି, ଯାହା ଆଦୌ ଯୁକ୍ତିସଂଗତ ନୁହେଁ ।

 

କାରଣ ପ୍ରାଚୀନ କାଳରୁ କଳିଙ୍ଗରେ ‘ମାହାର’ ନାମକ ଏକ ପାଟକଗୋଷ୍ଟୀ ରହି ଆସିଥିବା ଦେଖାଯାଏ । ‘ମାହାର’ ଅର୍ଥ ପଶୁ ଜଗୁଆଳ । ଏହା ଗଉଡ଼ ସଂପ୍ରଦାୟର ଏକ ଶାଖା ବିଶେଷ । ଗୋପପୁରିଆ, ଷୋଳଦଣ୍ଡିଆ ଏବଂ ଆପଟ ଗଉଡ଼ ଶାଖା ମଧ୍ୟରୁ ‘ମାହାର’ ଗୋପପୁରିଆ ସଂପ୍ରଦାୟର । ଏହାଙ୍କ କୁଳବୃତ୍ତି ପଶୁ ଚରାଇବା । ଗାଈ, ଗୋରୁ, ଛେଳି, ମହିଷି ପ୍ରଭୃତି ଗୃହପାଳିତ ପଶୁଙ୍କୁ ବଣ ଜଙ୍ଗଲରେ ବା ଗ୍ରାମୋପାନ୍ତ ପଡ଼ିଆ ଜାଗାକୁ ଅଡ଼ାଇନେଇ ସେମାନେ ଡାଳ, ପତ୍ର, ଘାସ ପ୍ରଭୃତି ଚରି ଖାଇଲାବେଳେ ଏମାନେ ତାଙ୍କୁ ଜଗି ରହିଥାନ୍ତି । ସଞ୍ଜ ହେଲେ ଏକାଠି କରି ଘରକୁ ଫେରନ୍ତି ।

 

ସାଧାରଣତଃ ଅଳ୍ପ ବୟସର ପୁଅ, ଝିଅ ମାହାର କର୍ମରେ ନିଯୁକ୍ତ ରହନ୍ତି । କୃଷିପ୍ରଧାନ ସମାଜରେ ବ୍ୟକ୍ତି ଓ ପରିବାର କୃଷିନିର୍ଭର ହେବା ଯୋଗୁଁ ସନ୍ତାନ ସନ୍ତତିଙ୍କୁ ଆବାଲ୍ୟରୁ ସେଥିପ୍ରତି ଆକୃଷ୍ଟ କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ସୁତରାଂ କୃଷି କାର୍ଯ୍ୟର ପ୍ରଧାନ ସମ୍ଵଳ ଗୋରୁ ଗାଈଙ୍କ ଦାୟିତ୍ୱ ସେମାନଙ୍କୁ ଅର୍ପଣ କରାଯାଉଥିଲା । ପରିବାରରୁ ପୁଅ ବା ଝିଅ ଜଣେ ସକାଳ ପହରୁ ତୋରାଣିଭାତ ଖାଇ ମାହାର ସାଜି ବାହାରି ପଡ଼ନ୍ତି ଯେ ଯାହାର ଗୋଠ ଧରି । ଫେରନ୍ତି ସଞ୍ଜ ହେଲେ । ଗୋରୁଙ୍କୁ ସ୍ଵଚ୍ଚ୍ଥନ୍ଦ ଚାରଣ ପାଇଁ ଛାଡ଼ିଦେଇ ପିଲାମାନେ ଆମୋଦପ୍ରମୋଦରେ ମଜ୍ଜି ଯାଆନ୍ତି । କିଏ ଖେଳ କୌତୁକରେ ତ କିଏ ନୃତ୍ୟ ଗୀତରେ ।

 

ପୁଅ ପିଲାଏ ଡାଳମାଙ୍କୁଡ଼ି, ବୋହୂଚୋରୀ ଆଦି ଖେଳରେ ମାତିଲାବେଳେ ଝିଅମାନେ ଏକାଠି ହୋଇ ଗୀତ ବୋଲି ନାନା ଭଙ୍ଗୀରେ ନୃତ୍ୟ କରି ସମୟ କଟାନ୍ତି । କେତେକ ଝିଅ ପୁଣି ସାଙ୍ଗ ସାଥୀ ମେଳରେ ଫୁଲ ତୋଳିବା, ମାଳା ଗୁନ୍ଥିବା, ଫୁଲ ପିନ୍ଧି ନୃତ୍ୟ କରି ବା ଗୀତ ବୋଲି ଆନନ୍ଦରେ କାଳହରଣ କରନ୍ତି । ଦୈନନ୍ଦିନ ଅଭ୍ୟାସବଶତଃ କୋମଳ କଣ୍ଠସ୍ଵର ଓ ଛନ୍ଦାୟିତ ପଦଚାଳନାର ସମନ୍ଵୟରେ ଯେଉଁ ଅନବଦ୍ୟ ମାଦକତା କାଳକ୍ରମେ ସୃଷ୍ଟି ହେଲା, ତାହା ବୋଧହୁଏ ନୃତ୍ୟପ୍ରିୟ ଗ୍ରାମୀଣ ସମାଜକୁ ଆକୃଷ୍ଟ ନକରି ରହିପାରି ନଥିଲା । ଫଳରେ କନ୍ୟାଙ୍କ ମଧ୍ୟରେ ଆବଦ୍ଧ ନୃତ୍ୟ, ଗୀତ ପ୍ରବୀଣ ଜନସମାଜର ଚକ୍ଷୁରୋଚକ ହୋଇଉଠିଲା ।

 

ସେତିକି ନୁହେଁ, ପର୍ବପର୍ବାଣୀ ଦିନରେ ତାହା ଗ୍ରାମଦେବତାଙ୍କ ସମ୍ମୁଖରେ ମଧ୍ୟ ପ୍ରଦର୍ଶିତ ହେବାକୁ ଯୋଗ୍ୟ ବିବେଚିତ ହେଲା । କୀରଣ ଉତ୍କୃଷ୍ଟ ବସ୍ତୁ ହେଲେ ଦେବତାଙ୍କୁ ଉତ୍ସର୍ଗ କରିବାକୁ ଓଡ଼ିଶାବାସୀ ପବିତ୍ର କାର୍ଯ୍ୟ ବୋଲି ମନେକରନ୍ତି । ଏହି ପ୍ରଥା ଏବେ ବି ଓଡ଼ିଶାବାସୀଙ୍କ ମନରୁ ଦୂର ହୋଇନାହିଁ । ସୁନ୍ଦର ସୁବାସିତ ବା ସୁସ୍ଵାଦୁ ପଦାର୍ଥ ପ୍ରଥମେ ଦେବତାଙ୍କୁ ସମର୍ପଣ ନକଲେ ଓଡ଼ିଆଙ୍କ ମନରେ ତୃପ୍ତି ଆସେନାହିଁ ।

 

ସେହି କାରଣରୁ ବୋଧହୁଏ, ଅବୋଧ ମାହାରୀକନ୍ୟାଙ୍କ ଦ୍ଵାରା ଗୋଗୋଷ୍ଠରେ ଅନୁଷ୍ଠିତ ଅବସର ବିନୋଦନ ନୃତ୍ୟ ଉତ୍ତରକାଳରେ ପ୍ରବୀଣ ସମାଜର ସ୍ଵୀକୃତି ଲାଭ କରି ଦେବତାଙ୍କୁ ପ୍ରସନ୍ନ କରିବାର ଉପାୟ ରୂପେ ବ୍ୟବହୃତ ହେଲା । ମୂଳତଃ ‘ମାହାରୀ’ କନ୍ୟାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୋଗୁଁ ତାହା ଏପର୍ଯ୍ୟନ୍ତ ‘ମାହାରୀ’ ନୃତ୍ୟ ରୂପେ ପ୍ରସିଦ୍ଧ ଲାଭ କରିଛି । ଅବଶ୍ୟ କାଳର କ୍ରମବିବର୍ତ୍ତନ ମଧ୍ୟରେ କେତେକାଂଶରେ ଆଙ୍ଗିକ ପରିବର୍ତ୍ତନ ହେଲେ ସୁଦ୍ଧା ଅନ୍ତରଙ୍ଗ ଅବିକୃତ ରହିଛି । ଏଇଠି ପ୍ରଶ୍ନ ଉଠେ ପ୍ରଥମେ କନ୍ୟାମାନଙ୍କୁ ଏ ପ୍ରେରଣା ଦେଲା କିଏ ? କେଉଁଠୁ ଶିଖିଲେ ସେ ନୃତ୍ୟ, ସେମାନେ ?

 

ବାଳକ ମନ–ନ ଦେଖିଲେ ବା ନ ଶୁଣିଲେ ନାଚିବା ଗାଇବା ସହଜ ନୁହେଁ । ଅନୁମାନ ହୁଏ, ଉତ୍ସବ ଦିନମାନଙ୍କରେ ଗାଁ ଭିତରେ ସ୍ତ୍ରୀ ପରୁଷ ନିର୍ବିଶେଷରେ ତାଳ ଲୟ ଯୁକ୍ତ ଯେଉଁ ଉତ୍ତାଳ ନୃତ୍ୟ ସେମାନେ ଦେଖି ଆସୁଥିଲେ, ତା’ରି ଅନୁକରଣରେ ତଦ୍ରୂପ ଆଚରଣ ପ୍ରଦର୍ଶନ କରୁଥିଲେ । ସେଥିରେ କେହି ବାଧା ଦେବାର ନଥିଲା । ବାଧା ଦେବାର କାରଣ ବି ନଥିଲା ।

 

ଯେହେତୁ ତାହା ଥିଲା ଅନାବିଳ, ପବିତ୍ର ଏବଂ ମନୋରଂଜକ । ପରବର୍ତ୍ତୀ କାଳରେ ଉନ୍ନତ ବାଦ୍ୟଯନ୍ତ୍ର ସହଯୋଗରେ ତାହାହିଁ ବିଲକ୍ଷଣ ରୂପ ଧାରଣ କରି ଲୋକ ପ୍ରସିଦ୍ଧ ହୋଇଉଠିଲା ଏବଂ ଭରତଙ୍କ ନାଟ୍ୟଶାସ୍ତ୍ର ଲେଖାହେବାବେଳକୁ ସ୍ଵତନ୍ତ୍ର ନୃତ୍ୟଶୈଳୀ ରୂପେ ଗୃହୀତ ହେଲା ଯାହାର ନାଁ ହେଲା ‘ଉଡ୍ର ମାଗଧୀ’ । ତାକୁ ହିଁ ଆମେ ‘ଓଡ଼ିଶୀ’ କହୁ ।

 

ପ୍ରକୃତପକ୍ଷେ ଦେଖିଲେ ଏହା ଏକ ସ୍ଵତନ୍ତ୍ର ନୃତ୍ୟଶୈଳୀ, ଭାବ ଓ ବିଭବ ଦୃଷ୍ଟିରେ ଅନ୍ୟ ଶୈଳୀ ଠାରୁ ଏହା ଏକାବେଳେକେ ଭିନ୍ନ ଜଣାପଡ଼େ । ଏହାର ସ୍ଵାତନ୍ତ୍ର୍ୟ ହେଉଛି ଅନ୍ୟସବୁ ତାଳାନୁଗ ଓ ବାଦ୍ୟାନୁଗ ହେଲାବେଳେ ଏ ଗୀତାନୁଗ । ଅବଶ୍ୟ ତାଳହୀନ ନୃତ୍ୟ ମନୋରଂଜକ ନୁହେଁ । କିନ୍ତୁ ଓଡ଼ିଶୀ ନୃତ୍ୟର ବିଶେଷତ୍ଵ ତାଳ-ଲୟାନ୍ଵିତ ଗୀତ ସହିତ ଥିବା ‘ଅଭିନୟ’ ।

 

ଏଥିରେ ଗୀତର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଆଦିବାସୀ ସଂପ୍ରଦାୟର ନୃତ୍ୟଶୈଳୀ ଏଥିରେ ନିଶ୍ଚିତ ଭାବେ ରହିଥିବା ଅନୁଭୂତ ହୁଏ ।

 

‘ଉଡ୍ର ମାଗଧୀ’ ଛଡ଼ା ନାଟ୍ୟଶାସ୍ତ୍ରରେ ଦାକ୍ଷିଣାତ୍ୟା, ଅବନ୍ତିକା ଓ ପାଞ୍ଛାଳିକା ନାମରେ ଆଉ ତିନୋଟି ଶୈଳୀର ଉଲ୍ଲେଖ ଅଛି । ନାଟ୍ୟଶାସ୍ତ୍ର ପ୍ରଣେତା ଭରତମୁନିଙ୍କୁ ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀର ବୋଲି କହନ୍ତି । ତା ଯଦି ହୁଏ, ସେତେବେଳେକୁ ଓଡ଼ିଶାରେ ‘ଉଡ୍ର ମାଗଧୀ’ ଶୈଳୀର ନୃତ୍ୟ ନିଶ୍ଚିତ ଭାବେ ପ୍ରସାର ଲାଭ କରିଥିଲା । ପୁନଶ୍ଚ ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀର ରାଣୀଗୁମ୍ଫା ଦେହରେ ନୃତ୍ୟରତା ଯୁବତୀ ଚିତ୍ର ସମ୍ଵଳିତ ଯେଉଁ ପ୍ରସ୍ତରାସ୍ତରଣ, ତାହା ସେ କାଳର ରଂଗମଂଚ ବୋଲି ସ୍ଥିର କରାଯାଇଛି ।

 

ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ ସରିକି ଯଦି ରଙ୍ଗମଞ୍ଚ ନିର୍ମିତ ହୋଇ ନୃତ୍ୟ ପରିଚାଳିନା କରାଯାଇ ପାରୁଥିଲା, ତେବେ କହିବାକୁ ପଡ଼ିବ ସେତେବେଳେକୁ ଓଡ଼ିଶାର ‘ମାହାରୀ ନୃତ୍ୟ’ କ୍ରମବିକାଶ ଲାଭ କରି ଜନମନୋରଂଜକ ଏକ ବିଧିବଦ୍ଧ ଶାସ୍ତ୍ରୀୟ ନୃତ୍ୟରେ ପରିଣତ ହୋଇପଡ଼ିଥିଲା । ଯାହାକୁ ଏବେ ଆମେ ‘ଓଡ଼ିଶୀ’ ବୋଲି କହୁ । ଅବଶ୍ୟ କିଏ ଏହାକୁ ଦେବଦାସୀ ନୃତ୍ୟ, କିଏ ବା ଗୋଟିୁପୁଅ ନାଚ, ଆଉ କିଏ ସଖିନାଚର ରୂପାନ୍ତର ବୋଲି କହନ୍ତି, ତଥାପି ତାହାର ମୌଳିକ ସତ୍ତା ଲୁପ୍ତ ହୋଇନାହିଁ କିମ୍ଵା ‘ମାହାରୀ’ ନାମର ପରିବର୍ତ୍ତନ ଘଟିନାହିଁ ।

 

ଅଧିକନ୍ତୁ ସେଥିରେ ଦାକ୍ଷିଣାତ୍ୟା ଅଙ୍ଗୀଭୂତ ହେବା ଯୋଗୁଁ ଲାସ୍ୟ ଓ ଅଭିନୟ ମିଶି ‘ମାଦଳ’ ସହଯୋଗରେ ଏକ ବିଚିତ୍ର ରୂପ ଧାରଣ କରିଛି । ତା’ଛଡ଼ା ବନବାସୀ ଯୁବତୀଙ୍କ ନୃତ୍ୟକାଳୀନ ବେଶଭୂଷା ସହିତ ଓଡ଼ିଶୀ ନୃତ୍ୟାଙ୍ଗନାର ସାଜସଜ୍ଜା ତୁଳନା କଲେ ମଧ୍ୟ ସେହି ଧାରଣା ଦୃଢ଼ୀଭୂତ ହୁଏ । ନୃତ୍ୟରତା ଆଦିବାସୀ ଯୁବତୀର ମସ୍ତକ, ବାହୁ, କର୍ଣ୍ଣରେ ଫୁଲମାଳ ଓ କଟିରେ ଧଳାପଟି ସହିତ ଓଡ଼ିଶୀ ନର୍ତ୍ତକୀର ନିବିଡ଼ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । କଟିମୁଦ୍ରା ଓ ପାଦପତନ ଭଙ୍ଗୀ ମଧ୍ୟ କେତେକାଂଶରେ ତଦନୁରୂପ ।

 

ନୃତ୍ୟକାଳରେ ଆଦିବାସୀ ନର୍ତ୍ତକୀଙ୍କ ଚାରିପଟେ ବାଦ୍ୟକାରମାନେ ଠିଆରହି ବୋଲୁଥିବା ଗୀତ ସଦୃଶ ଓଡ଼ିଶୀ ନୃତ୍ୟ ମଧ୍ୟ ପାର୍ଶ୍ଵଗାୟକଙ୍କ ଗୀତ ଦ୍ଵାରା ସରସ ଓ ସାବଲୀଳ ହୋଇଉଠେ । ଏଣୁ ଏହାକୁ ତ୍ରୌର୍ଯ୍ୟତ୍ରିକ କୁହାଯାଏ । ଏଥିଦ୍ଵାରା ଓଡ଼ିଶାର ସଂସ୍କୃତିର ମାନ କେତେ ଉଚ୍ଚରେ ଥିଲା, ତାହା ଅନୁମାନ କରିବା କଷ୍ଟସାଧ୍ୟ ନୁହେଁ । ସଙ୍ଗୀତ ଦିଗରୁ ଦେଖିଲେ ମଧ୍ୟ ସେହି କଥା । ଅଦ୍ୟତମ ଭାରତବର୍ଷରେ କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ନାମରେ ଦୁଇଟି ଗାନ ପଦ୍ଧତି ଅନୁସୃତ ହୋଇ ଆସୁଥିବା ସମସ୍ତେ ଜାଣନ୍ତି ।

 

ଦୁଇଟିଯାକ ଶାସ୍ତ୍ରୀୟ ଏବଂ ଏକା ଶାସ୍ତ୍ର ନିୟମରେ ପରିଚାଳିତ । କିନ୍ତୁ ସ୍ଵ ସ୍ଵ କ୍ଷେତ୍ରରେ ଉଭୟେ ସ୍ଵତନ୍ତ୍ର । ଉଭୟ ପଦ୍ଧତିରେ କେତେକ ରାଗ ନାମତଃ ସମାନ ହେଲେ ସୁଦ୍ଧା ପଲ୍ଲବୀ, ସ୍ଵର ଓ ମାର୍ଗ ବେଳକୁ ଅସମାନତା ପରିଦୃଷ୍ଟ ହୁଏ । ଏହି ଅସମାନତା ହିଁ ଦୁହିଁଙ୍କୁ ସ୍ଵତନ୍ତ୍ର ବୋଲି ପରିଚିତ କରାଏ । ଏ ସୂତ୍ର ଧରି ବିଚାର କଲେ ଓଡ଼ିଶୀ ରାଗମାର୍ଗ ଏକ ଦିଗରେ ଦୁଇଟିଯାକ ପଦ୍ଧତିରୁ ପୃଥକ୍ ଜଣାପଡ଼େ ତ ଅନ୍ୟ ଦିଗରୁ ଦୁହିଁଙ୍କର ସମାହାର ବୋଲି ଅନୁଭୂତ ହୁଏ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ‘ଉଡ୍ର ମାଗଧୀ’ ପଦ୍ଧତିର ଆଳାପ ଓ ସ୍ଵରଳହରୀ କ’ଣ ଥିଲା, କିପରି ଭାବେ ତାହା ଗାନ କରାଯାଉଥିଲା ସେ ସମ୍ଵନ୍ଧରେ ନିର୍ଦ୍ଦିଷ୍ଟ ରୂପରେଖ ଜଣା ନପଡ଼ିଲେ ସୁଦ୍ଧା ଆଦିମ ଅଧିବାସୀଙ୍କ ମଧ୍ୟରେ ପ୍ରଚଳିତ ସ୍ଵର ମାର୍ଗରୁ ତାହା କଳ୍ପନା କରାଯାଇପାରେ ।

 

ପୁନଶ୍ଚ ସଂଗୀତ ଓ ନୃତ୍ୟର ଅଙ୍ଗାଙ୍ଗୀ ସମ୍ଵନ୍ଧ ଥିବାହେତୁ କାଳର ପରିବର୍ତ୍ତନ ଅନୁଯାୟୀ କ୍ରମବିକଶିତ ‘ମାହାରୀ ନୃତ୍ୟ’, ‘ଓଡ଼ିଶୀ ନୃତ୍ୟ’, ଭାବେ ପ୍ରତିଷ୍ଟିତ ହେଲାପରି ଶାବରୀ ସ୍ଵର ଲହରୀ ‘ଓଡ଼ିଶୀ ସଙ୍ଗୀତ’ ରୂପେ ପରିଣତ ହୋଇପଡ଼ିରିଥିବା ଅସ୍ଵାଭାବିକ ନୁହେଁ । ଓଡ଼ିଶୀ ସଙ୍ଗୀତଧାରାର ତତ୍ତ୍ଵ ଅନୁଶୀଳନ କଲେ ଏହାର ସତ୍ୟାସତ୍ୟ ଜଣାପଡ଼ନ୍ତା ।

 

‘ଓଡ଼ିଶୀ-ସଙ୍ଗୀତ’ ବୋଇଲେ ସାଧାରଣତଃ ଚମ୍ପୂ, ଚଉପଦୀ, ଛାନ୍ଦ ବିଶେଷ କରି ଜୟଦେବଙ୍କ ଗୀତଗୋବିନ୍ଦ ପଦାବଳୀର ଗାନମାର୍ଗକୁ ବୁଝାଏ । ସେଥିପାଇଁ କେତେକ ନିର୍ଦ୍ଦିଷ୍ଟ ରାଗ ରାଗିଣୀ ରହିଛି । ପଟମଂଜରୀ, ବରାଡ଼ି, କାମୋଦୀ, ଭୈରବୀ, ଦେଶାକ୍ଷ, ରାମକେରୀ, ଶାବରୀ, ଦେବକେରୀ, ଧନାଶ୍ରୀ ପ୍ରଭୃତି ଓଡ଼ିଶୀ ରାଗ ମଧ୍ୟରେ ପରିଗଣିତ । ଚମ୍ପୂ, ଚଉପଦୀ ଓ ଗୀତଗୋବିନ୍ଦରେ ଏ ରାଗମାନଙ୍କ ଉଲ୍ଲେଖ ଥିବା ଦେଖାଯାଏ । ଅଥଚ ସେ ମଧ୍ୟରୁ ଏକାଧିକ ରାଗ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଉଭୟ ପଦ୍ଧତିରେ ତତ୍‍ମାର୍ଗାନୁଯାୟୀ ଉଚ୍ଚାରିତ ହୋଇଥାନ୍ତି ।

 

କିନ୍ତୁ ଓଡ଼ିଶୀ ଗାୟକଙ୍କ କଣ୍ଠରେ ତାହା ବୋଲାହେଲାବେଳେ ଉଭୟ ପଦ୍ଧତିରୁ ଭିନ୍ନ ଏକ ବିଲକ୍ଷଣ ସ୍ଵରଲହରୀ ସ୍ଵତନ୍ତ୍ର ଢଙ୍ଗରେ ଉଚ୍ଚାରିତ ହୁଏ ବୋଲି ତତ୍ତ୍ଵଜ୍ଞମାନେ କହନ୍ତି । ସେତିକି ନୁହେଁ, ଝୁଲା, ତ୍ରିପୁଟା, ସରିମାନ ଆଦି ତାଳ ସମେତ ଓଡ଼ିଶୀ ନୃତ୍ୟର ଆଳାପ ଏବଂ ବୋଲ୍ ଦେବାବେଳର ତାଳଫାଙ୍କର ବ୍ୟଞ୍ଜନା ଶୈଳୀ ତାକୁ କୁଆଡ଼େ ସ୍ଵତନ୍ତ୍ର ଭାବେ ଗଢ଼ି ତୋଳିଥାଏ । ସେ ଶୈଳୀର ବିଶେଷ୍ଵତ ହେଲା, ଏକ ନିର୍ଦ୍ଦିଷ୍ଟ ସ୍ଵର ଉଚ୍ଚାରଣ ପୂର୍ବରୁ କେତେକ ପାଖାପାଖି ସ୍ଵର ସହଯୋଗ ମୂଳ ସ୍ଵରଭଙ୍ଗୀରେ ଲାଳିତ୍ୟ ସୃଷ୍ଟି କରିବା । ସେହି ଢଙ୍ଗରେ ଉଚ୍ଚାରିତ ସ୍ଵରାବଳୀ ହିଁ ଓଡ଼ିଶୀ ସଙ୍ଗୀତରେ ଏକକ ବୈଶିଷ୍ଟ୍ୟ, ଯାହା ମୂଳ ଶାବରୀ ସ୍ଵର ଲହରୀର ରୂପାନ୍ତର ବୋଲି ମନେହୁଏ ।

 

ଏ ପ୍ରସଙ୍ଗରେ ସଙ୍ଗୀତ ଶାସ୍ତ୍ରୋକ୍ତ ରାଗସମୂହ ମଧ୍ୟରେ ‘ଶାବରୀ’ ରାଗିଣୀର ଉଲ୍ଲେଖ ବିଶେଷ ପ୍ରଣିଧାନଯୋଗ୍ୟ । ଶାବରୀ ରାଗ ଶବର ସମାଜରେ ପ୍ରଚଳିତ ରାଗଶୈଳୀ ବିନା ଅନ୍ୟକିଛି ବୋଲି ପ୍ରତୀତ ହୁଏନାହିଁ । କୌଣସି ଉଲ୍ଲେଖନୀୟ ଗୁଣ ନ ଥିଲେ ଅବହେଳିତ ବନବାସୀ ଶବର ନାମରେ ଗୋଟିଏ ରାଗ ପଦ୍ଧତି ଶାସ୍ତ୍ରସମ୍ମତ ହୋଇପାରନ୍ତା ନାହିଁ ।

 

ବୋଧହୁଏ, ସେ ରାଗର ଏପରି କିଛି ମୌଳିକତା ଓ ଚମତ୍କାରିତା ଥିଲା ଯାହା ଶାସ୍ତ୍ରପ୍ରଣେତାଙ୍କ ଦୃଷ୍ଟି ଆକର୍ଷଣ ନକରି ରହିପାରିଲା ନାହିଁ । ତାହାହିଁ ଓଡ଼ିଶୀ ରାଗ ରାଗିଣୀର ମୂଳଉତ୍ସ ହୋଇଥାଇପାରେ । ଜଣାପଡ଼େ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ସାର୍ଙ୍ଗଦେବଙ୍କ ‘ସଙ୍ଗୀତ ରତ୍ନାକର’ ନାମକ ଗ୍ରନ୍ଥ ଲେଖାହେଲା ବେଳକୁ ‘ଶାବରୀ’ ଶାସ୍ତ୍ରୀୟରାଗ ରୂପେ ସ୍ଵୀକୃତି ଲାଭ କରିସାରିଥିଲା । ତା’ନହେଲେ ଅରଣ୍ୟ ମଧ୍ୟରେ ଏକ ଆର୍ଯ୍ୟେତର ଗୀତିମାର୍ଗ ଆର୍ଯ୍ୟଗ୍ରନ୍ଥରେ ସ୍ଥାନିତ ହେବା ସହଜ ବ୍ୟାପର ନୁହେଁ ।

 

ତଥାପି ଅସମ୍ଭବ ସମ୍ଭବ ହୋଇଛି । ଶାବରୀ ରାଗ ଶାସ୍ତ୍ରୀୟ ସମ୍ମତି ଲାଭ କରିଛି । ତାହାହିଁ କ୍ରମଶଃ ବିସ୍ତାର ଓ ବିକାଶ ଲାଭ କରି ‘ଓଡ଼ିଶୀ’ ଆଖ୍ୟା ଧାରଣ କରିଛି । ସେଇତକ ଦର୍ଶାଇ ପାରୁନଥିବା ଯୋଗୁଁ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ଭାବେ ସମ୍ମାନିତ ହେଲେ ସୁଦ୍ଧା ଓଡ଼ିଶୀ ସଙ୍ଗୀତ ଜାତୀୟ ସ୍ଵୀକୃତି ଲାଭ କରିପାରୁନାହିଁ । କାରଣ, ଆମେ ଏହାର ମୂଳସୂତ୍ରଟି ଧରାଇ ପାରୁନାହୁଁ । ଅର୍ଥାତ୍ ଓଡ଼ିଶୀ ରାଗମାର୍ଗର ଆତ୍ମାକୁ ଚିହ୍ନାଇ ପାରୁନାହିଁ ।

 

ଏକଥା ଏକ ସ୍ଵୀକୃତ ସତ୍ୟ ଯେ–ବାଁ ଡାହାଣ କାନ୍ଧ ମଧ୍ୟରେ ବକ୍ଷଭାଗ ପରି ଦାକ୍ଷିଣାତ୍ୟ ଓ ଉତ୍ତରାପଥ ମଧ୍ୟରେ କଳିଙ୍ଗ ସଂସ୍କୃତି ସୁବିସ୍ତୃତ ହୋଇ ରହିଥିଲା । ଯେତେବେଳ ଯାଏଁ ତାହା ଉଭୟ ପଟର ପ୍ରଭାବରୁ ମୁକ୍ତ ଥିଲା, ସେତେବେଳଯାଏଁ ସେ ଥିଲା ଅବିକୃତ ଓ ସୁରକ୍ଷିତ । ଭଲ ହେଉ ବା ମନ୍ଦ ହେଉ ସବୁ ଥିଲା ତା’ର ନିଜସ୍ଵ । ନୃତ୍ୟ, ସଂଗୀତ, ଚିତ୍ର, ଭାସ୍କର୍ଯ୍ୟ, ଭାଷା ସବୁ କିଛି-। କିନ୍ତୁ ପରବର୍ତ୍ତୀ କାଳରେ ପ୍ରତିବେଶୀ ସଂସ୍କୃତିର ସାଯୁଜ୍ୟ ମିଶ୍ରଣ ଯୋଗୁ ଅନ୍ତର୍ଭାଗ ଅନାବିଦ୍ଧ ଥିଲେ ସୁଦ୍ଧା ବହିର୍ଭାଗ ପରିବର୍ତ୍ତିତ ହୋଇପଡ଼ିଲା । ନୃତ୍ୟକ୍ଷେତ୍ରରେ ଏହାର କ୍ଷୀଣ ସଂକେତ ଦିଆହୋଇଛି । ବର୍ତ୍ତମାନର ସଂଗୀତ ବିଚାରରେ ମଧ୍ୟ ସେଇ କଥା ।

 

ଅର୍ଥାତ୍ ଦାକ୍ଷିଣାତ୍ୟ ଓ ହିନ୍ଦୁସ୍ଥାନୀ ପ୍ରଭାବିତ ଶାବରୀ ମାର୍ଗ ଉତ୍ତର କାଳରେ ‘ଓଡ଼ିଶୀ ସଙ୍ଗୀତ’ ନାମରେ ଆଖ୍ୟାୟିତ ହୋଇ ଆସୁଅଛି । ଓଡ଼ିଶୀ ରାଗରାଗିଣୀ ଦିହରେ କେଉଁ ଅଂଶ ଟିକକ କର୍ଣ୍ଣାଟକୀ ଆଉ କେଉଁତକ ହିନ୍ଦୁସ୍ଥାନୀ ଦର୍ଶାଇ ଭିତରେ ଥିବା ସ୍ୱାତନ୍ତ୍ର୍ୟକୁ ପ୍ରମାଣିତ କରିଦେଲେ ଓଡ଼ିଶୀ ସଂଗୀତର ବାସ୍ତବ ରୂପ ପ୍ରକଟିତ ହୋଇପଡ଼ନ୍ତା ଏବଂ ଏହାର ଶାସ୍ତ୍ରୀୟତାକୁ କେହି ଅସ୍ଵୀକାର କରିପାରନ୍ତେ ନାହିଁ । କଦଳୀ, ଶର୍କରା ଓ ନାରୀକେଳର ଏକକ ସ୍ଵାଦୁ ରହିଥିଲେ ସୁଦ୍ଧା ଜଳ ସହିତ ମିଶି ‘ପାନକ’ ଭାବରେ ସ୍ଵତନ୍ତ୍ର ସ୍ଵାଦୁ ସୃଷ୍ଟି ହେଲାପରି ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଓ ଶାବରୀ ମାର୍ଗର ଏକତ୍ର ସମନ୍ଵୟରେ ‘ଓଡ଼ିଶୀ ସଂଗୀତ’ର ଅନିର୍ବଚନୀୟ ଚମତ୍କାରିତା ପ୍ରକଟିତ । ଏଣୁ ଓଡ଼ିଶା ସଂସ୍କୃତିର ମହନୀୟତା ପ୍ରକଟ କରିବାରେ ଓଡ଼ିଶୀ ସଂଗୀତର ଭୂମିକା ନିତାନ୍ତ ଅପରିହାର୍ଯ୍ୟ ।

 

ବିଜ୍ଞ ଶ୍ରୋତାମଣ୍ତଳୀ ! ମୁଁ ନୃତ୍ୟଶିଳ୍ପୀ କିମ୍ଵା ସଙ୍ଗୀତଜ୍ଞ ନୁହେଁ । ଏସବୁର ପୁଙ୍ଖାନୁପୁଙ୍ଖ ବିଚାର ତତ୍ତତ୍ ଶାସ୍ତ୍ରଜ୍ଞମାନଙ୍କ ପରିସରଭୁକ୍ତ । କେବଳ, ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କ ସାହଚର୍ଯ୍ୟରେ ଯେଉଁ ଟିକକ ଆହରଣ କରିଥିଲି, ତାହାହିଁ ଆପଣମାନଙ୍କ ଆଗରେ ଉପସ୍ଥାପିତ କରିଛି । ବିନମ୍ର ନିବେଦନ, ଏହାର ସତ୍ୟାସତ୍ୟ ଆପଣମାନେ ଅନୁସନ୍ଧାନ କରିବେ ।

 

ସଙ୍ଗୀତ ପରି ଭାସ୍କର୍ଯ୍ୟ ମଧ୍ୟ ଜାତୀୟ ସଂସ୍କୃତିର ପରିପ୍ରକାଶ ଭାବେ ସର୍ବସ୍ଵୀକୃତ । ସେ ଦୃଷ୍ଟିରୁ ଦେଖିଲେ କଳିଙ୍ଗ ଶିଳ୍ପର କଳାକୁଶଳତା ପୃଥିବୀ ପ୍ରସିଦ୍ଧ । କୋଣାର୍କ, ପୁରୀ, ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିରଗାତ୍ରର ଜୀବନ୍ତ ପଥର ମୂର୍ତ୍ତିମାନ ଦେଖିଲେ କିଏ ନ କହିବ ଓଡ଼ିଶାର ସାଂସ୍କୃତିକ ବୈଭବ ଉନ୍ନତିର ଚରମ ସୀମାକୁ ସ୍ପର୍ଶ କରିଥିଲା ବୋଲି ? ଭଗ୍ନାବଶିଷ୍ଟ କୋଣାର୍କର ସୂର୍ଯ୍ୟମନ୍ଦିର, ଏକାମ୍ର ନଗରୀର ଉତ୍ତୁଙ୍ଗ ଲିଙ୍ଗରାଜ ମନ୍ଦିର, ବିଶ୍ଵପ୍ରସିଦ୍ଧ ପୁରୀ ଜଗନ୍ନାଥଙ୍କ ବଡ଼ଦେଉଳ କଳିଙ୍ଗ ସ୍ଥପତିଙ୍କ କଳ୍ପନା ବିଳାସର ଅମ୍ଳାନ ଦୃଷ୍ଟାନ୍ତ ନୁହେଁ କି ? ୟା’ ଛଡ଼ା ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ପ୍ରତିଷ୍ଠିତ ଦ୍ଵିଭୁଜାରୁ ଷୋଡ଼ଶଭୁଜା ପର୍ଯ୍ୟନ୍ତ ଦୁର୍ଗାମୂର୍ତ୍ତି, ଉତ୍ତରରେ ଚଣ୍ତୀଖୋଲ ଓ ଦକ୍ଷିଣରେ ପଞ୍ଚମାରେ ପ୍ରତିଷ୍ଠିତ ଗଣେଶଙ୍କ ପ୍ରସ୍ତର ପ୍ରତିମା ଦିହରେ ଯେଉଁ ଉନ୍ନତ ଭାସ୍କର୍ଯ୍ୟର ନିଦର୍ଶନ ରହିଛି, ତାହା ଦିନେ ବା ବର୍ଷକେ ଗଢ଼ି ଉଠିଥିଲା ବୋଲି କହିହୁଏ ନାହିଁ ।

 

ଶିଳାଗାତ୍ରରେ ସୂକ୍ଷ୍ମାତିସୂକ୍ଷ୍ମ ଚାରୁକଳା ଏବଂ ଗଗନସ୍ପର୍ଶୀ ବିଶାଳ ଦେବାଳୟ ନିର୍ମାଣ କୌଶଳ ନିଶ୍ଚିତ ଭାବେ ଏକ ବିକାଶୋନ୍ମୁଖୀ ସାଂସ୍କୃତିକ ପରମ୍ପରାର ନିଦର୍ଶନ, ଏଥିରେ ସନ୍ଦେହ ନାହିଁ ।

 

କେବଳ ଦେବାଳୟ ବା ମୂର୍ତ୍ତି ନୁହେଁ, ଅତିକାୟ ଦୁର୍ଗ, ନଗର, ପ୍ରାସାଦ, ପ୍ରାକାର, ସ୍ତୁପ ପ୍ରଭୃତି ନିର୍ମାଣ କରିବାରେ ଓଡ଼ିଶାର ପରମ୍ପରା ଅତ୍ୟନ୍ତ ସମୃଦ୍ଧ । ଶିଶୁପାଳଗଡ଼, ଅସୁରଗଡ଼, ଜଉଗଡ଼, ପୋତାଗଡ଼ ସମେତ ଜବ, ମାଳୟ, ସିଂହଳର ଭଗ୍ନାବଶିଷ୍ଟ କୀର୍ତ୍ତିରାଜି କଳିଙ୍ଗ ଶିଳ୍ପଶୈଳୀର ଜାଜ୍ୱଲ୍ୟମାନ ଦୃଷ୍ଠାନ୍ତ ରୂପେ ଅଦ୍ୟାପି ବିଦ୍ୟମାନ । ଏ ମଧ୍ୟରେ ଖଣ୍ତଗିରିସ୍ଥ ରାଣୀଗୁମ୍ପା ଅତ୍ୟନ୍ତ ଚମତ୍କାର ।

 

ଜୈନଧର୍ମର ଆଦିମ ତୀର୍ଥଙ୍କର ‘ଋଷଭନାଥ’ଙ୍କ ନାମରେ ତାହା ଉତ୍ସର୍ଗୀକୃତ । ଏକ ପୁରାତନ ଭିତ୍ତିରେ ଭଗ୍ନାବଶେଷ ଉପରେ ଖାରବେଳଙ୍କ ଦ୍ଵାରା ତାହା ନିର୍ମିତ ବୋଲି ଐତିହାସିକମାନେ କହନ୍ତି । ତା’ ଯଦି ହୁଏ–ହେବାର ହିଁ ବିଶେଷ ସମ୍ଭାବନା–ତେବେ ଖାରବେଳଙ୍କ ଆଗରୁ ଅର୍ଥାତ୍ ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀ ପୂର୍ବରୁ ମୂଳ ମନ୍ଦିର ବା ସ୍ତୂପଟି ନିର୍ମିତ ହୋଇଥିବା ସମ୍ଭବ-

 

ପୁରାପୂରି ଭଗ୍ନାବସ୍ଥାକୁ ଆସି ନଥିଲେ ଖାରବେଳଙ୍କ ପରି ଜଣେ ଉଦାରମନା ନରପତି କୌଣସି ଦେବସ୍ଥାନ ଭାଙ୍ଗି ତା’ ଉପରେ ପ୍ରାସାଦ ନିର୍ମାଣ କରିବାକୁ ଉଚ୍ଚ୍ଥା କରିନଥିବେ । ପ୍ରାସାଦ ହେଉ ବା ସ୍ତୂପ ହେଉ, ପ୍ରସ୍ତର ନିର୍ମିତ ହୋଇଥିଲେ ଅନ୍ତତଃ ପାଞ୍ଚଶ ବର୍ଷ ଆଗରୁ ନିଶ୍ଚିହ୍ନ ହୋଇପଡ଼ିବା କ୍ଵଚିତ ଦେଖାଯାଏ । ଏଣୁ ମୂଳବସ୍ତୁଟି ଖ୍ରୀ:ପୂ: ସପ୍ତମ ଶତାବ୍ଦୀ କିମ୍ଵା ତତ୍‍ପୂର୍ବରୁ ଗଠିତ ହୋଇଥିବା ସମ୍ଭାବନା ।

 

ବୋଧହୁଏ, ଜୈନଧର୍ମର ଚତୁର୍ଦ୍ଦଶ ତୀର୍ଥଙ୍କର ପାର୍ଶ୍ଵନାଥଙ୍କ କଳିଙ୍ଗ ଆଗମନର ସ୍ମାରକୀ ସ୍ଵରୂପ ସେଠାରେ ସ୍ତୂପ ବା ମଣ୍ତପଟିଏ ସ୍ଥାପତ ହୋଇଥିଲା, ଯାହା ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀ ବେଳକୁ ଭୂମିସାତ୍ ହୋଇପଡ଼ିଥିଲା । ଜୈନରାଜା ଖାରବେଳ ପୂର୍ବକୀର୍ତ୍ତିର ପୁନରୁଦ୍ଧାର ପୂର୍ବକ ତା’ଉପରେ ‘ରାଣୀଗୁମ୍ଫା’ ନିର୍ମାଣ କରାଇ ଜୈନଧର୍ମର ଆଦିତୀର୍ଥଙ୍କର ଋଷଭଙ୍କ ନାମରେ ଉତ୍ସର୍ଗ କରିଥିବେ । ଏସବୁର ନିର୍ଯ୍ୟାସ ସ୍ଵରୂପ କୁହାଯାଇପାରେ, ପ୍ରାଗୈତିହାସିକ କାଳରୁ କଳିଙ୍ଗର ସ୍ଥାପତ୍ୟ ଉନ୍ନତିର ଚରମ ସୀମା ସ୍ପର୍ଶ କରିନଥିଲେ ମଧ୍ୟ ବଟବୀଜ ମହାଦ୍ରୁମରେ ପରିଣତ ହେଲାପରି ପରବର୍ତ୍ତୀ କାଳରେ କଳିଙ୍ଗଶିଳ୍ପୀକୁ ବିଶ୍ଵବିଶ୍ରୁତ କରାଇପାରିଛି ।
 

ଏସବୁ ଛଡ଼ା ସାହିତ୍ୟ, ଚିତ୍ରକଳା, କ୍ରିଡ଼ା, କୌତୁକ, ଆମୋଦ-ପ୍ରମୋଦ, ସାମାଜିକ କ୍ରିୟାକଳାପ, ଜୀବନଯାତ୍ରା, ପର୍ବପର୍ବାଣୀ, ଯାତ୍ରା ମହୋତ୍ସବ ପ୍ରଭୃତିରୁ ଓଡ଼ିଶାର ସାଂସ୍କୃତିକ ଓ ଐତିହ୍ୟର ମାନ ନିର୍ଦ୍ଧାରଣ କରାଯାଇପାରେ । ସବୁଗୁଡ଼ିକୁ ନାମତଃ ନିର୍ଦ୍ଦେଶ କରି ଦର୍ଶାଇବା ପ୍ରବନ୍ଧର ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ । ଆପଣମାନେ ସମସ୍ତେ ସଂସ୍କୃତି ସଚେତନ । ସଂସ୍କୃତିର ରକ୍ଷା ସମସ୍ତେ କରାବାକୁ ଚାହାନ୍ତି ।

 

କିନ୍ତୁ ବର୍ତ୍ତମାନ ଯୁଗରେ ଦେଶ, କାଳ, ପାତ୍ର ଅନୁଯାୟୀ ତାହା କେତେଦୂର ସୁରକ୍ଷିତ ରହିବ ଦେଖିବାର କଥା । କାରଣ ଆଜିର ପୃଥିବୀ ନାନା ରକମର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଚିନ୍ତାଗ୍ରସ୍ତ ହୋଇ ସଂସ୍କୃତି ଠାରୁ କ୍ରମଶଃ ଦୂରେଇ ଯାଉଥିଲା ପରି ମନେହୁଏ । ଆଜି ମାସ୍‍କମ୍ୟୁନିକେଶନ୍‍ର ବିକାଶ ଯୋଗୁଁ ପୃଥିବୀ ବହୁ ପରିମାଣରେ କ୍ଷୁଦ୍ର ହୋଇପଡ଼ିଛି । ଯେକୌଣସି ସ୍ଥାନର ଯେକୌଣସି ଘଟଣାର ପ୍ରଭାବ ଅନ୍ୟତ୍ର ପଡ଼ିବା ଦ୍ଵାରା ତାହା ସବୁ ତଦ୍‍ଭାବ ଭାବିତ ହେବାରେ ଲାଗିଛି । ଅର୍ଥାତ୍ ଆଜି ଟି.ଭି, ସିନେମା, ରେଡ଼ିଓ, ସମ୍ଵାଦପତ୍ର ପ୍ରଭୃତି ଦ୍ଵାରା ଯେଉଁ ନବୀନ ସଂସ୍କୃତିର ପରାପ୍ରକାଶ ଘଟୁଛି, ତାହାଦ୍ଵାରା ଏକ ଦିଗରେ ସାମାଜିକ ବିକାଶ ସାଧିତ ହେଲାପରି ଜଣାଗଲା ବେଳକୁ ଅନ୍ୟ ଦିଗରେ ମୌଳିକ ଚିନ୍ତାମାନ ସଂକୁଚିତ ବା ଲୁପ୍ତ ହେବାକୁ ବସିଛି ।

 

ଆଜିର ଏ ନବାଗତ ସଂସ୍କୃତି ବ୍ୟକ୍ତିକୈନ୍ଦ୍ରିକ ହେବାକୁ ପ୍ରୋତ୍ସାହନ ଦେବାର ଲାଗିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ୟକ୍ତିତ୍ଵର ବିକାଶ ଯାହାକୁ ଇଂରାଜୀରେ Individuality କୁହାଯାଏ-। ଏହାଦ୍ଵାରା ମଣିଷ ସ୍ଵାର୍ଥସର୍ବସ୍ଵ ହୋଇ କ୍ରମଶଃ ପରିବାର, ଗୋଷ୍ଠୀ ଏବଂ ସମାଜରୁ ବିଚ୍ୟୁତ ହୋଇପଡ଼ୁଛି । ମଣିଷ ପ୍ରତି, ସମାଜ ପ୍ରତି, ପ୍ରକୃତି ବା ପରିବେଶ ପ୍ରତି ଯେଉଁ କର୍ତ୍ତବ୍ୟ ତାହା ସେ ଭୁଲିବାକୁ ବସିଛି ।

 

କିନ୍ତୁ ଆମ ସମାଜର ଗଠନ ପ୍ରଣାଳୀ ବ୍ୟକ୍ତିକୈନ୍ଦ୍ରିକ ନଥିଲା । ତେଣୁ ସଂସ୍କୃତିରେ ପରିବାର, ଗୋଷ୍ଠୀ, ପରିବେଶ ପ୍ରଭୃତି ସବୁର ପ୍ରତିଫଳନ ଘଟୁଥିଲା । ସଂସ୍କୃତିର ପରିପ୍ରକାଶ ସଂଗୀତ, ସାହିତ୍ୟ, ନୃତ୍ୟ, ଚିତ୍ରକଳା, ଭାସ୍କର୍ଯ୍ୟ ସବୁର ଆଭିମୁଖ୍ୟ ସାମୂହିକ କଲ୍ୟାଣ ନିମିତ୍ତ ଉତ୍ସୃଷ୍ଟ ଥିଲା । କିନ୍ତୁ ଆଜିର ନୃତ୍ୟ-ସଂଗୀତ-ଆଚାର-ବିଚାରାଦି ଦେଖିଲେ ମନେହୁଏ ଆମେ ମୂଳ ସଂସ୍କୃତି ଠାରୁ କ୍ରମଶଃ ବିଚ୍ଚ୍ଥିନ୍ନ ହୋଇପଡ଼ିଛୁ ।

 

ଆଜି ସିନେମା, ସଂଗୀତ, ଟି.ଭି., ଭ.ଡ଼ି.ଓ. ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାଦିରେ ଯେଉଁ ସଂସ୍କୃତିର ପରିପ୍ରକାଶ ଘଟୁଛି, ତାହା ଦେଶାନ୍ତରାଗତ ହେବା ଯୋଗୁଁ ଦୈଶିକ ବିଚାରଧାରାକୁ ଅସ୍ତବ୍ୟସ୍ତ କରିପକାଉଛି । ଅବଶ୍ୟ ନବୀନ ବିଚାର ଯେ ସର୍ବଥା ପରିତ୍ୟାଜ୍ୟ ଏବଂ ସ୍ଥିତାବସ୍ଥା ସର୍ବଥା ଗ୍ରହଣୀୟ ଏହା ଆଦୌ ଯ୍ତକ୍ତିଯୁକ୍ତ ନୁହେଁ । ପୁରୁଣା ପରିବର୍ତ୍ତେ ନୂଆର ସାମ୍ରାଜ୍ୟ ସର୍ବଦା ଗଢ଼ାହୋଇ ଆସିଛି । ଏହାକୁ ଲକ୍ଷ୍ୟ କରି ଆଜକୁ ଦିଇହଜାର ବର୍ଷ ପୂର୍ବେ ବିଶ୍ଵପ୍ରସିଦ୍ଧ କବି କାଳିଦାସ କହିଥିଲେ–

 

“ପୁରାଣମିତ୍ୟେବ ନ ସାଧୁ ସର୍ବଂ

ନଚାପି ସର୍ବଂ ନବମିତ୍ୟବଦ୍ଦ୍ୟଂ,

ସନ୍ତଃ ପରୀକ୍ଷାନ୍ୟତରତ୍ ଭଜନ୍ତେ

ମୂଢ଼ଃ ପର-ପ୍ରତ୍ୟୟ-ନେୟ-ବୁଦ୍ଧିଃ”

 

ଏହାର ଅର୍ଥ, ପୂର୍ବରୁ ଚଳିଆସିଛି ବୋଲି ସବୁଗୁଡ଼ିକ ଭଲ ଏବଂ ନୂଆ ହେଲା ବୋଲି ନିନ୍ଦନୀୟ ଏହା ଭାବିବା କଦାପି ଉଚିତ ନୁହେଁ । ବିଚାରବନ୍ତଲୋକେ ଦୁଇଟି ଯାକ ପରୀକ୍ଷାକରି ଯେଉଁଟା ଭଲ ବୋଲି ତାଙ୍କର ହୃଦ୍‍ବୋଧ ହୁଏ ତାକୁ ହିଁ ଗ୍ରହଣ କରନ୍ତି । (ସେ ନୂଆ ବା ପୁରୁଣା ଯାହା ହେଉ) । କିନ୍ତୁ ଯେଉଁମାନେ ନିର୍ବୋଧ, ସେମାନେ ଅନ୍ୟର କଥାରେ ଭାସି, ସେ ଯାହା କହନ୍ତି, ତାକୁ ହିଁ ମାନନ୍ତି । ଯେହେତୁ ସେମାନଙ୍କ ବିଚାର ବୁଦ୍ଧି ନଥାଏ । ବର୍ତ୍ତମାନ ଆମ ଆଗରେ ସେହି ସମସ୍ୟା ଦେଖାଦେଇଛି ।

 

ଆଜିକାର ଅନ୍ୟାଗତ ଗୀତ, ସଂଗୀତ, ସାମାଜିକତା, ଖାଦ୍ୟ, ପେୟ ପ୍ରଭୃତି ଆମ ଅଜ୍ଞାତରେ ଆମ ସମାଜକୁ କବଳିତ କରିବାରେ ଲାଗିଛି । ତେଣୁ ଆପଣମାନଙ୍କୁ ମୋର ଅନୁରୋଧ କାଳିଦାସଙ୍କ ଉକ୍ତି ଅନୁସାରେ ପୁରୁଣା ଓ ନୂଆ ମଧ୍ୟରେ କେଉଁଟା ଗ୍ରହଣୀୟ ଓ କେଉଁଟା ବର୍ଜ୍ଜନୀୟ ପରୀକ୍ଷା କରି ଯାହା ଶୁଭଙ୍କର ତାହା ଗ୍ରହଣ କରନ୍ତୁ । ଜାତୀୟ ସଂସ୍କୃତିକୁ ରକ୍ଷା କରନ୍ତୁ ।

 

ପରିଶେଷରେ ଏତିକି ଆପଣାମାନଙ୍କୁ ସ୍ମରଣ କରାଇ ପ୍ରବନ୍ଧର ଉପସଂହାର କରୁଛି ଯେ–ଓଡ଼ିଶାସଂସ୍କୃତି ବ୍ୟକ୍ତିକୈନ୍ଦ୍ରିକ ନଥିଲା–ବ୍ୟକ୍ତି ସହିତ ବ୍ୟକ୍ତି ଓ ସମାଜ ସହିତ ସମାଜ ଏବଂ ସମାଜ ସହିତ ବିଶ୍ଵର ଐକାତ୍ମିକତା ପ୍ରତି ଦୃଷ୍ଟିରଖି ତାହା ସୃଷ୍ଟି ହୋଇଥିଲା । ଏହି ପରମ୍ପରା ଆବହମାନ କାଳରୁ କଳିଙ୍ଗରେ ଅର୍ଥାତ୍ ଏବର ଓଡ଼ିଶାରେ ଯଦିଚ ତଥାକଥିତ ଆଧୁନିକ ପରିବାର ମଧ୍ୟରେ କ୍ରମଶଃ ଲୁପ୍ତ ହେବାକୁ ବସିଛି, ତଥାପି ପଲ୍ଲୀସମାଜରେ ବିଶେଷକରି ଗାଁ ଗହଳିରେ ଏପର୍ଯ୍ୟନ୍ତ ତା’ର ସାମ୍ରାଜ୍ୟ ଅକ୍ଷୁଣ୍ଣ ରହିଛି । ଏହାହିଁ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ବିଶେଷତ୍ଵ ।

Image

 

ଓଡ଼ିଶାର ଧର୍ମଧାରା

 

ଓଡ଼ିଶାର ଧର୍ମଧାରା ବିଷୟରେ କିଛି ଆଲୋଚନା କରିବାକୁ ଗଲାପରେ ପ୍ରଥମେ ଓଡ଼ିଶାର ଭୌଗୋଳିକ ଅବସ୍ଥିତ ଓ ତାହାର ଦେଶବାସୀଙ୍କ ସମ୍ଵନ୍ଧରେ ଟିକିଏ ଆଲୋକପାତ କରିବା ଉଚିତ ମନେକରେ । ‘ଓଡ଼ିଶା’ ଏକ ଅର୍ବାଚୀନ ନାମ । ଏହାର ପ୍ରାଚୀନ ନାମ ଥିଲା କଳିଙ୍ଗ-। ସଂସ୍କୃତ ପୁରାଣ ଓ ଶାସ୍ତ୍ରମାନଙ୍କରେ ବିଶେଷ କରି ତତ୍କାଳ ଭାରତବର୍ଷରେ ନାନାବିଧ ରାଜ୍ୟର ବର୍ଣ୍ଣନା ପରିଦୃଷ୍ଟ ହୁଏ । ମହାଭାରତ, ବିଷ୍ଣୁପୁରାଣ, ଅଗ୍ନିପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣାଦିରେ ଏବଂ ପାଣିନିଙ୍କ ‘ଅଷ୍ଟାଧ୍ୟାୟୀ ସୂତ୍ର’ ଓ ବରାହ ମିହିରଙ୍କ ‘ବୃହତ୍ ସଂହିତା’ ଗ୍ରନ୍ଥରେ ଭାରତବର୍ଷର ବିଭିନ୍ନ ରାଜ୍ୟ, ନଦନଦୀ ଓ ପର୍ବତାଦିର ବର୍ଣ୍ଣନା ଲିପିବଦ୍ଧ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ତତ୍କାଳୀନ ତେସ୍ତରିଟି ରାଜ୍ୟର ନାମ ଉଲ୍ଲିଖିତ । ସେଗୁଡ଼ିକ ବିଭିନ୍ନ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା । ଅବଶ୍ୟ ପୁରାଣର ନାମ ତାଲିକାରେ କେତେକ ଆଖିଦୃଶିଆ ପାର୍ଥକ୍ୟ ପରିଲକ୍ଷିତ ହେଲେ ସୁଦ୍ଧା ଏମିତି ବହୁ ରାଜ୍ୟ ରହିଛି, ଯାହା ସବୁ ପୁରାଣ ଶାସ୍ତ୍ର, କାବ୍ୟ କବିତାଦିରେ ସମାନ ଭାବେ ସ୍ଥାନ ପାଇ ଆସିଛି । ସେ ମଧ୍ୟରୁ ‘କଳିଙ୍ଗ’ ନାମଟି ଅନ୍ୟତମ–ଯାହା ବର୍ତ୍ତମାନ ‘ଓଡ଼ିଶା’ ନାମରେ ଖ୍ୟାତ ।

 

କଳିଙ୍ଗ ଭାରତର ଅଗ୍ନିକୋଣରେ ଅବସ୍ଥିତ । ଏହା ବଙ୍ଗ, ମଗଧ ଓ ଦକ୍ଷିଣାପଥ ମଧ୍ୟରେ ଆଗଙ୍ଗା-ଗୋଦାବରୀ ବିସ୍ତୃତ ଏକ ବିଶାଳ ଭୂଖଣ୍ଡ, ଯାହାର ପୂର୍ବ ଓ ଦକ୍ଷିଣ ଭାଗ ସମୁଦ୍ରକୁ ସ୍ପର୍ଶ କରି ରହିଛି । ଏହା କେତେବେଳେ ‘ଉଡ୍ର’, କେତେବେଳେ ‘ଉତ୍କଳ’, ପୁଣି କେତେବେଳେ ‘ତୋଷଳୀ’ ନାମରେ ଅଭିହିତ ହୋଇ ଆସିଥିଲା । ପୁଣି ମଧ୍ୟ କେତେକ ସମୟରେ ଏହାର କିଛି ଅଂଶ ‘କଳିଙ୍ଗ’ ନାମରେ ନାମିତ ଥିଲାବେଳେ ଆଉ କିଛି ଅଂଶ ‘ଉତ୍କଳ’ ନାମରେ ପରିଚିତ ଥିଲା । ହରିବଂଶ, ବାୟୁ ପୁରାଣ, ମତ୍ସ୍ୟପୁରାଣ, ଅଗ୍ନିପୁରାଣାଦି ଏବଂ ମହାଭାରତ ଓ କାଳିଦାସଙ୍କ ରଘୁବଂଶ ବେଳକୁ ଏହା ଉତ୍କଳ ଓ କଳିଙ୍ଗ ଉଭୟ ଭାଗରେ ବିଭକ୍ତ ଥିବା ଜଣାପଡ଼େ । ସ୍କନ୍ଦ ପୁରାଣ ଓ କଳିକା ପୁରାଣରେ ଏହା ‘ଉଡ୍ଡିୟାନ’ ଏବଂ ପଦ୍ମପୁରାଣ ଓ ବିଷ୍ଣୁଧର୍ମୋତ୍ତର ପୁରାଣରେ ‘ଉଡ୍ରଦେଶ’ ରୂପେ ବର୍ଣ୍ଣିତ । ଏଣୁ ଅନୁମାନ ହୁଏ କଳିଙ୍ଗ-ଉତ୍କଳ, ଉଡ୍ର, ଉଡ୍ଡୀୟାନ ସବୁ ନାମତଃ ଭିନ୍ନ ବୋଲି ଜଣାପଡ଼ୁଥିଲେ ସୁଦ୍ଧା ତାହା ଏକ ଥିଲା, ଯାହା ବର୍ତ୍ତମାନ ଓଡ଼ିଶା ଛଡ଼ା ଅନ୍ୟ କିଛି ନୁହେଁ । ଏ ମଧ୍ୟରୁ କଳିଙ୍ଗ ନାମଟି ଅତ୍ୟନ୍ତ ପ୍ରସିଦ୍ଧ । ଏହାର ପ୍ରତିପତ୍ତି ଆବହମାନ କାଳରୁ ପୁରାଣକାର ବା ଗ୍ରନ୍ଥକର୍ତ୍ତାଙ୍କ ଚକ୍ଷୁକୁ ଏଡ଼ାଇ ପାରିନଥିଲା । ଏଣୁ ସବୁ କାଳରେ ସବୁ ଗ୍ରନ୍ଥରେ କଳିଙ୍ଗ ନାମଟି ଦେଖିବାକୁ ମିଳେ । ଏକା ସେତିକି ନୁହେଁ, ବୌଦ୍ଧ ସାହିତ୍ୟ, ଜୈନ ଧର୍ମଗ୍ରନ୍ଥ ସମେତ ଅଷ୍ଟାଧ୍ୟ୍ୟାୟୀ ସୂତ୍ର ଓ ଶତପଥ ବ୍ରାହ୍ମଣରେ ମଧ୍ୟ ଏହାର ନାମୋଲ୍ଲେଖ ରହିଛି । ଏଣୁ ମନେହୁଏ ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀ ପୂର୍ବରୁ କଳିଙ୍ଗ ଭାରତବର୍ଷରେ ଖ୍ୟାତିଲାଭ କରିସାରିଥିଲା । ଫଳରେ ଭାରତର ଏ ପାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ଲିଖିତ ଧର୍ମଶାସ୍ତ୍ର, ପୁରାଣ, ଆଖ୍ୟାନ, ଆଖ୍ୟାୟିକା ସବୁରେ ସ୍ଥାନ ପାଇ ଆସିଥଲା ।

 

କିନ୍ତୁ ପ୍ରଥମେ ଏହା ଏକ ଅପାଂକ୍ତେୟ ଦେଶ ରୂପେ ପରିଚିତ ଥିବା ଅନୁମିତ ହୁଏ । ଖ୍ରୀ:ପୂ: ପଞ୍ଚମ ଶତାବ୍ଦୀ ଆଗରୁ ଲିଖିତ ‘ଶତପଥ ବ୍ରାହ୍ମଣ’ ବାଗୁର ସଂହିତା ଓ ବୌଦ୍ଧାୟନ ଧର୍ମସୂତ୍ରରେ ନିର୍ଦ୍ଦେଶ ରହିଛି, ଯଦି କେହି କୌଣସି କାରଣରୁ କଳିଙ୍ଗ ଦେଶରେ ପଦାର୍ପଣ କରେ, ସେ ପୁନଶ୍ଚ ସଂସ୍କାରର ଯୋଗ୍ୟ ଏବଂ ସେଥିପାଇଁ ଯଥାବିଧି ପ୍ରାୟଶ୍ଚିତ କରିବାକୁ ପଡ଼ିବ । କାରଣ, ସେ ଦେଶରେ ଚାତୁର୍ବର୍ଣ୍ଣ୍ୟ ବିଧାନ ନାହିଁ ।

 

ଶାଶ୍ଵତ ଧର୍ମ ପାଳନ କରାଯାଏ ନାହିଁ । ବେଦ ବର୍ଣ୍ଣିତ ଦେବତାଙ୍କୁ ଉପାସନା କରାଯାଏ ନାହିଁ ଏବଂ ଶୁଦ୍ଧ ଭାଷାର ବ୍ୟବହାର ନାହିଁ । କିନ୍ତୁ ପରବର୍ତ୍ତୀ କାଳର ବିଷ୍ଣୁପୁରାଣରେ କଳିଙ୍ଗରେ ଦ୍ଵିଜମାନେ ବାସ କରୁଥିବାର ଉଲ୍ଲେଖ ଅଛି । ଏଥିରୁ ଅଧ୍ୟାହାର କରାଯାଇପାରେ ଯେ କଳିଙ୍ଗ ପ୍ରଥମେ ଶାଶ୍ଵତ ବା ବୈଦିକ ଧର୍ମ ପାଳନ କରୁ ନଥିବା କୌଣସି ଏକ ଜାତିର ବାସସ୍ଥଳୀ ଥିଲା ।

 

ପରେ ସେଠାକୁ ଦ୍ଵିଜମାନେ ଯାଇ ବସତି ସ୍ଥାପନ କଲେ । ଫଳରେ ତଥାକଥିତ ଅପବିତ୍ର କଳିଙ୍ଗ ଦେଶ ଧର୍ମଶାସ୍ତ୍ରୀୟ ସ୍ଵୀକୃତି ଲାଭ କରି ଆଉ ଅପାଂକ୍ତେୟ ହୋଇ ରହିଲା ନାହିଁ । ଏହି କଥାକୁ ପ୍ରସିଦ୍ଧ ଗ୍ରୀକ୍ ଐତିହାସିକ ‘ପ୍ଲିନି’ ସାହେବ ଏବଂ ଖ୍ରୀ:ପୂ: ଦ୍ଵିତୀୟ ଶତାବ୍ଦୀର ଭୌଗୋଳିକ ‘ଟଲେମି’ଙ୍କ ଉକ୍ତି ମଧ୍ୟ ସମର୍ଥନ କରେ । ‘ପ୍ଲିନି’ କହନ୍ତି- ଗଙ୍ଗା ନଦୀର ଏ ପଟକୁ ‘କିଳିଂ’ ନାମକ ଏକ ଆଦିବାସୀ ଗୋଷ୍ଠୀ ବାସକରି ରହିଥିଲେ । ସେମାନେ ଆର୍ଯ୍ୟଗୋଷ୍ଠୀର ବିରୋଧୀ ଥିଲେ । ସେହିପରି ଟଲେମିଙ୍କ କଥାରୁ ଜଣାପଡ଼େ- ବୈଦିକ ଆର୍ଯ୍ୟ ଓ ସିନ୍ଧୁତଟବାସୀ ସଭ୍ୟତା ମଧ୍ୟରେ ଆଉ ଏକ ସଭ୍ୟତା ସେ କାଳ ଭାରତବର୍ଷରେ ବିସ୍ତୃତି ଲାଭ କରିଥିଲା, ଯାହା ଆଦିମ ଶବର ଗୋଷ୍ଠୀ ଛଡ଼ା ଅନ୍ୟ କାହାରି ବୋଲି କୁହାଯାଇ ନପାରେ ।

 

ଏମାନେ ଗଙ୍ଗା ନଦୀର ଦକ୍ଷିଣ ପଟେ ରହିଥିଲେ ଏବଂ ତାଙ୍କ କହିବା ଅନୁଯାୟୀ ସେମାନେ ଥିଲେ ‘କଳିଙ୍ଗର–ଗଙ୍ଗାରଡ଼ି’ ଅର୍ଥାତ୍ ଗଙ୍ଗତଟବାସୀ କଳିଙ୍ଗ–ମୁଣ୍ତାରି ଶ୍ରେଣୀର । ସଂସ୍କୃତ ପୁରାଣରେ ମଧ୍ୟ ଏହାର କ୍ଷୀଣ ସଂକେତ ରହିଛି । ବର୍ଣ୍ଣିତ ଅଛି- କଳିଙ୍ଗ ବଂଶୀ ଶବର ରାଜା ‘ପୁଡ଼ିଚନ୍ଦ୍ର’ କୀକଟ (ମଗଧର ଅନ୍ୟ ନାମ) ରାଜ୍ୟର ଶାସକ ଥିଲାବେଳେ ଜଣେ ଭୋଜବଂଶୀ ରାଜା ତାଙ୍କୁ ପରାଜିତ କରି ସେଠାରୁ ବିତାଡ଼ିତ କରିଥିଲେ । କଥାର ସତ୍ୟତା ଯାହା ଥାଉ ପଛେ, ଏହା କିନ୍ତୁ ସତ୍ୟ ଯେ ଦିନେ ମଗଧ ରାଜ୍ୟ ଶବରଗୋଷ୍ଠୀର ଶାସନାଧୀନ ଥିଲା । ଗଙ୍ଗାର ଦକ୍ଷିଣ ପଟକୁ କଳିଙ୍ଗ୍ ମାନେ ବାସ କରୁଥିଲେ ଓ ସେମାନଙ୍କ ଅଧ୍ୟୁଷିତ ରାଜ୍ୟ ‘କଳିଙ୍ଗ’ ନାମରେ ନାମିତ ଥିଲା । ସେମାନେ ବନ୍ୟ ଆଦିବାସୀ ଥିବାହେତୁ ସେମାନଙ୍କ ଧର୍ମ ଧାରଣା, ଦେବତା ବିଶ୍ଵାସ, ସଂସ୍କୃତି, ଜୀବନଯାତ୍ରା ବୈଦିକ ସମାଜ ଠାରୁ ପୃଥକ୍ ରହିବା ସ୍ଵାଭାବିକ । ସେହି କାରଣରୁ କଳିଙ୍ଗ ଅପବିତ୍ର ରାଜ୍ୟ ରୂପେ ପରିଗଣିତ ହୋଇ ଆସିଥିଲା ।

 

କଳିଙ୍ଗରେ ଯେଉଁମାନେ ବସତି ସ୍ଥାପନ କରି ରହିଥିଲେ, ସେମାନେ ପ୍ରସ୍ତର ଯୁଗୀୟ ଆଦିମତମ ଅଧିବାସୀ ବୋଲି ନୃତତ୍ତ୍ୱବିତ୍ ମାନଙ୍କ ମତ । ସେମାନଙ୍କୁ ମୌଳିକ ଗୋଷ୍ଠୀ ବୋଲି ମଧ୍ୟ କହନ୍ତି । ଏମାନେ ଅନନ୍ତକାଳରୁ ବିନ୍ଧ୍ୟଗିରି ମାଳଅଂଚଳରେ ରହି ଆସିଛନ୍ତି । ପ୍ରାଚୀନ ଅଷ୍ଟ୍ରିକ୍ ଗୋଷ୍ଠୀ ସହିତ ଏମାନଙ୍କର ବହୁ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଏମାନଙ୍କ ଦେହର ବର୍ଣ୍ଣ ଥିଲା କଳା ଏବଂ ମୁହଁ ଗୋଲାକାର । ବୃତ୍ତି-ଶିକାର କରିବା ଓ କନ୍ଦମୂଳାଦି ମାଟିରୁ ଖୋଳି ଖାଇବା । ପଥରକୁ ଘଷିମାଜି ଅସ୍ତ୍ର ନିର୍ମାଣ କରି ତଦ୍ଦ୍ୱାରା ଆତ୍ମରକ୍ଷା କରୁଥିଲେ ।

 

କେତେବେଳେ ପୂରାପୂରି ଉଲଗ୍ନ ରହୁଥିଲେ ଓ କେତେବଳେ ପତ୍ର ବା ବଳ୍‍କଳ ପିନ୍ଧି ଲଜ୍ଜା ନିବାରଣ କରୁଥିଲେ । ସେ ମଧ୍ୟରୁ ଏବେ ମଧ୍ୟ କେତେକ ନଗ୍ନ ଶରୀରରେ କାଳଯାପନ କରୁଥିବା ଦେଖାଯାଏ । ଏ ପର୍ଯ୍ୟନ୍ତ ସେମାନଙ୍କ ବଂଶ ଲୋପ ପାଇନାହିଁ । ବର୍ତ୍ତମାନ ଓଡ଼ିଶାର କେତେକ ଉଚ୍ଚ ପାର୍ବତ୍ୟ ଅଂଚଳରେ ଏମାନେ ଉଲଗ୍ନ ଭାବେ ରହୁଥିବା ସର୍ଭେରୁ ଜଣାପଡ଼େ । ମନେହୁଏ, ସେହି ଆଦିମ ଯୁଗର ଘନ ଜଂଗଲ ମଧ୍ୟରେ ଏମାନଙ୍କ ପୂର୍ବପୁରୁଷଗଣ ପ୍ରଥମେ ସେହିପରି ଏକ କିମ୍ଭୂତକିମାକାର ଜୀବନଯାତ୍ରା ମଧ୍ୟରେ ଗତିକରି ଆସୁଥିଲେ । ସେମାନଙ୍କ ଜୀବନ ଦର୍ଶନ ଓ ଧର୍ମ ଧାରଣା ଥିଲା ଅଦ୍ଭୁତ ରକମର ।

 

ଜୀବନ ଦର୍ଶନ ହେଲା ନିର୍ଭୟରେ ବଂଚି ରହିବା, ଧର୍ମ ହେଲା ବିପଦରୁ ରକ୍ଷା ପାଇବା ପାଇଁ ଅଲୌକିକ ଶକ୍ତିର ଅନୁଗ୍ରହ ଲାଭ । ଅର୍ଥାତ୍ ଦେବତା ବିଶ୍ଵାସ । ଏଣୁ ଅଦୃଶ୍ୟ ଶକ୍ତିର ମାଧ୍ୟମ ରୂପେ ବୃକ୍ଷ,ପର୍ବତ, ଝରଣା, ମାଟି ପଥରାଦିକୁ ଦେବତା ଜ୍ଞାନରେ ଉପାସନା କରୁଥିଲେ, ତାଙ୍କର ଶରଣାପନ୍ନ ହେଉଥିଲେ । ଏହା ଥିଲା ତାଙ୍କର ଧର୍ମଧାରଣା–ଅନ୍ୟ କଥାରେ ଜୀବନଚର୍ଯ୍ୟା, ଏଥିସକାଶେ ସେମାନଙ୍କୁ ହେତୁ ଖୋଜିବା ଆବଶ୍ୟକ ନଥିଲା କିମ୍ଵା ନାଷ୍ଠୁର କ୍ରିୟାକର୍ମ କରିବାକୁ ପଡ଼ୁନଥିଲା ।

 

ମୋଟ ଉପରେ ସେମାନେ ଥିଲେ ଅହେତୁବାଦୀ ଓ ଅକ୍ରିୟାବାଦୀ ।

 

ସେମାନଙ୍କ ଦେବତା ବିଶ୍ଵାସ ଅତି ପ୍ରଗାଢ଼ ଏବଂ ବିଚିତ୍ର ଧରଣର । ବାସ୍ତବ ଜୀବନରେ ଯାହା ଉପକାରୀ ଓ କଲ୍ୟାଣପ୍ରଦ, ତାହାହିଁ ତାଙ୍କର ଦେବତା । ସୂର୍ଯ୍ୟ ଉତ୍ତାପ ଦିଏ, ପୃଥିବୀ ଶସ୍ୟ ଫଳାଏ, ଅରଣ୍ୟ ଶିକାର ଯୋଗାଏ, ବୃକ୍ଷରୁ ଫଲପୁଷ୍ପ ମିଳେ, ଝରଣା ତୃଷା ମେଣ୍ଟାଏ–ତେଣୁ ସେମାନେ ସବୁ ଗୋଟିଏ ଗୋଟିଏ ଦେବତା ଉପାସନାର ଯୋଗ୍ୟ । ତାଙ୍କରି ନାଁରେ ବସ୍ତୁଟିଏ ଥାପନା ହୋଇ ପୂଜା କରାଯାଏ । ପୂଜା ବୋଇଲେ ଆପଣାର ଯାହା ଭୋଗ୍ୟ ରୂପେ ସଂଚିତ, ଦେବତାଙ୍କ ଉଦ୍ଦେଶ୍ୟରେ ତାହାହିଁ ହାର୍ଦ୍ଦିକ ସମର୍ପଣ । ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ ସବୁ–ଏହାହିଁ ଥିଲା ତାଙ୍କର ଧର୍ମ–ଯାହାର ମୂଳ ହେଲା ବିଶ୍ଵାସ ।

 

ଅନୁଧ୍ୟାନରୁ ଜଣାପଡ଼େ–ପ୍ରାକ୍ତନ କଳିଙ୍ଗ ବା ପ୍ରାଚୀନ ଓଡ଼ିଶାରେ ତ୍ରିବିଧ ଦେବତା ଉପାସିତ ହୋଇ ଆସୁଥିଲେ । ଗୃହଦେବତା, ଗ୍ରାମଦେବତା, ଗଣଦେବତା ବା ରାଷ୍ଟ୍ରଦେବତା । ଗୃହଦେବତା ବୋଇଲେ ଇଷ୍ଟଦେବୀ । ସେ ପରିବାରକୁ ନିରାପଦ ରଖନ୍ତି । ଘରକୋଣର ମଝି ବଇ ବା କାନ୍ଥ ଉପରେ ତାଙ୍କ ଆସ୍ଥାନ । ଆପଦ ବିପଦ ବେଳେ କୁଟୁମ୍ଵର ଦାୟିତ୍ଵ ତାଙ୍କ ଉପରେ ।

 

ତାଙ୍କ ପୂଜା ନକରି ତାଙ୍କର ଆଜ୍ଞା ନନେଇ କୌଣସି ଶୁଭକର୍ମ ଆରମ୍ଭ କରାହୁଏ ନାହିଁ । ଏପରିକି ତାଙ୍କୁ ଲାଗି ନକଲେ ନୂଆ ଲୁଗାଟାଏ ବା ନୂଆ ଅଳଂକାରଟିଏ ପିନ୍ଧାଯାଏ ନାହିଁ । ଝିଅ ହେଉ ବା ବୋହୂ ହେଉ ପ୍ରଥମେ ଘରକୁ ଆସିଲେ ଆଗେ ଇଷ୍ଟଦେବୀଙ୍କୁ ମୁଣ୍ତିଆ ମାରିବାକୁ ହୁଏ । ଇଷ୍ଟଦେବୀ କିନ୍ତୁ ସବୁଘରେ ସମାନ ନୁହନ୍ତି । ଭିନ୍ନ ଭିନ୍ନ ଘରେ ଭିନ୍ନ ଭିନ୍ନ ନାମରେ ପ୍ରତିଷ୍ଠା ପାଇଆସିଥାନ୍ତି ବର୍ତ୍ତମାନ ସୁଦ୍ଧା ସେହି ପରିବାର ଧର୍ମ ଓଡ଼ିଆ ସମାଜରେ ପ୍ରଚଳିତ ହୋଇଆସୁଛି । ଅବଶ୍ୟ ଏହାକୁ ଓଡ଼ିଆ ଘରର ପ୍ରାଚୀନ ସଂସ୍କୃତି ବୋଲି କୁହାଯାଇପାରେ । ଯେହେତୁ କାଳକ୍ରମେ ଧର୍ମ ଓ ସଂସ୍କୃତି ଏକାକାର ହୋଇ ପଡ଼ିଥିବା ଦୃଷ୍ଟ ହୁଏ ।

 

ଯାହାହେଉ ତାହା ଏକ ଆଦିମ ସମାଜର ଧାର୍ମିକ ପରଂପରା–ଏହାକୁ କଥାରେ ଉଡ଼ାଇ ଦେଇ ହେବନାହିଁ । ତା’ଛଡ଼ା ଗ୍ରାମଦେବତା–ସେ ହେଲେ ସମଗ୍ର ଗ୍ରାମବାସୀଙ୍କର ରକ୍ଷାକର୍ତ୍ତା ଓ ମଙ୍ଗଳ ବିଧାତା । ଶତ୍ରୁ, ବ୍ୟାଘ୍ର, ଶସ୍ୟହାନି, ମହାମାରୀ ଭୟ ଓ ଭୂତପ୍ରେତାଦି ଉପଦ୍ରବରୁ ଗାଁ ଲୋକଙ୍କୁ ରକ୍ଷା କରନ୍ତି । ତାଙ୍କୁ ପ୍ରସନ୍ନ ରଖିବା ପାଇଁ ଦଳବଦ୍ଧ ଭାବେ ସ୍ତ୍ରୀ-ପରୁଷ ନିର୍ବିଶେଷରେ ଗୀତ, ବାଦ୍ୟ, ନୃତ୍ୟାଦି ଦ୍ଵାରା ତାଙ୍କର ସନ୍ତୋଷ ବିଧାନ କରନ୍ତି । ସେମାନଙ୍କ ଧାରଣା ଯେଉଁ ଉପଚାର ଓ ଖାଦ୍ୟପେୟ ଦ୍ଵାରା ମଣିଷ ସନ୍ତୁଷ୍ଟ ହୁଏ, ତାହାହିଁ ଦେବତାଙ୍କ ପ୍ରିୟବସ୍ତୁ । ତାଙ୍କ ଦୃଷ୍ଟିରେ ଦେବତା ତାଙ୍କରି ଭିତରୁ ଜଣେ ।

 

ସେ ଅତି ଆପଣାର–ଶୁଭାକାଂକ୍ଷୀ, ସୁଖ ଦୁଃଖର ସାଥୀ । ସେ କିତୁଙ୍ଗ୍, ବୋଙ୍ଗା, ବୁରୁ, ପେନୁ ପ୍ରଭୃତି ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ନାମିତ ହୋଇ ଆସୁଥିଲେ । କିନ୍ତୁ ସମସ୍ତେ ପ୍ରାୟ ଦେବୀ ଥିଲେ ।ଏବେ ସୁଦ୍ଧା ଓଡ଼ିଶାର ଗାଁ ମାନଙ୍କରେ ବାସେଳୀ, କଦମ୍ଵଖଣ୍ତୀ, ମଙ୍ଗଳା, ବାଙ୍କଶିରୀ, ଜହ୍ନିଖାଇ,କନ୍ଧୁଣୀ, କୁରେଇଶୁଣୀ, ଦୁଆରିଶୁଣି ପ୍ରମୁଖ ଗ୍ରାମଦେବତୀ ପୂଜାପାଇ ଆସୁଥିବା ସମସ୍ତେ ଜାଣନ୍ତି । ଏହା ଯେ, ଶାବରୀ ପରଂପରା ଉପରେ ଆଧାରିତ, ଏଥିରେ ସନ୍ଦେହ ନାହିଁ । କହିବା ଅନାବଶ୍ୟକ ଏହି ପରମ୍ପରା ମଧ୍ୟରୁ ପରବର୍ତ୍ତୀ ତନ୍ତ୍ର ସାଧନାର ମାର୍ଗ ଉନ୍ମୋଚିତ ଏବଂ ବିଭିନ୍ନ ତାନ୍ତ୍ରିକ ଦେବୀ ଏଇ ଧାରଣାରୁ ହିଁ ସୃଷ୍ଟି ହୋଇଥିବା ସମ୍ଭବ ।
 

ଉପର୍ଯ୍ୟୁକ୍ତ ଦୁଇଟି ଉପାସ୍ୟ ଦେବତା ଛଡ଼ା ଅନ୍ୟ ଏକ ଦେବତା ପ୍ରାଚୀନ ଓଡ଼ିଶାରେ ଉପାସିତ ହୋଇ ଆସୁଥିଲେ, ଯାହାଙ୍କୁ ଗଣଦେବତା କୁହାଯାଇପାରେ । ସେ ଥିଲେ ସମଗ୍ର ଦେଶବାସୀଙ୍କ ଦେବତା-ରାଷ୍ଟ୍ର ଦେବତା । ଜାତି, କୁଳ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସେ ସମସ୍ତଙ୍କ ଉପାସ୍ୟ ଥିଲେ । ସବୁ ଦେବତା ଅପେକ୍ଷା ଉଚ୍ଚରେ ଆସନ ତାଙ୍କର । ତେଣୁ ଉଚ୍ଚ ଜାଗାରେ ଅଧିଷ୍ଠିତ ଥିଲେ ସେ । ବୋଧହୁଏ ପର୍ବତ ଶିଖର ଥିଲା ତାଙ୍କର ଆସ୍ଥାନ–ସମ୍ଭବତଃ ମହେନ୍ଦ୍ର ପର୍ବତ-। କାରଣ, ତାହା ଯେପରି ନିରାପଦ, ସେହିପରି ଲୋକଲୋଚନ ଅନ୍ତରାଳରେ ଥିଲା ।

 

ପର୍ବଦିନରେ ସମଗ୍ର ଦେଶବାସୀ ସେଠାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରୁଥିଲେ । ଦେବତାଙ୍କ ନା ଥିଲା ବୋଧହୁଏ ‘ଜଗନ୍ତ’ । ତାହା ଥିଲା ଏକ ମହାବୃକ୍ଷ ବା ଦାରୁ । ଜଗନ୍ତର ଅର୍ଥ ସର୍ବୋତ୍କୃଷ୍ଟ ଦେବତା । ‘ଜଗନ୍ତ’ ଶବ୍ଦ ପରବର୍ତ୍ତୀ କାଳରେ ‘ଜଗନ୍ନାଥ’ ରୂପେ ପରିବର୍ତ୍ତିତ ହୋଇଥାଇପାରେ ।

 

ଯେହେତୁ ଅସମାନ ବାଗ୍ ଯନ୍ତ୍ର ଓ ଶ୍ରୁତିବୈବିଧ୍ୟ ଯୋଗୁଁ ବ୍ୟକ୍ତିବିଶେଷ ଦ୍ଵାରା ଉଚ୍ଚାରିତ ଶବ୍ଦ କାଳକ୍ରମେ ରୂପାନ୍ତରିତ ହୋଇପଡ଼ନ୍ତି । ତେଣୁ ‘ଜଗନ୍ତ’–‘ଜଗନ୍ନାଥ’ରେ ପରିଣତ ହୋଇପଡ଼ିବା ବିଚିତ୍ର ନୁହେଁ । ପକ୍ଷାନ୍ତରେ ଏହାବି ହୋଇପାରେ ‘ଜଗନ୍ନାଥ’ ‘ଜଗନ୍ତ’ ଶବ୍ଦର ସଂସ୍କୃତାୟିତ ରୂପ । ଦେବତାରୂପୀ ‘ଦାରୁ’ ପରବର୍ତ୍ତୀ ବ୍ରାହ୍ମଣ୍ୟ ପ୍ରଭାବରେ ‘ବ୍ରହ୍ମ’ ରୂପୀ ‘ଦାରୁ’ ବା ‘ଦାରୁବ୍ରହ୍ମ’ ନାମରେ ପୁରାଣ ମାନଙ୍କରେ ବର୍ଣ୍ଣିତ ହୋଇପଡ଼ିବା ବିଶେଷ ସମ୍ଭବ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବୋଧହୁଏ ‘ଜଗନ୍ତ’ ବ୍ରାହ୍ମଣ୍ୟ ଧର୍ମର ଉପାସ୍ୟ ରୂପେ ଗୃହୀତ ହେଲାପରେ ‘ଜଗନ୍ନାଥ’ ନାମରେ ପ୍ରସିଦ୍ଧି ଲାଭ କରିଥିଲେ ।

 

ମହେନ୍ଦ୍ର ପର୍ବତ ଶିଖରକୁ ଉଠିଥିବା ‘ଦାରୁବ୍ରହ୍ମମାର୍ଗ’ ନାମରୁ ମଧ୍ୟ ସେହି କଥା ବ୍ୟଞ୍ଜିତ ହୁଏ । ମାର୍ଗର ନାମ କାହିଁକି ବା ‘ଦାରୁବ୍ରହ୍ମ’ ବୋଲି ରଖାଯାଇଛି, ତାହା ପ୍ରଣିଧାନଯୋଗ୍ୟ ।‘ଦାରୁ’ ଦର୍ଶନ କରିବାକୁ ସେହିବାଟେ ଯାଉଥିବା ହେତୁ କିମ୍ଵା ସେହି ମାର୍ଗରେ ତତ୍ରତ୍ୟ ଦାରୁକୁ ସ୍ଥାନାନ୍ତରିତ କରାଯାଇଥିବା ହେତୁ ତାହା ଦାରୁବ୍ରହ୍ମ ନାମରେ ନାମିତ କହିହୁଏ ନାହିଁ । ତଥାପି ପ୍ରଥମ ସମ୍ଭାବନା ଅପେକ୍ଷା ଦ୍ଵିତୀୟଟି ଅଧିକ ଯୁକ୍ତିଯୁକ୍ତ ମନେହୁଏ । କାରଣ ଖ୍ରୀ:ପୂ: ଅଷ୍ଟମ ଶତାବ୍ଦୀରେ ଜୈନ ତୀର୍ଥଙ୍କର ପାର୍ଶ୍ଵନାଥଙ୍କ କଳିଙ୍ଗ ଆଗମନ ପରେ ‘ଅଶ୍ମକ’ ଦ୍ଵାରା କଳିଙ୍ଗ ଆକ୍ରାନ୍ତ ହୋଇଥିବା ଜୈନ ଧର୍ମଶାସ୍ତ୍ରରେ ଉଲ୍ଲିଖିତ । ‘ଅଶ୍ମକ’ ଗୋଦାବରୀ ଆରପଟର ଏକ ଦାକ୍ଷିଣାତ୍ୟ ରାଜ୍ୟ ।

 

ଏହାକୁ ବର୍ତ୍ତମାନ ‘ପୈଥାନ୍’ ରୂପେ ଚିହ୍ନିତ କରନ୍ତି । ଏଣୁ ଶତ୍ରୁ ଆକ୍ରମଣ ବେଳେ କଳିଙ୍ଗବାସୀ ରାଷ୍ଟ୍ରଦେବତାଙ୍କୁ ଗୋପନମାର୍ଗରେ ଓହ୍ଲାଇନେଇ ପୂର୍ବ ସାଗର ତୀରସ୍ଥ ନୀଳକନ୍ଦରକୁ ନିରାପଦ ମନେକରି ଅବସ୍ଥାପିତ କରିଥିବେ ବୋଲି ବିଶ୍ଵାସ ହୁଏ । ସ୍କନ୍ଦ ପୁରାଣରେ ମଧ୍ୟ ଦେବତା ରୂପେ ଜଗନ୍ନାଥଙ୍କ ପ୍ରତିଷ୍ଠା ବେଳକୁ ସେ ସ୍ଥାନ ‘ବେଷ୍ଟିତଂ ଶବରାଜୟୈଃ’ ବୋଲି ଉଲ୍ଲେଖ ରହିଛି । ଏଣୁ ଶବର ଦେବତାଙ୍କ ଅପସାରଣ ପରେ ମହେନ୍ଦ୍ରଗିରି ଶୈବପୀଠ ରୂପେ ପରିଣତ ହୋଇଥିବା ବିଶେଷ ସମ୍ଭବ ମନେହୁଏ ।

 

ଦକ୍ଷିଣ କଳିଙ୍ଗ ଅର୍ଥାତ୍ ଗୋଦାବରୀ ଠାରୁ ବଂଶଧାରା ପର୍ଯ୍ୟନ୍ତ କଳିଙ୍ଗର ଦକ୍ଷିଣ ଭୂଭାଗ ଅଶ୍ମକାଧୀନ ହୋଇପଡ଼ିବାରୁ ଦାକ୍ଷିଣାତ୍ୟ ଆଡ଼ୁ ଶୈବୋପାସକବର୍ଗ ନିର୍ବାଧରେ ମହେନ୍ଦ୍ରଚୂଡ଼ାରେ ଶିବଲିଙ୍ଗମାନ ପ୍ରତିଷ୍ଠା କରିଥିବେ ଯାହାର ଭଗ୍ନାବଶିଷ୍ଟ ଗୋକର୍ଣ୍ଣେଶ୍ଵର ଲିଙ୍ଗ ଅଦ୍ୟାପି ସ୍ମୃତିସ୍ଵରୂପ ସେଠାରେ ବିଦ୍ୟମାନ । ଏଣୁ ଜଗନ୍ନାଥ ପ୍ରଥମେ ‘ଦାରୁ’ ରୂପେ ମହେନ୍ଦ୍ରାଚଳରେ ପ୍ରତିଷ୍ଠିତ ଥିଲେ ଏବଂ ଉତ୍ତର କାଳରେ ଦାରୁବ୍ରହ୍ମ ନାମରେ ନୀଳାଚଳରେ ପୂଜା ପାଇ ଆସିଲେ ବୋଲି କହିବା ଅସଙ୍ଗତ ନୁହେଁ । ତଥାପି ଏହା ଅଧିକ ଗବେଷଣା ସାପେକ୍ଷ ।

 

ଯାହାହେଉ ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଓଡ଼ିଶାର ପ୍ରାଚୀନତମ ଦେବତା ହେଉଛନ୍ତି ଜଗନ୍ନାଥ ଏବଂ ତାଙ୍କୁ କେନ୍ଦ୍ରକରି ଗଢ଼ି ଉଠିଥିବା ଧର୍ମ ହେଉଛି ଓଡ଼ିଶାର ପ୍ରାଚୀନତମ ଧର୍ମ–ଜଗନ୍ନାଥ ଧର୍ମ । ଏଠାରେ ସ୍ମରଣ ରଖିବା ଉଚିତ ଯେ ଖ୍ରୀ:ପୂ: ଅଷ୍ଟମ ଶତାବ୍ଦୀ ଅର୍ଥାତ୍ ପାର୍ଶ୍ଵନାଥଙ୍କ ଆଗମନ ଠାରୁ ଜୈନଧର୍ମର ଶେଷ ତୀର୍ଥଙ୍କର ମହାବୀରଙ୍କ ପର୍ଯ୍ୟନ୍ତ ଉତ୍ତରପଟୁ ଧର୍ମପ୍ରଚାର କିମ୍ଵା ଅନ୍ୟ କୌଣସି ଲକ୍ଷ୍ୟରେ କଳିଙ୍ଗକୁ କେହି ଆସିଥିବା ସୂଚନା ମିଳେନାହିଁ । ଦକ୍ଷିଣପଟୁ କିନ୍ତୁ ଖ୍ରୀ:ପୂ: ସପ୍ତମ ଶତାବ୍ଦୀରେ ଅଶ୍ମକ ରାଜା କଳିଙ୍ଗ ଆକ୍ରମଣ କରିଥିଲେ ବୋଲି ଜୈନ ଧର୍ମଗ୍ରନ୍ଥରୁ ଜଣାପଡ଼େ–ଏକଥା ଆଗରୁ କୁହାଯାଇଛି ।

 

ବର୍ତ୍ତମାନ ଦେଖିବା ଖ୍ରୀ:ପୂ: ଷଷ୍ଠ ଶତାବ୍ଦୀର ଓଡ଼ିଶା କଥା । ଏହି ଶତାବ୍ଦୀଟି ଭାରତର ଧାର୍ମିକ ଇତିହାସରେ ଏକ ବୈପ୍ଳବିକ ଅଧ୍ୟାୟ ବୋଲି କୁହାଯାଏ । ଏଥିରେ ଜୈନଗୁରୁ ମହାବୀର ବର୍ଦ୍ଧମାନ ଓ ବୌଦ୍ଧଧର୍ମ ପ୍ରତିଷ୍ଠାତା ଗୌତମବୁଦ୍ଧ ଉଭୟେ ଜନ୍ମଗ୍ରହଣ କରି ସ୍ଵ ସ୍ଵ ଧର୍ମପ୍ରଚାର ଦ୍ଵାରା ଭାରତୀୟ ସମାଜରେ ଧର୍ମ ବିପ୍ଳବର ବୀଜ ରୋପଣ କରିଥିଲେ । ଉଭୟ ଧର୍ମ ବୈଦିକ ପୃଷ୍ଠଭୂମି ଉପରେ ଗଢ଼ି ଉଠିଥିଲେ ସୁଦ୍ଧା କେହି ବେଦବିଶ୍ଵାସୀ ନଥିଲେ । ଉଭୟେ ନିରୀଶ୍ୱରବାଦୀ ଓ କାହାରି ଯାଗଯଜ୍ଞାଦି କ୍ରିୟା- କାଣ୍ଡରେ ଆସ୍ଥା ନଥିଲା । ଉଭୟ ମତରେ ଜୀବନ ଦୁଃଖପୂର୍ଣ୍ଣ ଓ ସତ୍କର୍ମ ଦ୍ଵାରା ସେଥିରୁ ମୁକ୍ତି ମିଳେ । ଉଭୟେ ଉଚ୍ଚ କ୍ଷତ୍ରିୟ କୁଳ ସମ୍ଭୂତ ଏବଂ ଉଭୟେ ବର୍ଣ୍ଣବିଦ୍ଵେଷୀ ଥିଲେ । ମୁଖ୍ୟତଃ ନିମ୍ନବର୍ଣ୍ଣର ବୈଶ୍ୟ ଓ କୃଷିବଳ ଶୂଦ୍ରକୁ ସ୍ଵ ସ୍ଵ ଧର୍ମରେ ଦୀକ୍ଷିତ କରାଇବା ଲାଗି ଧର୍ମାନ୍ତର ଗ୍ରହଣକୁ ଉଭୟେ ଉତ୍ସାହିତ କରୁଥିଲେ ।

 

ଉଭୟ ମତରେ ଅହିଂସା ଓ ଚରିତ୍ର ଗଠନ ଉପରେ ଗୁରୁତ୍ଵ ଦିଆଯାଉଥିଲା । ଜୈନ ସଂପ୍ରଦାୟର ଶ୍ରମଣ–ଶ୍ରମଣୀ ପରି ବୌଦ୍ଧଧର୍ମରେ ଭିକ୍ଷୁ ଭିକ୍ଷୁଣୀ ମଧ୍ୟ ସମାନ ମର୍ଯ୍ୟାଦା ପାଇ ଆସୁଥିଲେ । ଏତେ ସାମଞ୍ଜସ୍ୟ ସତ୍ତ୍ଵେ ଉଭୟ ସଂପ୍ରଦାୟ ମଧ୍ୟରେ ଯେଉଁ ଗୁରୁତର ପାର୍ଥକ୍ୟ ଅନୁଭୂତ ହୁଏ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଜୈନଧର୍ମ କହେ ଦାରୁ, ପାଷାଣ, ଜଳ, ଅଗ୍ନି ସମସ୍ତ ପ୍ରାକୃତିକ ପଦାର୍ଥରେ ଆତ୍ମସତ୍ତା ବିଦ୍ୟମାନ ।

 

ବୌଦ୍ଧଧର୍ମରେ କିନ୍ତୁ ତାହା ସ୍ଵୀକାର କରାଯାଏ ନାହିଁ । ସମସ୍ତ ପ୍ରକାର ହିଂସା ଜୈନଧର୍ମରେ କଡ଼ାକଡ଼ି ନିଷିଦ୍ଧ ଥିବାବେଳେ ବୌଦ୍ଧମାନେ ସ୍ଥାନ ବିଶେଷରେ ସେଥିରେ କୋହଳ ମନୋଭାବ ପୋଷଣ କରନ୍ତି । କଠୋର ସାଧନା ଦ୍ଵାରା ନିର୍ବାଣ ପ୍ରାପ୍ତି ସମ୍ଭବ ବୋଲି ଜୈନମାନେ ସ୍ଵୀକାର କରନ୍ତି । କିନ୍ତୁ ତଥାଗତ ମାର୍ଗ ଅନୁସରଣରେ ହିଁ ତାହା ସମ୍ଭବ ବୋଲି ବୌଦ୍ଧମାନଙ୍କ ମତ-। ଗୃହସ୍ଥ ନାରୀ ବା ପୁରୁଷ ନିର୍ବାଣର ଅଧିକାରୀ ନୁହନ୍ତି ବେଲି ଜୈନଧର୍ମର କଥାକୁ ବୌଦ୍ଧଧର୍ମ ସ୍ଵୀକାର କରେନାହିଁ ।

 

ଜୀବଦ୍ଦଶାରେ ମନୁଷ୍ୟର ନିର୍ବାଣ ଲାଭ ସମ୍ଭବ ନୁହେଁ ବୋଲି ଜୈନ କହୁଥିଲାବେଳେ ବୌଦ୍ଧ ବିଶ୍ଵାସରେ ତାହା ଆଦୌ ଅସମ୍ଭବ ନୁହେଁ । କିନ୍ତୁ କୌତୁହଳର ବିଷୟ ଜୈନ ଧର୍ମଗୁରୁ ମହାବୀର ଓ ବୌଦ୍ଧଧର୍ମ ପ୍ରତିଷ୍ଠାତା ତଥାଗତ ଉଭୟେ ସମସାମୟିକ ଏବଂ ଉଭୟଙ୍କ ଜନ୍ମ ଉତ୍ତାରପଥରେ ।

 

ଏଣୁ ମତ ପ୍ରଚାର କାଳରେ ଉଭୟେ ପ୍ରତିଦ୍ଵନ୍ଦ୍ଵିତାର ସମ୍ମୁଖୀନ ହେବା ସ୍ଵାଭାବିକ । ସର୍ବତ୍ର ସେୟା ଘଟିଛି–କଳିଙ୍ଗରେ ମଧ୍ୟ । ଅତଏବ ଦୁଇଟିଯାକ ଧର୍ମ କଳିଙ୍ଗର ନିମ୍ନ ଶ୍ରେଣୀ ମଧ୍ୟରେ ବେଶ ଲୋକପ୍ରିୟ ହୋଇ ଉଠିଥିଲା । କିନ୍ତୁ ପାର୍ଶ୍ଵନାଥଙ୍କ ସମୟରୁ ରହି ଆସିଥିବା ଜୈନଧର୍ମ ପ୍ରତି ଲୋକବିଶ୍ଵାସ ମହାବୀରଙ୍କ ଆଗମନ ଫଳରେ ସମଧିକ ବୃଦ୍ଧିପ୍ରାପ୍ତ ହୋଇଥିଲା ।

 

ମହାବୀରଙ୍କ ଆଗମନ ସରିକି ‘ଉଡ୍ରବିଷୟ’ ପାର୍ଶ୍ଵନାଥଙ୍କ ଅମଳରୁ ଜୈନଧର୍ମର ଏକ ପ୍ରଧାନ ପୀଠସ୍ଥଳୀ ରୂପେ ଖ୍ୟାତିଲାଭ କରିଥିଲା ଏବଂ ପାର୍ଥିବ ସଂପଦରେ ମଧ୍ୟ ଭରପୂର ଥିଲା । ଫଳରେ ତାହା ସମଗ୍ର ଭାରତୀୟ ସମାଜର ଦୃଷ୍ଟି ଆକର୍ଷଣ ନକରି ରହି ନଥିଲା । ତେଣୁ ଖ୍ରୀ:ପୂ: ଚତୁର୍ଥ ଶତୀବ୍ଦୀର ମଗଧ ରାଜା ମହାପଦ୍ମନନ୍ଦ ଧାର୍ମିକ କାରଣ ଯୋଗୁ ହେଉ ବା ଧନ ସମ୍ପଦ ଲୋଭରେ ହେଉ, ଆକସ୍ମିକ ଆକ୍ରମଣ ଚଳାଇ କଳିଙ୍ଗର ଉପାସନା ପୀଠରୁ ‘ଜୀନାସନ’ ଅପହରଣ କରି ନେଇଥିଲେ ।

 

ଏଥିରୁ ଜଣାପଡ଼େ ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀ ବେଳକୁ ଉଡ୍ର ବିଷୟ ସମେତ ସମଗ୍ର କଳିଙ୍ଗ ଏକ ଦିଗରେ ଧନ-ଜନ-ଗୋପ ଲକ୍ଷ୍ମୀରେ ଭରପୂର ଥିବାବେଳ ଅନ୍ୟଦିଗରେ ଧାର୍ମିକ କ୍ଷେତ୍ରରେ ମଧ୍ୟ ପ୍ରଭୂତି ଉନ୍ନତି ସାଧନ କରିଥିଲା । ବହିର୍ବାଣିଜ୍ୟ ଓ ବିଦେଶ ଯାତ୍ରା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲା । ପ୍ରଜାବର୍ଗ ସୁଖ ଶାନ୍ତିରେ କାଳାତିପାତ କରୁଥିଲେ । ନିପଟ ଅହିଂସାଧର୍ମୀ ଥିବାହେତୁ କାହାରି ପ୍ରତି ଦ୍ଵେଷଭାବ ନଥିଲା ।

 

ସହାବସ୍ଥାନ ନୀତିରେ ଯିଏ ଯାହାର ପରିସର ଭିତରେ ରହି ସରଳ ଜୀବନଯାପନ କରୁଥିଲେ । କିନ୍ତୁ ସରଳତା ସର୍ବତ୍ର ଗୁଣବାଚ୍ୟ ନୁହେଁ । ସ୍ଥଳବିଶେଷରେ ତାହା ଦୁର୍ବଳତା ବୋଲି ବିବେଚିତ ହୁଏ, ବିଶେଷତଃ ଦେଶ ବା ଜାତି ପକ୍ଷରେ । ସରଳ ଗୁଣ ଦ୍ଵାରା ରାଜ୍ୟରକ୍ଷା ବା ଶତ୍ରୁ ସଂହାର ସହଜ ବ୍ୟାପାର ନୁହେଁ । ଏହାଦ୍ଵାରା ଦୁର୍ବଳ ଶତ୍ରୁ ଠାରେ ମଧ୍ୟ ସମୟ ସମୟରେ ଆତ୍ମସମର୍ପଣ କରିବାକୁ ହୁଏ । କଳିଙ୍ଗ ଭାଗ୍ୟରେ ବି ସେୟା ଘଟିଛି ।

 

କଠୋର ଶାସନ ଓ ଦୃଢ଼ ସେନାବହିନୀ ଅଭାବରୁ ନିଷ୍କପଟ କଳିଙ୍ଗ ଜାତି ରାଜ୍ୟଲୋଭୀ ନନ୍ଦଙ୍କ ଦ୍ଵାରା ପରାଜୟ ବରଣ କରିଛି । ଧନ ଲୁଣ୍ଠନ ସଙ୍ଗେ ସଙ୍ଗେ ଧାର୍ମିକ ପୀଠସ୍ଥଳୀରୁ ‘ଜୀନାସନ’କୁ ବଳାତ୍କାର ହରଣ କରିନେଲାବେଳେ ମଧ୍ୟ ନୀରବଦ୍ରଷ୍ଟା ହୋଇ ରହଛି । ଏହି ସୁଯୋଗରେ ମଗଧ ରାଜା ନନ୍ଦ ପ୍ରତିରୋଧ ଅଭାବରୁ ମହାନଦୀ ଅବବାହିକା ଯାଏଁ ନିର୍ବାଧରେ ଅନୁପ୍ରବେଶ କରି ଉତ୍କଳିଙ୍ଗ ବା ଉତ୍ତର କଳିଙ୍ଗକୁ ନିଜ ସାମ୍ରାଜ୍ୟଭୁକ୍ତ କରି ନେଇଛନ୍ତି, କିନ୍ତୁ ଅଗମ୍ୟ ଗିରି ସଂକୁଳ ଦକ୍ଷିଣ ପଟକୁ ଆଗେଇବା ସାହସ କରିନାହାନ୍ତି । ଯାହାହେଉ ଦୁଃଖ ମଣିଷର ପରମ ଗୁରୁ ।

 

ଉକ୍ତ ପରାଜୟ ଗ୍ଳାନି କଳିଙ୍ଗର ସୁପ୍ତଶକ୍ତି ଜାଗ୍ରତ କରି ମବୋନ୍ମାଦନା ଦେବାରେ ଯେପରି ସହାୟକ ଥିଲା, ସେହିପରି ଦୁର୍ଦ୍ଦାନ୍ତ ଭାବେ ଜାତିକୁ ଗଢ଼ି ତୋଳିବାରେ ପ୍ରେରଣା ଯୋଗାଇଥିଲା । ଆପଣାର ଦୋଷ ଦୁର୍ବଳତା ହୃଦୟଙ୍ଗମ କରି ସେଇଦିନୁ କଳଙ୍ଗବାସୀ ନିଜକୁ ସାମରିକ ଜାତି ରୂପେ ପ୍ରସ୍ତୁତ କରିବାକୁ ଦୃଢ଼ସଂକଳ୍ପ ହେଲେ ।

 

ଆତ୍ମରକ୍ଷା ନିମିତ୍ତ ଅସ୍ତ୍ରଶସ୍ତ୍ର ସମେତ ଦୁର୍ଦ୍ଧର୍ଷ ସେନାବାହିନୀର ପ୍ରୟୋଜନୀୟତା ଅନୁଭବ କଲେ ଓ ରଣସଜ୍ଜାରେ ସଜ୍ଜିତ ହୋଇ ତତ୍କାଳୀନ ଭାରତବର୍ଷରେ ଏକ ଅପରାଜେୟ ଜାତି ରୂପେ ଉଭାହେଲେ । ଯାହାଯୋଗୁ ସେକାଳେ କୁହାଯାଇଛି- “କଳିଙ୍ଗାଃ ସାହସିକାଃ” ।

 

କିନ୍ତୁ ବିଧାତାର ବିଧି ଅଲଘଂନୀୟ । ଏହାପରେ ଅର୍ଥାତ୍ ଖ୍ରୀ:ପୂ: ତୃତୀୟ ଶତାବ୍ଦୀରେ ମଗଧର ସିଂହାସନ ଆରୋହଣ କରନ୍ତି ଚଣ୍ତାଶୋକ–ଜଣେ ଆତ୍ମଗର୍ବୀ ଈର୍ଷାଳୁ ରାଜା । ପ୍ରତିବେଶୀ କଳିଙ୍ଗର ସମୃଦ୍ଧି ଓ ପ୍ରତିପତ୍ତି ସହ୍ୟ ନକରି କଳିଙ୍ଗ ଉପରେ ବିନା କାରଣରେ ଅପ୍ରତ୍ୟାଶିତ ଆକ୍ରମଣ କରିବା ମନସ୍ଥ କରନ୍ତି । ଉତ୍କଳିଙ୍ଗ ମଗଧର ଶାସନାଧୀନ ଥିବା ହେତୁ ଗଙ୍ଗାନଦୀ ପାର ହୋଇ ମହାନଦୀ ପର୍ଯ୍ୟନ୍ତ ତାଙ୍କ ବିରାଟ ସେନାବାହିନୀକୁ ଚଲାଇ ଆଣିବାରେ କୌଣସି ଅନ୍ତରାୟ ନଥିଲା । ଏହି ସୁବର୍ଣ୍ଣ ସୁଯୋଗରେ ସେ ଅନାୟାସରେ କଳିଙ୍ଗରେ ପ୍ରବେଶ କରି ତାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଲେ ଓ ଶେଷରେ ଯେକୌଣସି କାରଣରୁ ହେଉ ବୌଦ୍ଧସନ୍ୟାସୀ ରୂପେ ବୌଦ୍ଧଧର୍ମର ମହାପ୍ରଚାରକ ଓ ଦେବାନାଂପ୍ରିୟ ହୋଇଉଠିଲେ ।

 

ପରାଜିତ କଳିଙ୍ଗବାସୀଙ୍କୁ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବାରେ ରାଜାନୁଗ୍ରହ ଓ ବୌଦ୍ଧ ସନ୍ୟାସୀ ମାନଙ୍କର ଅଭୂତପୂର୍ବ ପ୍ରଚେଷ୍ଟା ଫଳରେ ଓଡ଼ିଶାରେ ବୌଦ୍ଧସ୍ତୂପମାନ ଯେପରି ଭିନ୍ନ ଭିନ୍ନ ସ୍ଥାନରେ ଗଢ଼ି ଉଠିଲା, ସେହିପରି ବିହାରମାନ ସ୍ଥାପିତ ହୋଇ ସେହି ଧର୍ମରେ ପ୍ରଜାଙ୍କୁ ଦୀକ୍ଷିତ କରିବା ଲାଗି ଉପାୟ ମାନ ଉଦ୍ଭାବିତ ହେଲା । କିନ୍ତୁ ଆବାହମାନ କାଳରୁ କଳିଙ୍ଗର ଆଦିବାସୀଙ୍କ ଦ୍ଵାରା ପୂଜା ପାଇ ଆସୁଥିବା ଦେବାଦେବୀଙ୍କ ଉପାସନା ବଦଳରେ ନୂତନ ଧର୍ମ ଭାବନା ସେମାନଙ୍କ ମନରେ ସୃଷ୍ଟି କରିବା ସହଜ ବ୍ୟାପାର ନଥିଲା । ତେଣୁ ସ୍ଥାନୀୟ ଆଦିବାସୀ ଉପାସିତ ଦେବାଦେବୀଙ୍କୁ ଆପଣାର କରିନେଇ ଅର୍ଥାତ୍ ସେମାନଙ୍କୁ ଉଗ୍ରତାରା, କାଳୀ, କୁରୁକୁଲ୍ଲା ପ୍ରଭୃତି ନାଁରେ ବୌଦ୍ଧଧର୍ମ ଭିତରେ ପ୍ରବେଶ କରାଇ ଏକ ତାନ୍ତ୍ରିକ ଶାଖାର ଉଦ୍‍ଭାବନ କଲେ, ଯାହାଫଳରେ ସ୍ଥାନୀୟ ପ୍ରଜାକୁ ଆକୃଷ୍ଟ କରିବାରେ ଅସୁବିଧା ରହିଲା ନାହିଁ ।

 

ଏହାହିଁ ବୌଦ୍ଧତନ୍ତ୍ର ଉତ୍ପତ୍ତିର ମୂଳ କାରଣ ।

 

ଏ ପ୍ରସଙ୍ଗରେ ତନ୍ତ୍ର ସମ୍ଵନ୍ଧରେ ଟିକିଏ ଆଲୋଚନା କରିବା ଉଚିତ ମନେହୁଏ । ତନ୍ତ୍ରର ସଂଜ୍ଞା ନିରୂପଣ କରିବା କଠିନ । ମୁଖ୍ୟତଃ ଏହା ଏକ ସାଧନ ପ୍ରଣାଳୀ । ମନ୍ତ୍ର, ଯନ୍ତ୍ର, ମଣ୍ତଳ, ଚକ୍ର ପ୍ରଭୃତି ଏହି ପ୍ରକ୍ରିୟାର ଭିନ୍ନ ଭିନ୍ନ ଅଙ୍ଗ । ଏହା ପ୍ରଧାନତଃ ଅଭିଚାରମୂଳକ । ଏହି ସାଧନନା ପଦ୍ଧତିର ସଙ୍କେତ ‘ଅଥର୍ବ’ ବେଦରେ ରହିଛି ।

 

ଆଧିଭୌତିକ ପ୍ରକ୍ରିୟା ଦ୍ଵାରା ପ୍ରକୃତିର ବିଭିନ୍ନ ଶକ୍ତିକୁ ଆୟତ୍ତ ବା ବଶୀଭୂତ କରିବା ତନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ । ଏହି ମାର୍ଗରେ ସାଧକ ଅଲୌକିକ ଶକ୍ତିର ଅଧିକାରୀ ହୋଇଥାଏ । କିନ୍ତୁ ଏଭଳି ଆଭିଚାରିକ ପନ୍ଥାକୁ ଗୌତମ ବୁଦ୍ଧ ଆଦୌ ସ୍ଵୀକୃତି ଦେଇ ନଥିଲେ । ଅଥଚ ଏହି ପ୍ରକ୍ରିୟା ପରବର୍ତ୍ତୀ କାଳରେ ବୌଦ୍ଧଧର୍ମ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥଲା ।

 

ଏହା ସାଧାରଣ ଲୋକ ସମାଜକୁ ଏତେଦୂର ଆକୃଷ୍ଟ କରିଥିଲା ଯେ, ସେଥିଦ୍ଵାରା ସନାତନ ବ୍ରାହ୍ମଣ୍ୟଧର୍ମ ପ୍ରଭାବିତ ହୋଇ ଶାକ୍ତ, ଶୈବ, ଭୈରବାଦି ବିଭିନ୍ନ ସଂପ୍ରଦାୟ ରୂପେ କାୟା ବିସ୍ତାର କରିବାକୁ ଲାଗିଲା । ଦେଖିବାକୁ ଗଲେ ବୌଦ୍ଧତନ୍ତ୍ର ହିଁ ହିନ୍ଦୁତନ୍ତ୍ରର ଜନକ ଅଟେ । ସେ ଯାହାହେଉ ଉଡ୍‍ଡୀୟାନ ବା ଓଡ଼ିଶା ଥିଲା ସେତେବେଳେ ବୌଦ୍ଧତନ୍ତ୍ରର ଚାରୋଟି ପୀଠ ମଧ୍ୟରୁ ଅନ୍ୟତମ ।

 

ଏହି ବୌଦ୍ଧତନ୍ତ୍ର ପରେ ହୀନଯାନ ଓ ମହାଯାନ ଭାବେ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇପଡ଼ନ୍ତି । ଏହା ଘଟିଥିଲା ବୁଦ୍ଧଦେବଙ୍କ ପରିନିର୍ବାଣର ପ୍ରାୟ ଏକଶହ ବର୍ଷ ପରେ–ବୈଶାଳୀ ଠାରେ । ଏଥିରେ ଭିକ୍ଷୁ ସର୍ବକାମୀ ଭିକ୍ଷୁ ଅଜିତ ଥିଲେ ଯଥାକ୍ରମେ ଆଚାର୍ଯ୍ୟ ଓ ପୁରୋଧା । ଏଠାରେ ହିଁ ଥେରବାଦୀ ବା ଶୀଳାଚାରବାଦୀ ବୌଦ୍ଧଧର୍ମ ମହାଯାନ ଓ ହୀନଯାନ ରୂପେ ବିଭକ୍ତ ହୋଇ ପଡ଼ିଥିଲା ।

 

ସୁଧୀବୃନ୍ଦ ! ଏଠାରେ ଆପଣମାନଙ୍କୁ ଆଉ ଥରେ ସୂଚାଇ ଦେବାକୁ ଚାହେଁ ଯେ, ଆଦିବାସୀ ବା ଶବର ଧର୍ମରେ ମାତୃରୂପିଣୀ ଶକ୍ତିଙ୍କ ପୂଜାରେ ଏକ ପବିତ୍ର ଧାରଣା ରହି ଆସିଥିଲା-। ତାହା ଯେପରି ସରଳ ଥିଲା, ସେହିପରି ଆତ୍ମିକ ମଧ୍ୟ । କିନ୍ତୁ ଯେତେବେଳେ ବୌଦ୍ଧ ଧର୍ମାଚାରରେ ‘ଶକ୍ତି’ ଓ ‘ନାରୀ’ ମଧ୍ୟରେ ଅଭେଦ ଧାରଣାର ଅନୁପ୍ରବେଶ ଘଟେ, ସେତେବେଳେ ନାରୀର ସଂଘ ପ୍ରବେଶରେ ଆଉ ଅନ୍ତରାୟ ରହିଲା ନାହିଁ ।

 

ଶକ୍ତିରୂପିଣୀ ନାରୀ ଓ ଉପାୟରୂପୀ ପୁରୁଷର ମିଳନରେ ମହାନିର୍ବାଣ ଲାଭ ସହଜ ବୋଲି ଧାରଣା ସୃଷ୍ଟି ହୋଇପଡ଼େ । ଅର୍ଥାତ୍ ପାରମିତା ଓ ବୋଧିସତ୍ତ୍ଵଙ୍କ ମିଳନ ନିର୍ବାଣ ବା ମହାସୁଖ ରୂପେ ବିବେଚିତ ହୁଏ । ଅବଲୋକିତେଶ୍ଵରଙ୍କ ସହିତ ମିଳିତ ହେଲେ ପ୍ରଜ୍ଞା ପାରମିତା । ଫଳରେ ନିର୍ବଣ ବା ମହାସୁଖ ପ୍ରାପ୍ତି ସହଜ ହୋଇପଡ଼ିଲା । ମହାସୁଖ ନିର୍ବାଣର ସ୍ଥାନ ଅଧିକାର କଲା । ଏହି ଲକ୍ଷ୍ୟନେଇ ଇନ୍ଦ୍ରଭୂତି “ପ୍ରଜ୍ଞୋପାୟବିନିଶ୍ଚୟ ସିଦ୍ଧି” ଗ୍ରନ୍ଥରେ ଘୋଷଣା କଲେ,

 

“ସମ୍ଭୋଗାର୍ଥମିଦଂ ସର୍ବଂ ତ୍ରୈଧାତୁକମସେବତଃ

ନିର୍ମିତଂ ବଜ୍ରନାଥେନ ସାଧକାନାଂ ହିତାୟ ଚ ।”

 

ଏହାର ଅର୍ଥ ହେଲା ବଜ୍ରନାଥ ବା ବୁଦ୍ଧ ସମ୍ଭୋଗ ସକାଶେ ହିଁ ତ୍ରିଲୋକ ସୃଷ୍ଟି କରିଛନ୍ତି । ଏ ଧାରଣାର ଆଉ ଏକ ପାଦ ଆଗକୁ ଯାଇ ଅନଙ୍ଗବଜ୍ର କହିଲେ-ଉଚ୍ଚ ବର୍ଣ୍ଣର ହୁଅନ୍ତୁ ବା ନୀଚ ବର୍ଣ୍ଣର ହୁଅନ୍ତୁ, ନାରୀମାତ୍ରେ ‘ପାରମିତା’ ହେବାର ଅଧିକାରିଣୀ । ତେଣୁ ତାଙ୍କୁ ସମ୍ଭୋଗ କଲେ ମହାସୁଖଲାଭ ସହଜ ହୁଏ, ଯେହେତୁ ମହାସୁଖ ଓ ନିର୍ବାଣ ଅଭିନ୍ନ । ଏ ଅବସ୍ଥାରେ ବୌଦ୍ଧବିହାର ମାନ ବ୍ୟଭିଚାର ବା ସ୍ଵୈରାଚାରର ପୀଠ ହୋଇପଡ଼ିବା ସ୍ଵାଭାବିକ ।

 

ଦ୍ଵିତୀୟ, ତୃତୀୟ ଶତାବ୍ଦୀ ସରିକି ବୌଦ୍ଧଧର୍ମରେ ଏହା ଚରମ ସୀମାକୁ ସ୍ପର୍ଶ କରିଥିଲା-। ଏ ପ୍ରକାର ବିଧିବ୍ୟବସ୍ଥା ଧର୍ମ ନା ବ୍ୟଭିଚାର କେଉଁ ନାମରେ ନାମିତ ହେବା ଉଚିତ, ଆପଣମାନେ ସ୍ଥିର କରିବେ । କିନ୍ତୁ ଦୁର୍ଭାଗ୍ୟକୁ କେବଳ ଓଡ଼ିଶା କାହିକିଁ ଏହା ସମଗ୍ର ଭାରତବର୍ଷରେ ପ୍ରଚାର ହୋଇପଡ଼ିଥିଲା । ବଜ୍ରଯାନୀ ବୌଦ୍ଧତନ୍ତ୍ରର ଚାରୋଟି ମୂଳପୀଠ କାମାକ୍ଷା, ଶ୍ରୀହଟ୍ଟ, ପୂର୍ଣ୍ଣଗିରି ଓ ଉଡ୍‍ଡୀୟାନ ମଧ୍ୟରୁ ଓଡ଼ିଶାକୁ ଉଡ୍ଡୀୟାନ ତନ୍ତ୍ରପୀଠ ବୋଲି କହନ୍ତି । ଅବଶ୍ୟ ଏ ବିଷୟରେ ସବୁ ସମାଲୋଚକ ସମାନ ମତ ପୋଷଣ କରନ୍ତି ନାହିଁ । ତଥାପି ମହାମହୋପାଧ୍ୟାୟ ହରପ୍ରସାଧ ଶାସ୍ତ୍ରୀ ଓ ଗବେଷକ ବିନୟତୋଷ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଓଡ଼ିଶାକୁ ହିଁ ଉଡ୍‍ଡୀୟାନ ବୋଲି ଚିହ୍ନିତ କରନ୍ତି ।

 

ଡକ୍ଟର ନବୀନ କୁମାର ସାହୁ ପଶ୍ଚିମ ଓଡ଼ିଶା ସୋନପୁର ନିକଟସ୍ଥ ‘କୋଟ-ସମଲେଇ’କୁ ‘ସମ୍ଭଳ’ ରୂପେ ଗ୍ରହଣ କରି ସେଠାର ରାଜା ଇନ୍ଦ୍ରଭୂତି ବଜ୍ରଯାନର ଜଣେ ପ୍ରଧାନ ଆଚାର୍ଯ୍ୟ ଥିଲେ ବୋଲି ମତପୋଷଣ କରନ୍ତି । ଏହା ଯଦି ସତ୍ୟ ହୁଏ, ତା’ହେଲେ କହିବାକୁ ପଡ଼ିବ ଯେ, ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରଭାବ ରହି ଆସିଥିଲା, ଯଦିଚ ତାହା ଧୀରେ ଧୀରେ ଅଧଃପତନ ଆଡ଼କୁ ଗତି କରି ଶେଷରେ ବିଲୀନ ହେବାକୁ ବସିଥିଲା-

 

ପ୍ରଚାର ଅଭାବରେ ହେଉ ବା ଧର୍ମଗୁରୁମାନଙ୍କ ନୈତିକ ସ୍ଖଳନ ଯୋଗୁ ହେଉ, ସେଥିରେ ନାନାବିଧ ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇ ତାହା କ୍ରମଶଃ ଦୁର୍ବଳ ହୋଇପଡ଼େ ଓ ଶେଷରେ ଜନସମାଜ ଦ୍ଵାରା ପରିତ୍ୟକ୍ତ ହୁଏ । ଆଗରୁ କୁହାଯାଇଛି, ପ୍ରାଚୀନ କଳିଙ୍ଗରେ ଜୈନଧର୍ମର ପ୍ରଭାବ ଓ ପରଂପରା ଅଶୋକଙ୍କ ଆକ୍ରମଣ ଯୋଗୁଁ ହେଉ ବା ଧର୍ମ ପ୍ରବକ୍ତାଙ୍କ ଅବହେଳା ଯୋଗୁଁ ହେଉ, ଆସ୍ତେ ଆସ୍ତେ କ୍ଷୀଣ ହୋଇପଡ଼ିଥିଲେ ମଧ୍ୟ ସେଥିର ମୌଳିକ ତତ୍ତ୍ଵ କେତୋଟି ଯଥା: ଉଲଗ୍ନ ରହିବା, ଦାଣ୍ଡଦୁଆରେ ସ୍ଵସ୍ତିକ୍ ଚିହ୍ନ ଲେଖିବା, ବୃକ୍ଷ ପାଷାଣାଦି ନିର୍ଜୀବ ବସ୍ତୁର ଉପାସନା କରିବା, ପବିତ୍ର ଜ୍ଞାନରେ ମୟୂରପୁଚ୍ଛ ଧାରଣ କରିବା ପ୍ରଭୃତି ପ୍ରଥା କାଁ ଭାଁ ଦୃଷ୍ଟିଗୋଚର ହେଉଥିଲା ।

 

ଏତିକିବେଳେ ଅର୍ଥାତ୍ ଖ୍ରୀଷ୍ଟୀୟ ଅଷ୍ଟମ ଶତକ ସରିକି ଅଦ୍ଵୈତବାଦୀ ଶଙ୍କରାଚାର୍ଯ୍ୟଙ୍କ ଓଡ଼ିଶା ଆଗମନ ଓଡ଼ିଶାବାସୀଙ୍କ ଧର୍ମ ଧାରଣା ଉପରେ ବିଚକ୍ଷଣ ପ୍ରଭାବ ପକାଇବାରେ ସମର୍ଥ ହୁଏ । ଚତୁର୍ଦ୍ଧାମ ମଧ୍ୟରେ ଓଡ଼ିଶାର ଶବର ଦେବତା ଜଗନ୍ନାଥପୀଠକୁ ଅନ୍ତର୍ଭୁକ୍ତ କରାଇ ସେ ସେଠାରେ ବ୍ରହ୍ମଣ୍ୟ ଧର୍ମର ଦୃଢ଼ ଭିତ୍ତି ସ୍ଥାପନ କଲେ । ତାଙ୍କ ବେଳକୁ ଦାରୁଦେବତା ଜଗନ୍ନାଥ ନନ୍ଦନନ୍ଦନ କୃଷ୍ଣ ରୂପେ ବର୍ଣ୍ଣିତ ହେଲେ ।

 

ଫଳରେ ପରବର୍ତ୍ତୀ ରାମାନୁଜାଚାର୍ଯ୍ୟ, ମାଧ୍ଵାଚାର୍ଯ୍ୟ ପ୍ରଭୃତି ଧର୍ମପ୍ରବର୍ତ୍ତକଗଣ ଶାବରଦେବତାଙ୍କୁ ସ୍ଵ ସ୍ଵ ଧର୍ମର ଅଧିଷ୍ଠାତ୍ରୀ ଦେବତା ରୂପେ ଗ୍ରହଣ କରିବାକୁ ଦ୍ଵିଧା ବୋଧକଲେ ନାହିଁ । ସେତିକି ନୁହେଁ, ତାଙ୍କୁ ସ୍ଵ ସ୍ଵ ଧର୍ମର ସର୍ବୋତ୍କୃଷ୍ଟ ଉପାସ୍ୟ ରୂପେ ପ୍ରମାଣିତ କରିବାକୁ ଯତ୍‍ପରୋନାସ୍ତି ଚେଷ୍ଟା କରିଗଲେ । ସେହି କାରଣରୁ ତତ୍କାଳୀନ ଓଡ଼ିଶାର ମହାକବି ଜୟଦେବ କୃଷ୍ଣଲୀଳା ସମ୍ଵଳିତ ନିଜର ସୁଲଳିତ କାବ୍ୟ ‘ଗୀତଗୋବିନ୍ଦ’ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

 

ଏଠାରେ ମନେରଖିବା ଉଚିତ–ଏତେବେଳକୁ ବୌଦ୍ଧତନ୍ତ୍ର ସିନା ଲୋକପ୍ରିୟତା ହରାଇଥିଲା; କିନ୍ତୁ ତତ୍ ପ୍ରଭାବିତ ହିନ୍ଦୁତନ୍ତ୍ର ଶାଖା ପ୍ରଶାଖା ମେଲି ଅଧିକରୁ ଅଧିକ ଲୋକସମାଜରେ ଆଦୃତ ହେବାକୁ ଲାଗିଲା । ହିନ୍ଦୁଧର୍ମ ମଧ୍ୟରେ ରୁଦ୍ର, ବିଷ୍ଣୁ, ଯମ ପ୍ରଭୃତି ଦେବତାଙ୍କୁ ଭୈରବ ନାମରେ ଅଭିହିତ କରି ତନ୍ତ୍ର ସାଧନାର ଉପାସ୍ୟ ଦେବୀ ରୂପେ କାଳୀ, ବିମଳା,ଚର୍ଚ୍ଚିକା, ଶ୍ୟାମା ପ୍ରଭୃତିଙ୍କୁ ପ୍ରତିଷ୍ଠତ କରାଗଲା ଏବଂ ଦାରୁଦେବତା ଜଗନ୍ନାଥଙ୍କୁ ମଧ୍ୟ ‘ଭୈରବ’ ନାମରେ ଅଭିହିତ କରି ‘ଭୈରବୀ’ ଭାବେ ବିମଳାଙ୍କୁ ଦର୍ଶାଇବାରେ ଅବହେଳା ହେଲାନାହିଁ । ଏଣୁ ତନ୍ତ୍ର ଗ୍ରନ୍ଥରେ କୁହାଯାଇଛି–

 

“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବଃ ।”

 

ଏହାଛଡ଼ା ତନ୍ତ୍ରବାଦୀମାନେ ସ୍ଵୟଂ ଜଗନ୍ନାଥଙ୍କୁ ମଧ୍ୟ “ଦକ୍ଷିଣକାଳିକା” ଭାବେ ସମ୍ଵୋଧିତ କରିବାକୁ ପଶ୍ଚାତ୍‍ପଦ ହୋଇନାହାନ୍ତି । ସେମାନଙ୍କ ମତରେ “ନୀଳାଚଳେ ଜଗନ୍ନାଥଃ କଳୌ ଦକ୍ଷିଣକାଳିକା” । ଏଣୁ କହିବାକୁ ପଡ଼େ ଏହାର ପ୍ରଭାବ ଏତେଦୂର ସୁଦୂରପ୍ରସାରୀ ଥିଲା ଯେ, ବୈଷ୍ଣବ ପଦ୍ଧତିରେ ପ୍ରତିଷ୍ଠିତ ଜଗନ୍ନାଥଙ୍କୁ ସିଂହାସନାସୀନ କଲାବେଳେ ‘ସିଂହଯନ୍ତ୍ର’ଟିଏ ଲେଖି ତା’ ଉପରେ ମୂର୍ତ୍ତି ସ୍ଥାପନା କରାଯାଇଥିଲା । ଏହା ସ୍କନ୍ଦ ପୁରାଣରେ ଲେଖାଅଛି ।

 

ଏସବୁର ନିର୍ଯାସ ସ୍ଵରୂପ କୁହାଯାଇପାରେ, କଳିଙ୍ଗରେ ଆବାହମାନ କାଳରୁ ପ୍ରଚଳିତ ଧର୍ମବିଶ୍ଵାସର ପ୍ରତୀକ ‘ଦାରୁଦେବତା’ଙ୍କୁ ଇଏ ସିଏ ନୁହନ୍ତି–ଯେକୌଣସି ଧର୍ମର ଯେକୌଣସି ପରିଗ୍ରାହକ ନିଜସ୍ୱ ଧର୍ମର ମହିମା ପ୍ରଖ୍ୟାପନ କରିବା ପାଇଁ ତାଙ୍କୁ ମାଧ୍ୟମ ରୂପେ ଧରି ଆସିଛନ୍ତି । ଶେଷରେ ଦେଖିଲାବେଳକୁ ମୂଳ ଶବର ଗୋଷ୍ଠୀର ମାନବଧର୍ମ–ଯାହାକି ଜଗନ୍ନାଥଙ୍କ ପୂଜା ଉପାସନାରେ ଜଡ଼ୀଭୂତ ଏପରି ଏକ ଅନନ୍ୟ ସାଧାରଣ ଧର୍ମରେ ପରିବର୍ତ୍ତିତ ହୋଇପଡ଼ିଛି, ଯାହାର ମୂଳ ଅନୁସନ୍ଧାନ କରିବାକୁ ଯାଇ ପ୍ରତ୍ନତାତ୍ତ୍ଵିକ ମାନେ ପୁରାତନ ସାମଗ୍ରୀ ଉପରେ ନିର୍ଭର କରି ଗୋଟିଏ ସିଦ୍ଧାନ୍ତ ଗ୍ରହଣ କଲାବେଳେ ଐତିହାସିକବର୍ଗ ରାଜାଜ୍ଞାରେ ଖୋଦିତ ଶିଳାଲେଖ ତାମ୍ରଫଳକାଦି ସାହାଯ୍ୟରେ ଅନ୍ୟ ଏକ ତତ୍ତ୍ଵ ନିର୍ଣ୍ଣୟ କରି ବସନ୍ତି, ଶିଳାଲେଖାଦି ଉପକରଣ ମୁଖ୍ୟତଃ ଶାସନ ସମ୍ଵନ୍ଧୀୟ ତଥା ପ୍ରଶସ୍ତିମୂଳକ ହୋଇଥିବା ଯୋଗୁଁ ସେଥିରେ ରାଜଧର୍ମ ଛଡ଼ା ସାଧାରଣ ଜନସମାଜର ଧାର୍ମିକ ଚେତନା ଓ ସାଂସ୍କୃତିକ ବିଚାରଧାରା ଲିପିବଦ୍ଧ ହେବା ସମ୍ଭବ ନୁହେଁ । ସେଥିରୁ ତାହା ଆଶା କରିବା ନିରର୍ଥକ ।

 

ତେଣୁ ଏ କ୍ଷେତ୍ରରେ ଅର୍ଥାତ୍ ଓଡ଼ିଶାର ଧର୍ମଧାରା କଥା ଆଲୋଚନା କଲାବେଳେ ତତ୍ରତ୍ୟ ଅଧିବାସୀ ଓ ସେମାନଙ୍କ ସାମାଜିକ ଚଳଣି, ସେମାନଙ୍କ ବାଚାରଧାରା, ସେମାନଙ୍କ ଜୀବନଚର୍ଯ୍ୟା ବିଷୟରେ ପ୍ରଥମେ ଜ୍ଞାନ ଅର୍ଜନ କରିବା ଆବଶ୍ୟକ । କାରଣ ଧର୍ମ ସମାଜର ଅଂଶବିଶେଷ । ଧର୍ମ ବିନା ସମାଜ ଶୃଙ୍ଖଳିତ ହୋଇ ନପାରେ । ‘ଧର୍ମ’ର ଅର୍ଥ ଏଠାରେ Religion’ ଯେପରି କେହି ନ ବୁଝନ୍ତି । ଜଳର ଧର୍ମ ଯେପରି ତରଳତା, ଅଗ୍ନିର ଧର୍ମ ଦାହକତା, ସେହିପରି ମନୁଷ୍ୟର ଧର୍ମ ହେଲା ମାନବିକତା ।

 

ଏହାବିନା ମନୁଷ୍ୟର ପୂର୍ଣ୍ଣତା ନାହିଁ । ଏଣୁ ଶରୀରର ଆବଶ୍ୟକତା ମେଣ୍ଟାଇବା ଲାଗି ଯେପରି ବାସ, ଗ୍ରାସ ଓ ପରିଧାନ ପ୍ରୟୋଜନ ସେହିପରି ସମାଜ, ପରିବେଶ ଓ ଜାତିର ସମୃଦ୍ଧି ସକାଶେ ଧର୍ମର ପ୍ରୟୋଜନୀୟତା । ଏହା କେବଳ ମନୁଷ୍ୟ ଜାତିରେ ହିଁ ସମ୍ଭବ, ଇତର ପ୍ରାଣୀଠାରେ ନୁହେଁ । ସେହି କାରଣରୁ ଓଡ଼ିଶାବାସୀଙ୍କ ଧର୍ମର ପ୍ରତୀକ ଜଗନ୍ନାଥଙ୍କ ଉପାସନାରେ ମାନବିକତାର ସମସ୍ତ ବିଭବ ପରିପୂର୍ଣ୍ଣ ରହିଛି ।

 

କାଳଚକ୍ରର ଅବାରିତ ଘୂର୍ଣ୍ଣନ ମଧ୍ୟରେ କେତେବେଳେ ବା କିଛିଟା ପରିବର୍ତ୍ତନ ଦେଖାଦେଇଛି । ତଥାପି ଓଡ଼ିଶାର ଧର୍ମ ଯାହା ଆଦିମ ଅଧିବାସୀଙ୍କ ଠାରୁ ଏ ପର୍ଯ୍ୟନ୍ତ ସମାନ ଭାବେ ରହି ଆସିଛି, ସେହି ମାନବ ଧର୍ମ ଏବେ ସୁଦ୍ଧା ଜଗନ୍ନାଥଙ୍କ ଉପାସନାରେ ‘ଅବିନାଭବ’ ସମ୍ଵନ୍ଧରେ ସମୃଦ୍ଧ ରହିଛି ।

 

ଏହାର ପରିବର୍ତ୍ତନ କିମ୍ଵା ସଂକୋଚନ ସମ୍ଭବ ବୋଲି ମନେହୁଏ ନାହିଁ, ଯେହେତୁ ଏହା ସଂକୁଚିତ ହେବା ପରିବର୍ତ୍ତେ କ୍ରମଶଃ ବିଶ୍ଵବ୍ୟାପୀ ହେବାରେ ଲାଗିଛି ।

 

ଏହି ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଶାର ଧର୍ମ ଅତ୍ୟନ୍ତ ପୁରାତନ, ଯାହାର ସଂପୂର୍ଣ୍ଣ ପ୍ରତୀକ ହେଉଛନ୍ତି ସ୍ଵୟଂ ଜଗନ୍ନାଥ । ଗଙ୍ଗୋତ୍ରୀ ସଦୃଶ ଆଦିମତମ ଯୁଗରୁ ପ୍ରବାହିତ ଏହି ଧର୍ମଧାରା କାଳ ପଥରେ ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ସୌରାଦି ବିଭିନ୍ନ ସାମ୍ପ୍ରଦାୟିକ ଆଚାର ବିଚାର ରୂପ ଶାଖାନଦୀ ସଂଯୋଗରେ ଏପରି ଏକ ବିଚିତ୍ର ଏବଂ ବିରାଟ ରୂପ ଧାରଣ କରିଛି; ଯାହାର ଆଦ୍ୟପ୍ରାନ୍ତ ନିର୍ଣ୍ଣୟ କରିବା ଦୁଃସାଧ୍ୟ ମନେହୁଏ ।

Image